ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ନର୍ଲାରେ ପ୍ରଥମେ ରେଳ ୱାଗନ କାରଖାନା ଓ ପରେ ଲୋକୋମୋଟିଭ ୱାର୍କସପ୍ ପ୍ରତିଷ୍ଠା ଘୋଷଣା ଇତିମଧ୍ୟରେ ୧୩ ବର୍ଷ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ ରେଳ ୱାଗନ୍ କାରଖାନା ନର୍ଲା ବଦଳରେ ଗଞ୍ଜାମ ଜିଲ୍ଲାର ସୀତାପଲ୍ଲୀକୁ ସ୍ଥାନାନ୍ତରିତ ହୋଇଥିବାବେଳେ ନର୍ଲାରେ ରେଳ ଲୋକୋମୋଟିଭ୍ ୱାର୍କସପ ସ୍ଥାପନ ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ମଧ୍ୟ ୧୩ ବର୍ଷ ବିତିସାରିଛି । ଏଇ ୧୩ ବର୍ଷ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ରେଳ ବଜେଟରେ ମାତ୍ର ୭ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ସେହିପରି ପ୍ରସ୍ତାବିତ ଚପଟଖଣ୍ଡା ଓ ଲମଟି ଡଙ୍ଗର ଆଖପାଖ ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଶେଷ ହୋଇପାରିନାହିଁ । ଜିଲ୍ଲାବାସୀଙ୍କ ବହୁଦିନର ସ୍ୱପ୍ନ ପୂରଣ ହୋଇ ପାରୁନଥିବାବେଳେ ଏହାକୁ ନେଇ ଲୋକେ ନିରାଶ ହୋଇଯାଇଛନ୍ତି । ତେବେ କଳାହାଣ୍ଡି ଜିଲ୍ଲା ତଥା ନର୍ଲା ଅଞ୍ଚଳରେ ରାଜନୀତି କରୁଥିବା ଓ ରାଜନୀତି ମଇଦାନକୁ ଓହ୍ଲାଇବାକୁ ପାଗ ଭିଡୁଥିବା ବ୍ୟକ୍ତିବିଶେଷ ପାଇଁ ଏହା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏହି ପରିପ୍ରେକ୍ଷୀରେ ରାଜନେତା, ଜନ ପ୍ରତିନିଧି ଓ ବୁଦ୍ଧିଜୀବୀ ବର୍ଗ ଅସମ୍ଭବ ଭାବେ ନିରବ ରହିବା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି । ତେବେ ଏହିପରି ସମୟରେ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା ସହିତ ସମାଜସେବା ଜାରି ରଖିଥିବା ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଜିଲ୍ଲାବାସୀଙ୍କ ଏହି ଦାବି ଉପସ୍ଥାପନ କରିଛନ୍ତି । ନର୍ଲାରେ ରେଳ ଲୋକୋମୋଟିଭ ୱାର୍କସପ୍ ସ୍ଥାପନ ଜିଲ୍ଲାବାସୀଙ୍କ ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ଶ୍ରୀ ବାଗଙ୍କ ଚିଠି ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ପ୍ରକଳ୍ପ ସ୍ଥାପନ ଦିଗରେ ଆନ୍ତରିକତାର ସହିତ ପଦକ୍ଷେପ ନେବା, ଆର୍ଥିକ ଅନୁଦାନ ଯୋଗାଇଦେବା ଓ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୂଚନାଯୋଗ୍ୟ, ଶ୍ରୀ ବାଗ ବିଭିନ୍ନ ସମୟରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସମସ୍ୟା ସଂପର୍କରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ପତ୍ର ଓ ସାମାଜିକ ଗଣମାଧ୍ୟମ ଟ୍ୱିଟର ଜରିଆରେ ଦୃଷ୍ଟି ଆକର୍ଷଣ କରୁଥିବାବେଳେ ନର୍ଲା ଲୋକୋମୋଟିଭ ୱାର୍କସପ୍ ସଂପର୍କିତ ଚିଠି ଲେଖିବା ପରେ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି । ପୂର୍ବରୁ ଗତ ୨୦୧୦ରୁ ତତ୍କାଳୀନ ରେଳମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ପ୍ରସ୍ତାବିତ ନର୍ଲା ରେଳ ୱାଗନ କାରଖାନା ସଂପର୍କିତ ଘୋଷଣା ଓ ସୀତାପାଲୀକୁ ସ୍ଥାନାନ୍ତର ନେଇ ସେ ଏକାଧିକ ବାର କେନ୍ଦ୍ର ରେଳ ମନ୍ତ୍ରଣାଳୟକୁ ଚିଠି ଲେଖିଥିବାବେଳେ ବିଭିନ୍ନ ଖବରକାଗଜର ସଂପାଦକୀୟ ପୃଷ୍ଠାରେ ଏନେଇ ଆଲେଖ୍ୟ ଲେଖିବା ସହିତ ଏ ଦିଗରେ ସରକାର, ପ୍ରଶାସନ ଓ ଜିଲ୍ଲାବାସୀଙ୍କ ଧ୍ୟାନକେନ୍ଦ୍ରିତ କରିବାକୁ ଉଦ୍ୟମ କରି ଆସୁଛନ୍ତି । ସେ ଲେଖିଥିବା ଚିଠି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଜିଲ୍ଲାରେ ଏହା ଚର୍ଚ୍ଚାର ଖୋରାକ୍ ସୃଷ୍ଟି କରିଛି ।