ହରଡ଼ ଘଣାରେ ରୁପ୍ରା ଆରକେ ସକୁନ୍ତଳା ଏକାଡେମୀର ମାଲିକ; ମାଟ୍ରିକ ପରିକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ହୋଇଛନ୍ତି ଛନ୍ଦି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାଠାରେ ଖୋଲିଥିବା ଘରୋଇ ଶିକ୍ଷାନୁଷ୍ଠାନ ଆରକେ ସକୁନ୍ତଳା ଏକାଡେମୀର ମାଲିକ ପ୍ରାଣବନ୍ଧୁ ସାହୁ ହରଡ଼ ଘଣାରେ ପଡ଼ି ଯାଇଛନ୍ତି। ବର୍ତ୍ତମାନ ଚାଲୁଥିବା ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ଆରକେ ଶକୁନ୍ତଳା ଏକାଡେମୀର ମାଲିକ ପ୍ରାଣବନ୍ଧୁ ସାହୁ ଓ ତାଙ୍କପୁଅ ରୋଶନ ସାହୁଙ୍କ ସମେତ ଏକାଡେମୀର ୩ଜଣ ଶିକ୍ଷକ ଓ ରୁପ୍ରା ସରକାରୀ ମଧ୍ୟଇଂରାଜୀ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ରାତି ଅଧିଆ ଉଠେଇ ନେଇଛି କେସିଙ୍ଗା ପୋଲିସ। ପ୍ରାପ୍ତ ସୂଚନା ଆଧାରରେ, କେସିଙ୍ଗା ବ୍ଳକର କେତେକ ପରୀକ୍ଷା କେନ୍ଦ୍ର ବାହାରେ ପ୍ରଶ୍ନପତ୍ର ପ୍ରଘଟ ହେଉଥିବା ପ୍ରଶାସନିର ନଜରକୁ ଆସିଥିଲା। ଆରକେ ଶକୁନ୍ତଳା ଏକାଡେମୀ ପରି ଘରୋଇ ଶିକ୍ଷାନୁଷ୍ଠାନ ନିଜ ପିଲାଙ୍କୁ ଅଧିକ ନମ୍ବର ରଖାଇବା ଚକ୍କରରେ ଅସାଧୁ ଉପାୟ ଅବଲମ୍ବନ କରୁଥିଲେ। ଏଥିରେ ଅନେକ ଲୋକ ସଂପୃକ୍ତ ଥିବା ଆଲୋଚନା ହେଉଛି। ତେଣୁ କେନ୍ଦ୍ର ଭିତରକୁ ପଶିବା ପୂର୍ବରୁ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଜାଣିପାରୁଥିଲେ। ଗତ ମଙ୍ଗଳବାର ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର କେସିଙ୍ଗା ଥାନା ଅଞ୍ଚଳର ଏକ ପରୀକ୍ଷାକେନ୍ଦ୍ରକୁ ଯାଇଥିବା ବେଳେ ସେଠାରେ ଜଣଙ୍କ ଠାରୁ ମୋବାଇଲ ଫୋନ ଜବତ କରି ପୁଲିସକୁ ଦେଇଥିଲେ। ଜବତ ମାବାଇଲର ସିମକୁ ପୁଲିସ ଟ୍ରାକିଂ କରିବା ପରେ ପ୍ରଶ୍ନପତ୍ର ପ୍ରଘଟର ସୁରାକ ପାଇଥିଲା। ବୁଧବାର ରାତିଅଧିଆ କେସିଙ୍ଗା ପୁଲିସ ରୁପ୍ରା ଗ୍ରାମରେ ଥିବା ଆରକେ ସକୁନ୍ତଳା ଏକାଡେମୀ ଉପରେ ଚଢ଼ଉ କରିଥିଲା। ପ୍ରଶ୍ନପତ୍ର ପ୍ରଘଟ ଓ ଉତ୍ତର ସିଟ୍ ଭାଇରାଲ୍ ଅଭିଯୋଗରେ ଉକ୍ତ ଆବାସିକ ବିଦ୍ୟାଳୟର ମାଲିକ ପ୍ରାଣବନ୍ଧୁ ସାହୁ, ତାଙ୍କ ପୁଅ ରୋଶନ ସାହୁଙ୍କ ସମେତ ଏକାଡେମୀର ୩ଜଣ ଶିକ୍ଷକ ଓ ରୁପ୍ରା ସରକାରୀ ମଧ୍ୟଇଂରାଜୀ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ କେସିଙ୍ଗା ଥାନାକୁ ଧରି ନେଇ ଆସିଥିଲା। ଗୁରୁବାର ଦିନତମାମ ପୁଲିସ ସେମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲା। ସେଦିନ ମଧ୍ୟାହ୍ନ ସମୟରେ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି କେସିଙ୍ଗା ଥାନାରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ପଚରାଉଚୁରା କରିଥିଲେ। ତେବେ ଏସପିଙ୍କ ପାଖକୁ ଚାରିଜଣ ଯୁବକଙ୍କୁ ପୋଲିସ ନେଇ ଯାଇଥିବା ଦେଖାଯାଇଥିଲା। ଏସପି ଏମାନଙ୍କୁ ପଚରାଉଚରା କରୁଥିବା ସମୟରେ କେସିଙ୍ଗା ଏସଡିପିଓ ଏବଂ ଆଇଆଇସି ମଧ୍ୟ ଉପସ୍ଥିତ ଥିଲେ। ତେବେ ଅଭିଯୁକ୍ତମାନେ ପୁଲିସ ସମ୍ମୁଖରେ କ’ଣ କହିଛନ୍ତି ତାହା ରହସ୍ୟ ଘେରରେ ରହିଛି। ଏ ସମ୍ପର୍କରେ କଳାହାଣ୍ଡି ଏସ୍‌ପିଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ରୁପ୍ରାଠାରେ ପ୍ରାଣବନ୍ଧୁ ସାହୁ ଶିକ୍ଷା ନାମରେ କଳା ସାମ୍ରାଜ୍ୟ ଗଠନ କରିଛନ୍ତି। ସେ ସ୍ଥାପନ କରିଥିବା ଆରକେ ଶକୁନ୍ତଳା ଏକାଡ଼େମୀକୁ ଯିଏ କେହିବି ଦେଖିବ ଆଖି ଖୋସି ହୋଇଯିବ। ସେ ଅତି କମ୍ ସମୟ ମଧ୍ୟରେ କିପରି ଏହି ଭବ୍ୟ ଶିକ୍ଷାନୁଷ୍ଠାନ ନିର୍ମାଣ କଲେ ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଏକାଡେମୀର ଛାତ୍ରଛାତ୍ରୀ ଗୋଟିଏ ବ୍ଲକ୍‌ଗ୍ରାଣ୍ଟ ବିଦ୍ୟାଳୟ ଅଧୀନରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ଏକାଡେମୀର ମାଲିକ ପ୍ରାଣବନ୍ଧୁ ସାହୁ ଏତେ ପ୍ରଭାବଶାଳୀ ଯେ ତାଙ୍କ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ସିଟ୍ ପାଉଥିଲେ। ତେବେ ସେ କିପରି ଏତେବଡ଼ କାଣ୍ଡ କରୁଥିଲେ ତାହାର ଖୁଲାସା ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ଘଟଣା କ୍ରମରେ ବୁଧବାର ପୁଲିସ ଏକଡ଼େମୀର ମାଲିକ ସମେତ ୬ଜଣଙ୍କୁ ରାତିଅଧିଆ ଥାନାକୁ ଉଠାଇ ଆଣିଥିଲା। ଏକାଡ଼େମୀର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯିବା ସହ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ତେବେ ଶିକ୍ଷା ନାମରେ କେଲେଙ୍କାରି ଭିଆଇଥିବା ଆରକେ ଶକୁନ୍ତଳା ଏକାଡେମୀର ମାଲିକ ପ୍ରାଣବନ୍ଧୁ ସାହୁ, ସରକାରୀ ଶିକ୍ଷକ ରବିନ୍ଦ୍ର ସାହୁ ଏବଂ ପ୍ରାଣବନ୍ଧୁଙ୍କ ସହଯୋଗୀମାନଙ୍କ ଉପରେ ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.