ପିଏମଓର ବରିଷ୍ଠ ଅଧିକାରୀ କହି କାଶ୍ମୀରରେ ବୁଲିଲେ, Z+ ସୁରକ୍ଷା ପାଇଲେ, ଶେଷରେ ଧରାପଡିଲେ

ଓଡ଼ିଆ ବାର୍ତ୍ତା/ ଶ୍ରୀନଗର:  ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ବୋଲି କହୁଥିଲେ । ଏହି ନାଁରେ  ବେଶ କିଛି ଦିନ ସରକାରୀ ସୁବିଧା ସୁଯୋଗ ପାଇଲେ ।  Z+ ସିକ୍ୟୁରିଟିର ବି ପାଇଲେ । ଶେଷରେ ଧରାପଡି ମାମୁ ଘରକୁ ଗଲେ ଠକ  କିରଣଭାଇ ପଟେଲ । ତେବେ ୧୦ ଦିନ ତଳୁ ପୋଲିସ ତାଙ୍କୁ ଗିରଫ କରିଥିଲେ ହେଁ ମାମଲାକୁ ଲୁଚାଇ ରଖିଥିଲା । ଗୁରୁବାର କୋର୍ଟ ତାଙ୍କୁ ଜୁଡିସିଆଲ୍ କଷ୍ଟଡିକୁ ପଠାଇବା ପରେ ଏହି ମାମଲା ଏବେ ଚର୍ଚ୍ଚାରେ। ଗୁଜରାଟର କିରଣ ଭାଇ ପଟେଲ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା କହି ସରକାରଙ୍କୁ ଚକମା ଦେଉଥିଲେ ।  ପ୍ରଥମେ ସେ  ଫେବୃଆରୀ ମାସରେ କାଶ୍ମୀର ଗସ୍ତ କରି ସେଠାରେ ଷ୍ଟାର ହୋଟେଲରେ ରହିଥିଲେ । ଏଥି ସହ ଅନ୍ୟ ସବୁସୁବିଧା ମଧ୍ୟ ପାଇଥିଲେ । ଯାହାର ଭିଡିଓ ବି ସୋଲିଆଲ ମିଡିଆରେ ସେୟାର କରିଥିଲେ କିରଣଭାଇ। ସୁରକ୍ଷାକର୍ମୀଙ୍କ ଗହଣରେ କେତେବେଳେ ବୁଦ୍ଧଗାମୀର ବରଫ ଆଚ୍ଛାଦିତ ଅଞ୍ଚଳ ତ କେତେବେଳେ ଶ୍ରୀନଗରର କ୍ଲକ୍ ଟାୱାର୍ ଲାଲ ଛକ୍ ସାମ୍ନାରେ  ପୋଜ ଦେଇ ଫଟୋ ଉଠାଉଥିଲେ କିରଣଭାଇ  । ଏପରିକି  ଏହାକୁ ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ କରିଥଲେ ।  କଥା ସେତିକିରେ ସରି ନ ଥିଲା ।  କିଛି ସରକାରୀ ବୈଠକରେ ମଧ୍ୟ ନିଜକୁ ସାମିଲ କରିଥିବା ଜଣାଯାଇଛି ।  ହେଲେ କୌଣସି ସ୍ଥାନରେ କେହି ତାଙ୍କୁ ସନ୍ଦେହ କରି ନ ଥିଲେ । ପ୍ରଥମ ଥର ଧରା ନପଡିବାରୁ ବୋଧହୁଏ ବେଶି ଉତ୍ସାହିତ ହୋଇ ପଡିଥିଲେ କିରଣ ଭାଇ ।  ଠିକ୍‌ ୨ ସପ୍ତାହ ପରେ ପୁଣି ଥରେ   କଶ୍ମୀର ଗସ୍ତରେ ଯାଇଥିଲେ । ହେଲେ ଏଥର କିନ୍ତୁ ଏହା ତାଙ୍କ ପାଇଁ ବୁମେରାଂ ହୋଇଥିଲା । ବାରମ୍ବାର ସମାନ ସ୍ଥାନକୁ ଆସିବାରୁ  ପୋଲିସ୍‌ର ସନ୍ଦେହଘେରକୁ ଆସିଥିଲେ ।  ଗୁଇନ୍ଦା ବିଭାଗ ତାଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତରୁ ଜଣା ପଡିଥିଲା କିରଣଭାଇ ପଟେଲଙ୍କର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ କିଛି ସମ୍ପର୍କ ନାହିଁ କି ସେ କୌଣସି ସରକାରୀ ପଦପଦବୀରେ ନାହାନ୍ତି । ଏହାପରେ ପୋଲିସ ତାଙ୍କୁ ହୋଟେଲରୁ ଗିରଫ କରିଥିଲା। ବଡ଼ କଥା ହେଲା ଜାମୁ କାଶ୍ମୀର ପରି ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି କିପରି ଏହି ଠକ ଏକାଧିକ ବାର ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅତିରିକ୍ତ ନିର୍ଦ୍ଦେଶକ ଦେଇ ବେଧଡକ ବୁଲୁଥିଲେ  ତାହା ଏବେ ସେଠାକାର ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଛିଡ଼ା କରିଛି । ଅନ୍ୟପକ୍ଷେ ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୨ଜଣ ସୁରକ୍ଷା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.