ଅଟୋକୁ ଧକ୍କା ଦେଲା ଟ୍ରକ: ୬ମୃତ, ୪ଗୁରୁତର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ମାଲାବାହୀ ଟ୍ରକ । ଆଉ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୬ଜଣଙ୍କ ଜୀବନ । ଝିଅର ବାହାଘର ପ୍ରସ୍ତାବ ନିମନ୍ତେ ପୁଅ ଘରକୁ ଯାଇ ଫେରୁଥିବା ବେଳେ ରାସ୍ତାରେ ଯେମିତି ଜଗି ବସିଥିଲା ଯମ । ଏକା ଥରକେ ନେଇଗଲା ୬ଜଣଙ୍କ ଜୀବନ । ଆଉ ୪ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ପାର୍ବତୀପୁରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏପରି ଦୁଃଖଦ ଘଟଣା ଘଟିଛି ରାୟଗଡା ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ମାଣ୍ୟମ ଜିଲ୍ଲା ପାର୍ବତୀପୁରମ ଅଧିନସ୍ଥ କୋମରଡା ମଣ୍ଡଳମର ଆଣ୍ଟିଭାଲସା ଗ୍ରାମରେ । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଥିବା ବେଳେ ୨ଜଣ ପୁରୁଷ ରହିଛନ୍ତି । ମୃତକମାନେ ହେଲେ ମେଲାକା ଅମ୍ମୁଡୁମା, ହୁଇକା ଲକ୍ଷ୍ମୀ, ହୁଇକା ନରସମା, ମେଲାକା ଭେଙ୍କେଟ ଏବଂ ମେଲାକା ସାରଦା । ଆଉ ୪ଜଣ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖବର ଲେଖା ସୁଦ୍ଧା ତାଙ୍କ ପରିଚୟ ମିଳିପାରିନାହିଁ ।

ମିଳିଥିବା ସୂଚନା ପ୍ରକାରେ ଆଜି ଆଣ୍ଟିବାଲାସା ଗ୍ରାମର ଏକ ପରିବାର ନିଜ ସଂପର୍କୀୟଙ୍କୁ ମିଶାଇ ୧୦ଜଣଙ୍କୁ ନେଇ ଏକ ଅଟୋରିକ୍ସା ଯୋଗେ ତୁମୁଲାବାଲସା ଗ୍ରାମକୁ ବିବାହ ପ୍ରସ୍ତାବ ନେଇ ଆସିଥିଲେ । ସମସ୍ତ କାର୍ଯ୍ୟ ଶେଷ ହେବା ପରେ ପୁଣି ଅଟୋରିକ୍ସାରେ ଫେରୁଥିବା ବେଳେ ପାର୍ବତୀପୁରମ ଥାନା ଅନ୍ତର୍ଗତ ଚଉଲାପଦମ ଗ୍ରାମ ନିକଟସ୍ଥ ଶିବ ମନ୍ଦିର ଛକ ନିକଟରେ ପାର୍ବତୀପୁରମରୁ ରାୟଗଡା ଅଭିମୁଖେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ଅଟୋରିକ୍ସାଟିକୁ ମୁହାମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ରାସ୍ତା ଉପରେ ଛିଟିକି ପଡିଥିବା ଅନ୍ୟ ୪ଜଣଙ୍କୁ ସ୍ଥାନୀୟ ଲୋକେ ଓ କୋମରଡା ଥାନା ପୋଲିସ ପଂହଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଖବରପାଇ ଘଟଣାସ୍ଥଳରେ ପାର୍ବତୀପୁରମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭି .ବିଦ୍ୟାସାଗର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.