ଯେ କେହି ଦେଖିଲା ହତ୍ବାକ୍ ହୋଇଗଲା । ଆଉ ଦୃଶ୍ୟଟି ବି ଥିଲା ଏମିତି ହତ୍ବାକ୍ କରିଦେଲା ଭଳି ଘଟଣା । ଏକ ଜିଅନ୍ତା ସାପକୁ ହାତରେ ଧରିଛି ଛୋଟ ପିଲାଟିଏ । ସାପ ତାକୁ ଆକ୍ରମଣ କରିବ କିମ୍ବା ଆତ୍ମରକ୍ଷା ପାଇଁ ଚେଷ୍ଟା କରିବ ସେସବୁ ବାବଦରେ ପିଲାଟିର ଖାତିର ନାହିଁ । ଯେମିତି ହାତରେ ତାର ରଶିଟିଏ ଲାଗିଛି । ସେଭଳି ତା ସାଙ୍ଗରେ ଖେଳିଚାଲିଛି ପିଲାଟି । ଏହା ଏକ ମନ୍ଦିର ବେଢା ଭିତରର ଘଟଣା । ସବୁଠୁ ମଜା କଥା ହେଲା ପିଲାଟିର ଏଭଳି ସାପ ସହ ଖେଳକୁ ଦେଖିବାକୁ ଲୋକମାନେ ସାହସ କରିପାରୁ ନ ଥିଲେ । ବରଂ ଆତ୍ମରକ୍ଷା ପାଇଁ ଦୌଡ଼ିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ହିଟ୍ କରୁଛି । ତେବେ ନିର୍ଦ୍ଧିଷ୍ଟ ଭାବେ ଏହା କେଉଁ ଅଞ୍ଚଳର ଭିଡ଼ିଓ ଓ କେଉଁ ପରିସ୍ଥିତିରେ ପିଲାଟି ଏଭଳି ସାପକୁ ଦଉଡି ପରି ଟାଣି ଟାଣି ମନ୍ଦିର ଭିତରେ ଖେଳୁଛି, ତାହା ସ୍ପଷ୍ଟ ହୋଇନାହିଁ । ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିତରୁ ଦୂରରୁ ଛିଡ଼ା ହୋଇ କିଛି ଏହାର ମଜା ନେଉଥିବା ବେଳେ ବିପଦ ଭୟରେ କିଛି ଭକ୍ତ ଏଣେତେଣ ଦୌଡ଼ିଥିବା ଦେଖିବାକୁ ମିଳିଛି । ଭିଡ଼ିଓରେ ଏକଥା ଦେଖିବାକୁ ମିଳିଛି ଯେ, ବିନା ଭୟରେ ଛୋଟ ପିଲାଟି ସାହସର ସହିତ ସାପର ଲାଞ୍ଜ ଧରି ବୁଲୁଛି । ସତେ ଯେପରି ଏହା ଏକ ଦଉଡି କିମ୍ବା ଖେଳନା । ସାପଟି ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରୁନାହିଁ । ଯେତେବେଳେ ପିଲାଟି ସାପର ଲାଞ୍ଜ ଧରି ମନ୍ଦିର ଭିତରକୁ ପ୍ରବେଶ କଲା, ପୂଜାରେ ବ୍ୟସ୍ତ ଥିବା ଶ୍ରଦ୍ଧାଳୁଙ୍କ ଅବସ୍ଥା ବିଗିଡିଯାଇଥିଲା । ଅନେକ ମତ ରଖିଛନ୍ତି ଯେ, ବିଭିନ୍ନ ପ୍ରଜାତିର ବିଷହୀନ ସାପଗୁଡ଼ିକ ଭିତରୁ ଏହା ଗୋଟିଏ ହୋଇଥାଇପାରେ । ସେହି କାରଣରୁ ହୁଏତ ଶିଶୁଟିକୁ ସାପ ଆକ୍ରମଣ କରୁନାହିଁ । କେହି କେହି କହିଛନ୍ତି ପିଲାଟି ମହାଦେବଙ୍କର ଜଣେ ଭକ୍ତ ।