ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଆଜି ବିଶ୍ବ ବନ ଦିବସ। ଦେଶ ବିଦେଶରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳନ ହେଉଛି ଏହି ବିଶେଷ ଦିନ। ମାନବ ସମାଜ ପାଇଁ ବୃକ୍ଷ ଓ ବଣ ଜଙ୍ଗଳର ଯଥେଷ୍ଟ ଅବଦାନ ରହିଛି ତେଣୁ ତାହାର ସୁରକ୍ଷା ପ୍ରତ୍ୟକ ବ୍ୟକ୍ତିଙ୍କ କର୍ତ୍ତବ୍ୟ ବୋଲି କେସିଙ୍ଗା ବ୍ଲକ ଅନ୍ତର୍ଗତ ବାହାଦୁର ପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ବିଶ୍ୱ ବନ ଦିବସ ଅବସରରେ ମତ ପ୍ରକାଶ ପାଇଛି। ଯୁବ ସମାଜସେବୀ ମହିପାଳ ପୋଡ଼ଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୬ଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ଭାରତୀୟ ସେନା କର୍ମଚାରୀ ସତ୍ୟନାରାୟଣ ଖର୍ସେଲ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ଓ ଶିକ୍ଷକ ତଥା ପରିବେଶ ପ୍ରେମୀ ବିଶ୍ଵାମିତ୍ର ସ୍ବାଇଁ ଯୋଗଦେଇଥିଲେ। ଶିକ୍ଷକ ଅବନୀ ରଞ୍ଜନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ।