ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ବୈଦ୍ୟରାଜ ପବିତ୍ର ଶବର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆୟୁର୍ବେଦ ଗବେଷଣା ଓ ରୋଗୀସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ‘ଆଦିବାସୀ ପ୍ରତିଭା’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଟୋଲବ୍ରାହ୍ମଣୀର ବିଶିଷ୍ଟ ବୈଦ୍ୟରାଜ ପବିତ୍ର ଶବର। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ୧୮ଜଣ ଜନଜାତି ବ୍ୟକ୍ତି ବିଶେଷଙ୍କୁ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଆଦିବାସୀ ମେଳାରେ ‘ଆଦିବାସୀ ପ୍ରତିଭା’ ସମ୍ମାନରେ ସମ୍ମାନୀତ କରାଯାଇଛି। ଏଥିରେ ବୈଦ୍ୟରାଜ ପବିତ୍ର ଶବରଙ୍କ ସମେତ କଳାହାଣ୍ଡି ଜିଲ୍ଲାର ୫ଜଣ ସମ୍ବର୍ଦ୍ଧିତ ହୋଇଛନ୍ତି। ଓଡିଶା ସରକାରଙ୍କ ଆଦିବାସୀ ବିଭାଗ ତରଫରୁ ୧୦ଦିନ ଧରି ଭୁବନେଶ୍ୱରର ଆଦିବାସୀ ପଡିଆରେ ଚାଲିଥିବା ଏହି ମେଳାର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଆୟୁର୍ବେଦ ବିଶାରଦ ପବିତ୍ର ଶବରଙ୍କୁ ଉପଢୌକନ, ମାନପତ୍ର ସହ ଅର୍ଥ ରାଶି ପ୍ରଦାନ କରି ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନୀତ କରିଥିଲେ। ଏଥିରେ ଆଦିବାସୀ କଲ୍ୟାଣ ସଚିବ, ଉପ ସଚିବ, ବିଭାଗୀୟ ନିର୍ଦେଶକ ଓ ବିଭାଗୀୟ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ ମଧ୍ୟ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ଗ୍ରାମର ଆୟୁର୍ବେଦ ଚିକିତ୍ସକ ଶ୍ରୀ ଶବର ୩୫ ବର୍ଷ ହେଲା ବଣରୁ ଚେରିମୂଳୀ ସଂଗ୍ରହ କରି ବିଭିନ୍ନ ଅସାଧ୍ୟ ରୋଗ ପାଇଁ ଔଷଧ ପ୍ରସ୍ତୁତ କରିଥାନ୍ତି। ପ୍ରାଚୀନ ଆୟୁର୍ବେଦିକ ପଦ୍ଧତିରେ ତାଙ୍କ ଦ୍ବାରା ପ୍ରସ୍ତୁତ ଜୀବନ ରକ୍ଷାକାରୀ ଏହି ମହୋଷଧି ସେବନ କରି ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର ହଜାର ହଜାର ରୋଗୀ ଆରୋଗ୍ୟ ହୋଇଛନ୍ତି। ସକାଳୁ ସଞ୍ଜ ଯାଏଁ ରୋଗୀସେବା ପାଇଁ ସମର୍ପିତ ବୈଦ୍ୟରାଜ ପବିତ୍ର ଶବର ଦୁଃଖିରଙ୍କିଙ୍କ ସମେତ ଅନେକ ଅନୁଷ୍ଠାନକୁ ଆକୁଣ୍ଠ ଚିତ୍ତରେ ସାହାଯ୍ୟ ସହଯୋଗ କରିଥାନ୍ତି। ଏହାସହ ସେ ‘ଶିଦ୍ଧ ରତ୍ନ କୁଟିର ମହିମା ଆଶ୍ରମ’ ନିର୍ମାଣକରି ସତ୍ୟ ସନାତନ ମହିମା ଧର୍ମର ପ୍ରଚାର ପ୍ରସାର ଦିଗରେ ବ୍ରତି ରହିଛନ୍ତି। ତାଙ୍କ ଉଦ୍ୟୋଗରେ ପ୍ରତିବର୍ଷ ଟୋଲବ୍ରାହ୍ମଣୀ ଗ୍ରାମରେ ମହିମା ମେଳା ଆୟୋଜିତ ହୋଇଥାଏ। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସାଧୁସନ୍ଥ ଓ ଭକ୍ତମାନେ ଯୋଗ ଦେଇଥାନ୍ତି। ବୈଦ୍ୟରାଜ ପବିତ୍ର ଶବର ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିବାରୁ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, କଳାହାଣ୍ଡି ଜିଲ୍ଲା ଆଦିସ୍କନ୍ଧ ସମାଜ ସଭାପତି ସୁରେଶ ଚନ୍ଦ୍ର ଭୋଇ, ଆଦିବାସୀ ନେତୃତ୍ବ ଚନ୍ଦ୍ରଶେଖର ଶବର, କନ୍ଧାନ କବି କ୍ଷିତୀଶ ଚନ୍ଦ୍ର ମାଝୀ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ମାୟାଧର ଛତ୍ରିଆ, ଜଗତରାମ ଶବର, ମାୟାଧର ଶବରଙ୍କ ସମେତ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.