ବକେୟା ଘର ହୋଲଡିଂ ଟେକ୍ସ ଜମା ପାଇଁ ଏକକାଳୀନ ବନ୍ଦୋବସ୍ତରେ ୨୦% ରିହାତି

• ରାୟଗଡା ପୈାର ପରିଷଦ ବୈଠକରେ ନିଷ୍ପତି

• ସହରରେ ନୂତନ ଡ୍ରେନ୍ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଳାନ୍‌

• ପେନସନ୍‌ଭୋଗୀଙ୍କ ପାଇଁ ଖୁସି ଖବର, ୱାର୍ଡରେ ଥିବା ବ୍ୟାଙ୍କରୁ ପେନସନ୍ ପାଇବାର ହେବ ବ୍ୟବସ୍ଥା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ପୈାର ପରିଷଦ ଅଧ୍ୟକ୍ଷ ପି.ମହେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ପୈାରସଂସ୍ଥା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ କାଉନସିଲିଂ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୈାର ପରିଷଦର ଉପାଧ୍ୟକ୍ଷ ଶ୍ରୀମତି ଶୁଭ୍ରା ପଣ୍ଡା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ପୈାରସଂସ୍ଥା ନିର୍ବାହୀ ଅଧିକାରୀ ୟାଶିର ବିଲାଲ୍ ଅହମ୍ମଦଙ୍କ ସମେତ ସମସ୍ତ ୱାର୍ଡ କାଉନସିଲର, ସାଂସଦ ପ୍ରତିନିଧି ଓ ପୈାର ସଂସ୍ଥା କାର୍ଯ୍ୟାଳୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ରାୟଗଡା ପୈାରାଂଚଳରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ସମାଧାନ ଦିଗରେ ସହରବାସୀଙ୍କ ସହଯୋଗ ଓ ସମର୍ଥନର ଆବଶ୍ୟକ ରହୁଥିବା ନେଇ ପୈାରାଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ବୈଠକରେ ପ୍ରକାଶ କରିଥିଲେ । ପୈାରାଂଚଳରେ ରହୁଥିବା ଅନେକ ଲୋକେ ଦୀର୍ଘ ବର୍ଷ ଧରି ନିଜର ବକେୟା ଘର ହୋଲଡିଂ ଟେକ୍ସ ପୈଠ କରୁ ନ ଥିବାରୁ ଏହି ଟେକ୍ସ ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଛି । ଯାହାକୁ ନେଇ ପୈାର ପରିଷଦ ବୈଠକରେ ଉଦବେଗ ପାଇଥିବା ବେଳେ ସର୍ବ ସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଛି । ଏଣିକି, ବର୍ଷ ବର୍ଷ ଧରି ବକେୟା ଥିବା ହୋଲଡିଂ ଟେକ୍ସ ଜମା କରିବା ପାଇଁ ଏକକାଳୀନ ବନ୍ଦୋବସ୍ତ ଭିତରେ ସମୁଦାୟ ଟେକ୍ସର ୨୦ପ୍ରତିଶତ ରିହାତି କରାଯାଇ ବଳକା ଟଙ୍କା ଜମା କରିବାର ସୁଯୋଗ ସୃଷ୍ଟି କରାଯାଇଛି । ଫଳରେ ଲୋକଙ୍କୁ ଏହା ପୈଠ କରିବାରେ ସୁବିଧା ହୋଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେହିପରି ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି, ରାହାଜାନି ଓ ଡକାୟତି ଭଳି ଘଟଣାକୁ ହ୍ରାସ କରିବା ଦିଗରେ ପୈାରାଂଚଳର ମୁଖ୍ୟ ଛକଗୁଡିକରେ ୧୦୪ଗୋଟି ସିସିଟିଭି ଲଗାଯିବାର ଯୋଜନା ବର୍ତମାନ ଶେଷ ପର୍ଯ୍ୟାୟରେ ରହିଛି । ଆଉ ଅଳ୍ପ ଦିନରେ ଏହି ବ୍ୟବସ୍ଥାରେ ଲୋକେ ଉପକୃତ ହେବାକୁ ଥିବା ବେଳେ ସିସିଟିିଭିର କଂଟ୍ରୋଲ ରୁମ ସ୍ଥାନୀୟ ପୋଲିସ ଥାନାରେ ରଖାଯାଇଛି । ଯାହା ପୋଲିସ କର୍ମଚାରୀମାନଙ୍କ ଦ୍ୱାରା ନିୟନ୍ତ୍ରଣ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ରାୟଗଡା ପୈାରାଂଚଳର ବିଭିନ୍ନ ୱାର୍ଡରେ ଥିବା ଡ୍ରେନ୍ ଗୁଡିକ ବହୁ ପୁରୁଣା ହୋଇପଡିଥିବା ବେଳେ ଏହା ଅତି ସଂର୍କୀର୍ଣ୍ଣ ହୋଇ ରହିଥିବାରୁ ରାଜ୍ୟ ନଗର ଓ ଗୃହ ଉନ୍ନୟନ ବିଭାଗ ପକ୍ଷରୁ ଯଥାଶୀଘ୍ର ନୂତନ ଚଉଡା ଡ୍ରେନ୍ ନିର୍ମାଣ ପାଇଁ ମାଷ୍ଟର ପ୍ଳାନ ପ୍ରସ୍ତୁତ ପାଇଁ ଆଦେଶ ଆସିଥିବା ନେଇ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିବା ବେଳେ ବିଶେଷ କରି ସହରରେ ଥିବା ଡ୍ରେନଗୁଡିକ ଜାମ ହେବାର ମୂଳ କାରଣ ହେଉଛନ୍ତି ଆପାର୍ଟମେଂଟ ବାସିନ୍ଦା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଆପାର୍ଟମେଂଟଗୁଡିକରେ ରହୁଥିବା ଲୋକେ ଆଉ ତଳକୁ ନ ଆସି ଡ୍ରେନ ଉପରେ ହିଁ ସମସ୍ତ ଅଳିଆ ଆର୍ବଜନା ପକାଇ ଦେଉଥିବାରୁ ଡ୍ରେନ୍ ଅଳିଆରେ ପରିପୂର୍ଣ୍ଣ ହେଉଛି । ଫଳରେ ଆଉ ନାଳ ପାଣି ଠିକ୍ ଭାବେ ନିର୍ଗତ ହୋଇପାରୁନାହିଁ । ତେଣୁ ସହରକୁ ପରିମଳ ରଖିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ରହୁଥିବା ବେଳେ ଆଗାମୀ ୪୦ଦିନ ମଧ୍ୟରେ ୱାର୍ଡ ୱାର୍ଡରେ ସର୍ଭେ କରାଯାଇ ଡ୍ରେନ୍ ବ୍ୟବସ୍ଥା ପାଇଁ ମାଷ୍ଟର ପ୍ଳାନ ପ୍ରସ୍ତୁତ ହେବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେହିପରି ସରକାରଙ୍କ ନିୟମ ପ୍ରକାରେ ତିନିମାସ ପର୍ଯ୍ୟନ୍ତ ଜଣେ ପେନସନ୍ ଭୋଗୀ ନିଜ ପେନସନ୍ ନେଇ ପାରୁ ନ ଥିଲେ ତାହା ସରକାରଙ୍କୁ ଫରସ୍ତ ହେଉଥିବା ବେଳେ ହିତାଧିକାରୀ ଜଣଙ୍କ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ କାଉନସିଲିଂରେ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଛି ଯେ, ୨ମାସ ଧରି ଯେଉଁ ହିତାଧିକାରୀ ପେନସନ୍ ନେବା ପାଇଁ ଆସୁନାହାନ୍ତି ସେମାନଙ୍କୁ ପୈାର ପରିଷଦ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ପେନସନ୍ ନେବାକୁ ଆଦେଶ କରାଯିବ ବୋଲି ଉପାଧ୍ୟକ୍ଷା ଶ୍ରୀମତି ପଣ୍ଡା ପ୍ରକାଶ କରିଥିବା ବେଳେ ହିତାଧିକାରୀଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ୱାର୍ଡରେ ଥିବା ନିକଟସ୍ଥ ବ୍ୟାଙ୍କଗୁଡିକରେ ସେମାନଙ୍କ ଏକାଉଂଟ ନମ୍ବର ପ୍ରେରଣ କରାଯାଇ ହିତାଧିକାରୀ ସେଠାରୁ ଭତା ପାଇବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀମତି ପଣ୍ଡା ପ୍ରକାଶ କରିଛନ୍ତି । ଏଥିସହ ପୈାରାଂଚଳରେ ରୁହଥିବା ସହରବାସୀ ନିଜ ନିଜ ଘରକାର୍ଯ୍ୟ ପାଇଁ ରାସ୍ତା କଡରେ ବାଲି,ଗୋଡି,ପଥର ଆଦି ପକାଇ ଦେଇଥାନ୍ତି ତେଣୁ ଜନସାଧାରଣଙ୍କ ଯାତାୟାତରେ ଯେପରି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ସହ ଅଭିଯୋଗ ଆସିଲେ ସପ୍ତାହକ ମଧ୍ୟରେ ସେଗୁଡିକ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ ନଚେତ୍ ପୈାର ପରିଷଦ ପକ୍ଷରୁ ନୋଟିସ ଜାରି କରାଯିବ ବୋଲି ଶ୍ରୀମତି ପଣ୍ଡା ପ୍ରକାଶ କରିଛନ୍ତି । ବୈଠକରେ ଉପସ୍ଥିତ ରହିଥିବା ରାୟଗଡା ବିଧାୟକ ଶ୍ରୀ ମୁଦୁଲି ମଧ୍ୟ କାଉନସିଲିଂ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତିକୁ ସ୍ୱାଗତ କରିବା ସହ ସହରବାସୀଙ୍କ ସହଯୋଗ କାମନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.