ଓଡ଼ିଆ ବାର୍ତ୍ତା/ ଫରୁଖାବାଦ: ‘ଆଜକୁ ୨୨ ବର୍ଷ ହୋଇଗଲା । ହୋଲି ଅବସରରେ ମୋ ସ୍ତ୍ରୀ ତା ବାପଘରକୁ ଯାଇନାହିଁ । ସେଥିପାଇଁ ମୋ ଉପରେ ରାଗିଛି, ମୋତେ ଛୁଟି ଦେଲେ ପତ୍ନୀଙ୍କୁ ନେଇକି ଯିବି’ । ନିଜ ଅଧିକାରୀଙ୍କୁ ଏଭଳି ଚିଠି ଖଣ୍ଡେ ଲେଖିଛନ୍ତି ପୋଲିସ ଇନ୍ସପେକ୍ଟର । ଆଉ ଏହି ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉତ୍ତରପ୍ରଦେଶର ଫରୁଖାବାଦ ଜିଲ୍ଲାର ଜଣେ ପୋଲିସ ଇନ୍ସପେକ୍ଟରଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି । ହୋଲି ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଅତ୍ୟନ୍ତ ସଜାଗ ରହିଛି। ଏହି କାରଣରୁ ଅଧିକାଂଶ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି, କିନ୍ତୁ ପୋଲିସ ବିଭାଗର ଜଣେ ଇନ୍ସପେକ୍ଟର ତାଙ୍କ ସମସ୍ୟା ଦର୍ଶାଇ ଅଧିକାରୀଙ୍କୁ ଦଶ ଦିନ ଛୁଟି ମାଗିଥିଲେ। ଏହା ପରେ ପୋଲିସ ଅଧୀକ୍ଷକ ଇନ୍ସପେକ୍ଟରଙ୍କୁ ୫ଦିନ ଛୁଟି ଦେଇଛନ୍ତି।ପୋଲିସ୍ ବିଟ୍ ଏବଂ ସ୍ପେଶାଲ୍ ତଦନ୍ତ ସେଲର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଅଶୋକ କୁମାର ଚିଠିରେ ଲେଖିଛନ୍ତି ଯେ “ବିବାହର ୨୨ ବର୍ଷ ମଧ୍ୟରେ ମୋ ପତ୍ନୀ ତାଙ୍କ ବାପଘରକୁ ଯାଇପାରିନାହାଁନ୍ତି । ମୋତେ ଛୁଟି ମିଳୁନଥିବାରୁ ତାଙ୍କୁ ତାଙ୍କ ବାପଘରକୁ ନେଇ ଯାଇପାରୁନାହିଁ । ଏହି କାରଣରୁ ସେ ମୋ ଉପରେ ଅଭିମାନ କରିଛନ୍ତି । ହୋଲି ଅବସରରେ ସେ ଓ ମୁଁ ତାଙ୍କ ବାପଘରକୁ ଯାଇ କିଛି ଦିନ ରହିବାକୁ ଜିଦ୍ ଧରିଛନ୍ତି। ଏହି କାରଣରୁ, ନମ୍ରତା ପୂର୍ବକ ଅନୁରୋଧ କରୁଛି ଯେ ମୋତେ ୧୦ ଦିନ ଛୁଟି ଦିଆଯାଉ’ । ଯେତେବେଳେ ଏହି ଦରଖାସ୍ତ ପୋଲିସ ଅଧୀକ୍ଷକ ଅଶୋକ କୁମାର ମୀନାଙ୍କ ନିକଟରେ ପହଞ୍ଚିଲା ସେତେବେଳେ ସେ ଏହି ଚିଠି ପଢିବା ପରେ ହସିଥିଲେ। ପରେ ସେ ପାଞ୍ଚ ଦିନ ଛୁଟି ଅନୁମୋଦନ କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ଏହି ଚିଠି ଭାଇରାଲ ହେବାରେ ଲାଗିଛି।