ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନୀଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ନିଆଁର ଆଁରେ ଜଳିଯାଉଛି ହେକ୍ଟର ହେକ୍ଟର ଜଙ୍ଗଲ । ପୋଡ଼ିଜଳି ପାଉଁଶ ହୋଇଯାଉଛି ଲକ୍ଷ ଲକ୍ଷ ମୂଲ୍ୟବାନ ଗଛଲତା । ଏହାସାଙ୍ଗକୁ ବହୁ ସଂଖ୍ୟାରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ବିପଦରେ ପଡିଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବନ ବିଭାଗର ବଡ଼ବଡିଆ ଅଧିକାରୀ ଓ ବଡ଼ବାବୁ । ଏହିପରି ଭାବେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ଗୋଟିକ ପରେ ଗୋଟିଏ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଥିବାବେଳେ ହାତଗଣତି କିଛି କର୍ମଚାରୀଙ୍କୁ ନେଇ ବନ ବିଭାଗର ତଳତଳିଆ ଓ ଅସ୍ଥାୟୀ କର୍ମଚାରୀ ଲହୁଲୁହାଣ ହେଉଛନ୍ତି । ଏଇ ସମୟରେ ବଡ଼ବଡ଼ିଆ ବାବୁମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଜଙ୍ଗଲ ସୁରକ୍ଷାର ଚିନ୍ତା କରୁଛନ୍ତି । ଏହିପରି ଭାବେ ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବିଶ୍ଵନାଥପୁର ବନାଞ୍ଚଳ ଅଧିନରେ ଥିବା ମୁଷାନାଳ ସେକ୍ସନ ନିକଟରେ ଥିବା ପାତର ଜଙ୍ଗଲ ରେତନଦୀ କୂଳରେ ବନ ବିଭାଗ ଦ୍ବାରା ୨୦୨୦-୨୧ ମସିହାରେ ପ୍ରାୟ ୭ ଏକର ଜମିରେ ୧୦ ହଜାର ଗଛ ଲଗାଯାଇଥିବାବେଳେ ଏଥିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ ନଷ୍ଟ ହୋଇଯାଇଥିଲା । ଏହାପରେ ଗୋଟିଏ ସପ୍ତାହ ମଧ୍ୟରେ ସେହି ସେକ୍ସନର ପଦ୍ମଥପା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ଔଷଧୀୟ ଓ ମୂଲ୍ୟବାନ ଗଛ ଜଳି ପୋଡ଼ି ନଷ୍ଟ ହୋଇଥିଲା । ସେହିପରି ବିଶ୍ଵନାଥପୁର ସେକ୍ସନ ବକଟପୁର ସ୍ଥିତ ମାଁ ହୀରାନୀଳା ଜଙ୍ଗଲରେ ନିଆଁ ଲାଗି ବହୁତ ଗଛ କ୍ଷୟକ୍ଷତି ହୋଇଥିଲା । ଏପରିକି ଶୁକ୍ରବାର ରାତିରେ ସିକେରକୁପା ସେକ୍ସନ କିଡିଙ୍ଗ ବିଟ୍ କାଉଗୁଡା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବା ଦେଖିବାକୁ ମିଳିଛି । ଶନିବାର ସନ୍ଧ୍ୟାରେ ପୋଖରୀବନ୍ଧ ନିକଟସ୍ଥ ବରାଘାଟି ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଙ୍ଗଲ ନିଆଁ ଏବେ ଜନସାଧାରଣଙ୍କ ଚିନ୍ତାର କାରଣ ପାଲଟିଛି । ଗୋଟିଏ ପଟେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ନିଆଁ ଝାସରେ ସ୍ଥାନୀୟ ଅଞ୍ଚଳବାସୀ ହନ୍ତସନ୍ତ ହେଉଥିବା ବେଳେ ବନବିଭାଗ ଚୁପ ବସିଥିବା ଭଳି ମନେ ହେଉଛି । ନିଆଁ ଲିଭାଇବାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି ବୋଲି ଅଧିକାରୀମାନେ କହି ବୁଲୁଥିବାବେଳେ ବାସ୍ତବରେ କିନ୍ତୁ ନିଆଁ ଲିଭାଇବାକୁ ପ୍ରୟାସ କରାଯାଉନଥିବା ଅଭିଯୋଗ ହୋଇଛି । ଏପରିକି ଜଙ୍ଗଲ ନିଆଁ ରୋକିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଉଥିବାବେଳେ ସେସବୁ ରାଧେ ରାଧେ ତୋର ଅଧେକୁ ମୋର ଅଧେ ହେଉଥିବା ଅଭିଯୋଗ ହେଉଛି । ସୀମିତ ସଂଖ୍ୟକ ଲୋକବଳ ଓ ଲୋକଦେଖାଣିଆ ସଚେତନତା ଯୋଗୁଁ ଜଙ୍ଗଲ ରକ୍ଷା ପାଇବା ତ ଦୂରର କଥା ଓଲଟା ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଓ ଦାୟିତ୍ବହୀନତା ଯୋଗୁଁ ଜଙ୍ଗଲ ସଂପଦ ସଂକଟାପନ୍ନ ହୋଇପଡ଼ିଛି । ଏଣୁ ବନ ବିଭାଗର ଏଇ ଦାୟିତ୍ବହୀନ ଅଧିକାରୀ ଓ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ପରିବେଶବିତ୍ ମହଲରେ ଦାବି ହେଉଛି ।