ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ… ମଲ୍ଲିକାର୍ଜୁନ ଖଡଗେ ଦେଲେ ବଡ଼ ଇସାରା

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: କଂଗ୍ରେସ ଦୁର୍ବଳ ହୋଇଯାଇଛି…। ଅନ୍ୟପଟେ ଅଣ ବିଜେପି-ଅଣ କଂଗ୍ରେସ ଦଳ ଏକାଠି ହୋଇ ତୃତୀୟ ସାମ୍ମୁଖ୍ୟ ପାଇଁ ଅଣ୍ଟା ଭିଡିଲେଣି। ହେଲେ ବିନା କଂଗ୍ରେସରେ ବିଜେପି ଭଳି ଦଳକୁ ତୃତୀୟ ସାମ୍ମୁଖ୍ୟ ଟକ୍କର ଦେବା ବି ମୁସକିଲ। ସେପଟେ କଂଗ୍ରେସ ବିରୋଧୀ ଦଳର ନେୃତ୍ବ ନେଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଫିଡକି ଯିବାର ସମ୍ବାବନା ରହିଛି। ଏପରି ରାଜନୈତିକ ସମୀକରଣ ଭିତରେ ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧରେ ଯଦି ବି ବିରୋଧୀ ଏକାଠି ହୁଅନ୍ତି ତାହେଲେ କିଏ ନେତୃତ୍ବ ନେବେ? ଏହି ଚର୍ଚ୍ଚା ଭିତରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବଡ ବୟାନ ଦେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଏକାଠି ହେବାକୁ ରଣନୀତି ତିଆରି କରୁଛନ୍ତି। ଚେନ୍ନାଇରେ ଶାସକ ଦଳ ଡିଏମକେର ନେତା ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଜନ୍ମଦିନରେ ଏକ ବିଶାଳ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ କଂଗ୍ରେସ ସମେତ ଆରଜେଡି, ସମାଜବାଦୀ ପାର୍ଟି ସମେତ ଅନ୍ୟ ବିଜେପି ବିରୋଧୀ ଦଳର ବହୁ ନେତା ଏଥିରେ ଯୋଗଦେଇଥିଲେ। ଏହି ସମୟରେ କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ ୨୦୨୪ ଲୋକସଭା ନିର୍ବାଚନରେ ​​ବିରୋଧୀ ଏକାଠି ହେବା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ମିଳିତ ବିରୋଧୀ ଦଳରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ସେନେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ମୁଁ କେବେ କହି ନଥିଲି କିଏ ନେତୃତ୍ୱ ନେବେ? ସେ ଆହୁରି କହିଛନ୍ତି, ସମାନ-ବିରୋଧୀ ଦଳଗୁଡ଼ିକ ବିଭାଜନକାରୀ ଶକ୍ତି ବିରୋଧରେ ଏକାଠି ହେବା ଉଚିତ। କିଏ ନେତୃତ୍ୱ ନେବେ କିମ୍ବା କିଏ ପ୍ରଧାନମନ୍ତ୍ରୀ ହେବେ ତାହା ଏବେ ପ୍ରଶ୍ନ ନୁହେଁ। ଆମେ ମିଳିତ ଭାବେ ମୁକାବିଲା କରିବାକୁ ଚାହୁଁଛୁ। ଏହା କଂଗ୍ରେସର ଇଚ୍ଛା। କହିରଖୁଛି ଏହାପୂର୍ବରୁ ୨୦୧୯ ନିର୍ବାଚନ ବେଳେ କଂଗ୍ରେସ ସ୍ପଷ୍ଟ କରି ଦେଇଥିଲା ଯେ ସେ ମିଳିତମେଣ୍ଟର ନେତୃତ୍ୱ ନେବାକୁ ଚାହୁଁଛି। ତେଣେ ଏବେ ଖଡ଼ଗେଙ୍କ ଏହି ବୟାନ ସ୍ପଷ୍ଟ କରୁଛି ବିରୋଧୀ ଏକାଠି ହୋଇ ପ୍ରଥମେ ବିଜେପି ବିରୋଧରେ ନିର୍ବାଚନ ଲଢିବାର ଆବଶ୍ୟକତା ରହିଛି। ଆବଶ୍ୟକ ପଡ଼ିଲେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ କିଛି ସର୍ତ୍ତ ମାନିପାରେ। ଏହାପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ କଂଗ୍ରେସକୁ ବିରୋଧୀ ମେଣ୍ଟରେ ସାମିଲ ହେବାରି ଆହ୍ୱାନ କରିଥିଲେ। ସେହିପରି ନ୍ୟାଶନାଲ କନଫରେନସର ନେତା ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଯେତେବେଳେ ଆମେ ସମସ୍ତେ ଏକଜୁଟ ହୋଇ ଜିତିବା, ସେତେବେଳେ ସ୍ଥିର ହେବ ଯେ ଏହି ଦେଶର ନେତୃତ୍ୱ ନେବା ପାଇଁ ସର୍ବୋତ୍ତମ ବ୍ୟକ୍ତି କିଏ ହେବେ? ଏମ.କେ ଷ୍ଟାଲିନ ବି ଆବଶ୍ୟକ ପଡ଼ିଲେ ବିରୋଧୀ ଦଳର ନେତା ହୋଇପାରିବେ ବୋଲି ସେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.