ବିଭାଗକୁ ହସ୍ତାନ୍ତର ହେବା ପୂର୍ବରୁ କବାଟରେ ଉଇ ଲାଗିଥିବା ଅଭିଯୋଗ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟରେ ଚାଲିଛି ମିଶନ ଶକ୍ତି ବିଭାଗ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ସ୍ବତନ୍ତ୍ର ଭାବେ ମିଶନ ଶକ୍ତି ଗୃହ ନିର୍ମାଣ ହେବାର ବ୍ୟବସ୍ଥା ରହିଛି। ତେବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ୫୦ ଲକ୍ଷ ଟଙ୍କା ଅଟକଳରେ ତହସିଲ କାର୍ଯ୍ୟାଳୟ ନିକଟରେ ମିଶନ ଶକ୍ତି ଗୃହ ନିର୍ମାଣ ହୋଇଥିଲେ ସୁଦ୍ଧା ବ୍ଲକ ମିଶନ ଶକ୍ତି ବିଭାଗ କୁ ହସ୍ତାନ୍ତର ହୋଇପାରି ନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କେସିଙ୍ଗା ବ୍ଲକ ମିଶନ ଶକ୍ତି ବିଭାଗ ର ସ୍ବତନ୍ତ୍ର ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ଆର୍ ଏଣ୍ଡ ବି ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଜନୈକ ଠିକାଦାର କାମ କରିଥିଲେ ସୁଦ୍ଧା ତାହା ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ହେଉଛି। ଯାହାକି ବିଲଡିଙ୍ଗର ନିର୍ମାଣ କାର୍ଯ୍ୟ ସମୟରେ ବିଭିନ୍ନ ଗଣମାଧ୍ୟମରେ ନିମ୍ନମାନର କାମକୁ ନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା। କେସିଙ୍ଗା ବ୍ଲକ ମିଶନ ଶକ୍ତି ବିଭାଗର ସମସ୍ତ କାମ ସମନ୍ୱିତ ଶିଶୁ ବିକାଶ ବିଭାଗର କାର୍ଯ୍ୟାଳୟରେ ଚାଲିଛି। ଯାହାକି ଏକ ଛୋଟ କୋଠରୀ ମଧ୍ୟରେ ମିଶନ ଶକ୍ତି ବିଭାଗର କର୍ମଚାରୀମାନେ କାର୍ଯ୍ୟ କରୁଥିବା ବେଳେ ସେଠାରେ ମିଶନ ଶକ୍ତି ଗୋଷ୍ଠୀର ମହିଳାମାନେ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୁଝିବା ପାଇଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସୁଥିବା ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟାମାନେ ସ୍ବତନ୍ତ୍ର ମିଶନ ଶକ୍ତି ଗୃହ ନଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏନେଇ ବିଭାଗୀୟ ବିପିସିଙ୍କୁ ପଚାରିବାରୁ ବ୍ଲକ ମିଶନ ଶକ୍ତି ଗୃହ ନିର୍ମାଣ ହୋଇଥିଲେ ସୁଦ୍ଧା ଆମକୁ ହସ୍ତାନ୍ତର ହୋଇନାହିଁ ବୋଲି କହିଛନ୍ତି । ଆର୍ ଏଣ୍ଡ ବି ବିଭାଗ ପକ୍ଷରୁ ନିର୍ମାଣ କରାଯାଇ ମିଶନ ଶକ୍ତି ଗୃହକୁ ବ୍ଲକ୍ ମିଶନ ଶକ୍ତି ବିଭାଗ କୁ ହସ୍ତାନ୍ତର କରିବାରେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ନିର୍ମାଣ ହୋଇଥିବା ମିଶନ ଶକ୍ତି ଗୃହ ହସ୍ତାନ୍ତର ହେବା ପୂର୍ବରୁ ବିଦ୍ୟୁତ୍ ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ବ୍ୟବସ୍ଥା ରହିବା କଥା ହେଲେ ତାହା ମଧ୍ୟ ହୋଇନାହିଁ ବୋଲି ଜଣାପଡିଛି। ମିଶନ ଶକ୍ତି ଗୃହ ପାଇଁ ସ୍ବତନ୍ତ୍ର ଭାବେ ବିଦ୍ୟୁତ୍ ସଂଯୋଗ ହେବାର ବ୍ୟବସ୍ଥା ଥିବା ବେଳେ ତାହା ଏପର୍ଯ୍ୟନ୍ତ ଟ୍ରାନ୍ସଫରମର ବସି ନାହିଁ। ସେହିପରି ଗୃହ ଭିତରେ ଲାଗିଥିବା କବାଟ ଗୁଡ଼ିକରେ ଉଇ ଲାଗିଯାଇଥିବା ବେଳେ ଲାଗିଥିବା କବାଟ ଗୁଡିକ ଠିକ୍ ଭାବରେ ଖୋଳୁନଥିବା ଅଭିଯୋଗ ହେଉଛି। ଏନେଇ ଆରଏଣ୍ଡବି ଏସଡିଓ ଭଗବାନ ସାହୁଙ୍କ ପ୍ରତିକ୍ରିୟା ନେବାରୁ ଯଥାଶୀଘ୍ର ମିଶନ ଶକ୍ତି ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।