ଏହି ମନ୍ଦିରରେ କରାଯାଏ କୁକୁରର ନାମକରଣ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ପ୍ରତ୍ୟେକ ମଣିଷ ଏ ପୃଥିବୀକୁ ଆସିଲେ ତା’ର ଜନ୍ମ ପୂଜାରେ ‘ନାମକରଣ’ କରାଯାଏ । ଆଉ ସେହି ନାଁରେ ସେ ସମାଜରେ ପରିଚିତ ହୋଇଥାଏ ।  କିଏ ସ୍ନେହରେ ‘ଧନ’ ଡାକନ୍ତି ତ କିଏ କିଏ  ନାମକରଣ କରାଯାଇଥିବା ନାଁ ଧରି ଡାକିଥାଆନ୍ତି । ତେବେ ମଣିଷ ଛୁଆ ଜନ୍ମ ପରେ ରୀତିନୀତି ଅନୁଯାୟୀ ପୂଜା ପାଠ କରି ତା’ର ନାମକରଣ କରିବା କଥା ଆପଣ ଜାଣିଛନ୍ତି ଏବଂ ଶୁଣିଛନ୍ତି କିନ୍ତୁ କ’ଣ ଆପଣ କୁକୁରର ନାମକରଣ କରିବା କଥା ଜାଣିଛନ୍ତି କି ?  ଆଜ୍ଞା ହଁ ଏପରି ଏକ ସ୍ଥାନ ଅଛି ଯେଉଁଠି କୁକୁରର ନାମକରଣ କରାଯାଇଥାଏ। କେରଳର ଏପରି ଏକ ମନ୍ଦିରରେ ଦେଖିବାକୁ ମିଳିଛି ଏହି ଅଜବ ପ୍ରଥା । ଯେଉଁଠାରେ କୁକୁରର ନାମକରଣ କରାଯାଏ । ଲୋକେ ମଧ୍ୟ ନିଜ ନିଜ କୁକୁରକୁ ସାଙ୍ଗରେ ଧରି ତା’ର ନାମ ରଖିବାକୁ ଏହି ମନ୍ଦିରକୁ ଧାଇଁ ଆସିଥାଆନ୍ତି । ପୂଜକ କୁକୁରର ନାମ ରଖିବା ପରେ ସେମାନେ ଘରକୁ ଫେରିଥାଆନ୍ତି । ଏହି ମନ୍ଦିରଟି କେରଳ କନ୍ନୁର ଜିଲ୍ଲାର ବଲ୍ଲପଟ୍ଟନମ୍‌ ନଦୀ କୂଳରେ ଅବସ୍ଥିତ ।  ସେଠାରେ ମୁଥାପନ୍‌ ମନ୍ଦିର ନାମରେ ପ୍ରସିଦ୍ଧ । ସେଠାରେ ତିରୁଭାପନ୍‌ ଭେଲାଟ୍ଟମ୍‌ ପରମ୍ପରା ଅନୁଯାୟୀ କୁକୁରର ନାମକରଣ କରାଯାଇଥାଏ  । ଏହି ନାମକରଣ ଶନିବାର ଏବଂ ରବିବାରେ କରାଯାଇଥାଏ । ଏହି ଦିନରେ ମୁ୍ଥାପନ୍‌ ମନ୍ଦିରରେ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ମନ୍ଦିରର ପୁରୋହିତଙ୍କୁ ମୁଥାପନ୍‌ ତେୟମ୍‌ ନାମରେ ଡାକନ୍ତି । ତେବେ କୁକୁରୁର ନାମକରଣ ସମୟରେ ସେ କୁକୁରର କାନରେ କିଛି ଫୁସଫଉସ୍‌ କରି କହିଥାଆନ୍ତି ତା’ପରେ କୁକୁରକୁ କିଛି ଖାଦ୍ୟ ଦେଇଥାଆନ୍ତି। ପରେ କୁକୁରର ମାଲିକକୁ ସେହି ନାମ କହିଥାଆନ୍ତି। ସେହିଦିନଠାରୁ କୁକୁରକୁ ଦିଆଯାଇଥିବା ନାଁରେ ସମସ୍ତେ ଡାକିବା ଆରମ୍ଭ କରିଦିଅନ୍ତି। ସବୁଠୁ ବଡ଼ କଥା ହେଉଛି, କୁକୁରର ନାମକରଣ ସମାରୋହରେ କୁକୁରର ନାଁ ରଖିବା ପାଇଁ କୌଣସି ଟଙ୍କା ନେଇନଥାନ୍ତି ବୋଲି ସେଠାକର ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.