ଓଡିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ସମ୍ମାନୀତ ହେଲେ ଆଇନଜୀବି ପ୍ରଣତି ପାତ୍ର

କରୋନା ମହାମାରୀ ସମୟରେ ମହିଳାଙ୍କ ମଧ୍ୟରେ ସୃଷ୍ଟି କରିଥିଲେ ସଚେତନତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିଶା ରାଜ୍ୟ ମହିଳା ଆୟୋଗ,ଭୁବନେଶ୍ୱର ପକ୍ଷରୁ ରାୟଗଡାର ୟୁଜିଏମଆଇଟି ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଏବଂ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ ନିଜର ଦାୟିତ୍ୱକୁ ସୂଚାରୁ ରୂପେ ସଂପାଦନା କରିଥିବା ସରକାରୀ ଓ ବେସରକାରୀ ସଂସ୍ଥାର ୧୧ଜଣ ମହିଳା ଓ ପୁରୁଷଙ୍କୁ ସମ୍ମାନୀତ କରାଯାଇଛି । ଏମାନଙ୍କ ମଧ୍ୟରେ ରାୟଗଡାର ଆଇନଜୀବି ଶ୍ରୀମତି ପ୍ରଣତି ପାତ୍ରଙ୍କୁ ମଧ୍ୟ ପ୍ରଶସ୍ତି ପତ୍ର ସହ ଉପଢୈାକନ ଦେଇ ଆୟୋଗର ଅଧ୍ୟକ୍ଷା ମୀନତି ବେହେରା ସମ୍ମାନୀତ କରିଥିଲେ । କରୋନା ମହାମାରୀ ସମୟରେ ମହିଳା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରିବା ପାଇଁ ସେମାନଙ୍କ ମନରେ ଆତ୍ମବଳ ପ୍ରତିଷ୍ଠା କରିପାରିଥିଲେ ଆଇନଜୀବି ଶ୍ରୀମତି ପାତ୍ର । ସେହିପରି ମହିଳାମାନଙ୍କୁ ଶିକ୍ଷା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସେ ଆଜି ବି ଉଦ୍ୟମ ଜାରି ରଖିଛନ୍ତି । ଶ୍ରୀମତି ପାତ୍ର ଜୀବନବ୍ୟାପି ନିସ୍ୱାର୍ଥପର ସେବା,ଅସହାୟ ମହିଳାମାନଙ୍କୁ ସାହାରା ଦେବା,ମହିଳାମାନଙ୍କ ମନରେ ସାହସିକତା ଜାଗ୍ରତ କରିବା ଏବଂ ଗୃହଣୀମାନଙ୍କ ମୁହଁରେ ହସ ଫୁଟାଇବା ଭଳି କରୁଥିବା କାର୍ଯ୍ୟକୁ ସ୍ୱାଗତ କରି ଆୟୋଗ ପକ୍ଷରୁ ସମ୍ମାନୀତ କରାଯାଇଛି । ସାମାଜିକ ଚିନ୍ତା ଓ ଚେତନାକୁ ଆଧାର କରି ସେବା ମାଧ୍ୟମରେ ମହିଳା ମାନଙ୍କର ସଶକ୍ତିକରଣର ପଟ୍ଟଭୂମିକୁ ଦୃଢ କରିପାରିଛନ୍ତି ଆଇନଜୀବି ଶ୍ରୀମତି ପାତ୍ର । ଏତଦଭିନ୍ନ ବିଭିନ୍ନ ଅନୁଷ୍ଠାନ ସହିତ ସଂପୃକ୍ତ ରହି ମହିଳାମାନଙ୍କ ଅଧିକାର ସଂପର୍କରେ ସାମାଜିକ ସଚେତନତା ସୃଷ୍ଟି କରି ନିଜ ପାଇଁ ସ୍ୱତନ୍ତ ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟ ପାଇଁ ଗୈାରବ ଆଣି ପାରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଶ୍ରୀମତି ପାତ୍ର । ତେଣୁ କର୍ମକ୍ଷେତ୍ରରେ ସେ ଆହୁରି ଆଗକୁ ଯାଆନ୍ତୁ ବୋଲି ଏତିକି କାମନା କରୁଛୁ ବୋଲି ଆୟୋଗର ଅଧ୍ୟକ୍ଷା ମୀନତି ବେହେରା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଳ ସ୍ୱଧାଦେବ ସିଂ, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ଯାଞସେନୀ ବେହେରା, ସୁରକ୍ଷା ଅଧିକାରୀ ଶ୍ରୀମତି କାମାକ୍ଷୀ ମଂଜରୀ ପାଢୀ, ରାୟଗଡା ପୈାରାଧ୍ୟକ୍ଷା ଶ୍ରୀମତି ଶୁଭ୍ରା ପଣ୍ଡାଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.