ପ୍ରେମିକାକୁ ବିବାହ କରିବାକୁ ଯାଇଥିଲା ୫ଟି ସନ୍ତାନର ବାପା, ପ୍ରଥମ ପତ୍ନୀ ପହଞ୍ଚି କଲେ ହଙ୍ଗାମା

ଓଡ଼ିଆ ବାର୍ତ୍ତା/ ଜମୁଇ: ପ୍ରେମିକାଙ୍କୁ ବିବାହ ପାଇଁ କରିସାରିଥିଲେ ସବୁ ପ୍ରସ୍ତୁତି, ହେଲେ ଠିକ ସମୟରେ ପହଂଚିଗଲେ ପ୍ରଥମ ପତ୍ନୀ । ଆଉ ପ୍ରଥମ ପତ୍ନୀ ଶୁକ୍ରବାର ବିହାରର ଜମୁଇର ପରିବାର ଅଦାଲତରେ ହଙ୍ଗାମା କରିଥିବାବେଳେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାସ୍ତବରେ ଜଣେ ଯୁବତୀଙ୍କୁ ବିବାହ କରିବାକୁ କୋର୍ଟରେ ଜଣେ ଯୁବକ ପହଂଚିଥିଲେ । ଏହି ଯୁବକଙ୍କର ୫ଟି ସନ୍ତାନ ଥିବାବେଳେ ସେ ନିଜ ପ୍ରେମିକାଙ୍କୁ ଏବାବଦରେ କିଛି ବି ଜଣାଇନଥିଲେ । ତାଙ୍କ ପତ୍ନୀ ଯେତେବେଳେ ବିବାହ ହେଉଥିବାର ଜାଣିଲେ ସେ ତୁରନ୍ତ ପରିବାର ଅଦାଲତରେ ପହଂଚି ପ୍ରଥମେ ନ୍ୟାୟ ଓ ତା ପରେ ହିଁ ବିବାହ ପାଇଁ ଆଦି ବସିଥିଲେ । ପତ୍ନୀ ଜଣକ କହିଥିଲେ ଯେ ପ୍ରଥମେ ତାଙ୍କର ଓ ପିଲାମାନଙ୍କର ଭରଣପୋଷଣ ପାଇଁ ହେବାକୁ ଥିବା ଖର୍ଚ୍ଚ ବାବଦରେ ଆଲୋଚନା ହେଉ, ତାହା ପରେ ହିଁ ବିବାହ ସମ୍ଭବ ହେବ । ଅନ୍ୟପଟେ ପ୍ରେମିକା ଜଣକ ଜିଦ କରିଥିଲେ ଯେ ଯାହା ବି ହେଇଯାଉ ସେ ବିବାହ ହିଁ କରିବେ । ବଡ଼କଥା ଯେ ଏସବୁ ହଙ୍ଗାମା ଭିତରେ କିନ୍ତୁ ରସିକିଆ ସ୍ୱାମୀ ଜିତେନ୍ଦ୍ର ନିରବ ରହିଥିଲେ, ଯେଭଳି ସେ କିଛି ଜାଣିନଥିଲେ । ଜିତେନ୍ଦ୍ର ୨୦୧୧ ମସିହାରେ ରୁବିଙ୍କୁ ବିବାହ କରିଥିଲେ । ଉଭୟଙ୍କ ଔରସରୁ ୫ଟି ସନ୍ତାନ ଥିବାବେଳେ ଦେଢ଼ ମାସ ତଳେ ଜିତେନ୍ଦ୍ର ଯେତେବେଳେ ଶ୍ରମିକ ଭାବେ ଜାମସେଦପୁରକୁ ଯାଇଥିଲେ, ସେଠାରେ କାଜଲଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥିବାବେଳେ ଜିତେନ୍ଦ୍ର କିନ୍ତୁ ନିଜର ପରିବାର ବାବଦରେ କିଛି ଜଣାଇନଥିଲେ । ପ୍ରେମରେ ଉବୁଟୁବୁ ହେଉଥିବା ଜିତେନ୍ଦ୍ର ଓ କାଜଲ ୮ ଦିନ ତଳେ ମନ୍ଦିରରେ ବିବାହ କରିଥିବାବେଳେ ଗତକାଲି କୋର୍ଟରେ ରେଜିଷ୍ଟ୍ରି ବାହାଘର ପାଇଁ ପହଂଚିଥିଲେ । ଏବାବଦରେ ଜାଣି ରୁବି ସେଠାରେ ପହଂଚି ହଙ୍ଗାମା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.