ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ସୀମାରେଖା ତଳେ ଓ ଝାଟିମାଟି ଘରେ ରହୁଥିବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ପକ୍କା ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା କରିଛନ୍ତି। କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ଦେଖାଯାଇଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରାକ୍ସି ପଞ୍ଚାୟତ ଅନ୍ତର୍ଗତ ବୁଢୀପଦର ଗ୍ରାମରେ। ଏହି ଗାଁର ଅତି ଗରିବ ଶ୍ରେଣୀର ଦନାର ଗଉଡ (୬୫)ଙ୍କୁ ମିଳିନାହିଁ ଆବାସ ଗୃହ। ବୃଦ୍ଧ ଦନାର ଓ ତାଙ୍କ ପତ୍ନୀ ମନ୍ଦାରଙ୍କ ସମେତ ପୁଅ ଅମର, ବୋହୁ ବେଳ ଏବଂ ନାତି ଶିବା ଭଙ୍ଗା ଦଦରା କୁଡିଆରେ ରହି ଆସୁଛନ୍ତି। ତାଙ୍କର ମାଟି କାନ୍ଥ ଉପରେ ପଡିଛି ପାଳ କେରାଏ ତ ଆଉ କେଉଁଠି ଚିରା ଫଟା ପଲିଥିନ ସ୍ଥାନେ ସ୍ଥାନେ ରହିଛି। ସାମାନ୍ୟ ବର୍ଷା ହେଲେ ଘର ଭିତରେ ପସିଯାଉଛି ପାଣି। କାନ୍ଥ ଗୁଡିକ ଅନେକ ସ୍ଥାନରେ ପାଣି ଝରି କାଦୁଅ ପଚପଚ ଚଟାଣ ଏଭଳି ଅବସ୍ଥାରେ ଜୀବନ ବିତାଉଛନ୍ତି ଦନାରଙ୍କ ପରିବାର। ବୟସ ଅଧିକ ହେବାରୁ ଦନାର ଆଉ କାମଦାମ କରିନପାରି ଛେଳି ଚରାଇ ଥାନ୍ତି। ତାଙ୍କ ପତ୍ନୀ ମନ୍ଦାର ୬୦ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ପୁଅ ଅମର ଦିନ ମଜୁରିଆ କାମ କର ପରିବାର ପ୍ରତିପୋଷଣ କରିଥାନ୍ତି। ଏମାନଙ୍କ କିଛି ଜମିବାଡ଼ି ନଥିବାବେଳେ ମାତ୍ର ୩ ଡେସିମିଲି ଘରଡ଼ହ ରହିଛି। ଆବାସ ଗୃହ ଖଣ୍ଡିଏ ପାଇଁ ଏମାନେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ଏହି ପରିବାର। ବର୍ତ୍ତମାନ ପ୍ରକାଶ ପାଇଥିବା ଆବାସ ତାଲିକାରେ ମଧ୍ୟ ଏହି ପରିବାରର ନାଁ ନାହିଁ। ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ପଡିରହିଛନ୍ତି ଏହି ପରିବାର। କେତେବେଳେ ଯେ, ଘର ଭୁଶୁଡି ତାହାର ଠିକ୍ ଠିକଣା ନାହିଁ। ତେଣୁ ବ୍ଲକ ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଏହି ପରିବାରକୁ ଆବାସ ଯୋଜନାରେ ସାମିଲ କରିବା ସହ ମନ୍ଦାରଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।