ବରକୁ ନେଇ ଛୁ ମାରିଲା ଘୋଡ଼ା……

ଓଡ଼ିଆ ବାର୍ତ୍ତା/ ଅଜମର : ବିବାହକୁ ନେଇ ସମସ୍ତେ ବହୁତ ଉତ୍ସୁକ ରହିଥାଆନ୍ତି  । ବିବାହକୁ ଅପେକ୍ଷା କରି ରହିଥିବା ବେଳେ ନିଜ ବିବାହକୁ କିପରି ସ୍ପେଶିଆଲ କରିବେ ସେନେଇ ବହୁତ୍‌ ତତ୍ପର ରହିଥାଆନ୍ତି  । ଆଉ ନିଜ ବିବାହ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ  ସମସ୍ତ ପ୍ରସ୍ତୁତି କରିଥାଆନ୍ତି  । ଏହି ଆକର୍ଷଣୀୟ କରିବା ଲକ୍ଷ୍ୟରେ ଜଣେ ବର ହଟ ହଟା ହେବାର ଦୃଶ୍ୟ ଦେଖିବାକୁ ମିଳିଛି  ।  ଯାହା ବିବାହ ଉତ୍ସବରେ ଆଲୋଡ଼ନ ସୃଷ୍ଟି କରିଛି ।

ତେବେ ନିକଟରେ ବରଯାତ୍ରୀଙ୍କର ନାଚଗୀତ ସାଙ୍ଗକୁ ବାଜା ରୋସଣି ଓ ଆତସବାଜି ପରିବେଶକୁ ଉତ୍ସବମୟ କରିଦେଇଥିଲା। ଅଶ୍ବାରୋହଣ କରି ବରଟିଏ କନ୍ୟାଘର ପାଖରେ ପହଞ୍ଚୁଛି । ହେଲେ ବାଜା ରୋସଣି ବାଣଫୁଟା ଶବ୍ଦରେ ଭୟଭୀତ ହୋଇ ଘୋଡ଼ାଟି ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଲାଗିଛି । ବରଟି ମଧ୍ୟ ଉପାୟ ଶୂନ୍ୟ ହୋଇ ଘୋଡ଼ାଟିକୁ ଜାବୁଡ଼ି ବସି ରହିଛି । ଶେଷରେ ବରଯାତ୍ରୀମାନେ ଘୋଡ଼ା ପଛରେ ବାଇକ୍‌ ଓ କାର୍‌ରେ ଦୀର୍ଘ ୪ କି.ମି.  ଗୋଡ଼େଇ ଗୋଡ଼େଇ ବରକୁ ଉଦ୍ଧାର କରିଛନ୍ତି। ତେବେ ଏଭଳି ଘଟଣା ରାଜସ୍ଥାନର ଅଜମର ଅଞ୍ଚଳର ରାମପୁର ଗାଁରେ ଘଟିଛି । ଏଭଳି ଘଟଣା ସାରା ଅଜମରରେ ଚର୍ଚ୍ଚାର ବିଷୟ ପାଲଟିଛି  ।

ସୁରକ୍ଷିତ ଭାବେ ବରକୁ ଉଦ୍ଧାର କରାଯାଇଥିବା ବେଳେ ‘ବରର ବିଦାୟ’ ଶୀର୍ଷକ ଏହି ଭିଡିଓଟି ଅପ୍‌ଲୋଡ୍‌ ହେବା ପରେ ୨୯ ଲକ୍ଷରୁ ଅଧିକ ତାହାକୁ ଦେଖିବା ସହ ନାନା ମଜାଦାର କମେଣ୍ଟ ଦେଇଛନ୍ତି ୟୁଜର୍ସ । କେହି କେହି  ‘ଯୁଦ୍ଧ ପାଇଁ ରାଜା ସାହେବ ବାହାରିଗଲେ’ ବୋଲି ଲେଖିଥିବା ବେଳେ ଆଉ କିଏ ‘ବାଣ ଖାଲି ବାହାନା, ବରର ବାହାହେବାକୁ ଇଚ୍ଛା ନଥିଲା’ ବୋଲି ମଧ୍ୟ ବ୍ୟଙ୍ଗାତ୍ମକ କମେଣ୍ଟ କରିଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.