ଦାଦନ ଖଟି ତିନି ସନ୍ତାନ ସହ ଶାଶୁଙ୍କ ବୋଝ ସମ୍ଭାଳୁଛନ୍ତି ବିଧବା ତିଲୋତ୍ତମା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ପଞ୍ଚାୟତ ରେଙ୍ଗାଲି ଗ୍ରାମର ତିଲୋତ୍ତମା ରଣା(୨୮) ସ୍ୱାମୀଙ୍କ ବିୟୋଗ ପରେ ନିଜେ ଦାଦନ ଶ୍ରମିକ ଭାବେ କାମ କରି ତିନି ପିଲାଙ୍କ ସହ ଶାଶୁଙ୍କୁ ବୋଝ ସମ୍ଭାଳୁଥିବା ଦେଖିବାକୁ ମିଳିଛି। ସୂଚନା ମତେ କର୍ଲାମୁଣ୍ଡା ଠାରୁ ପ୍ରାୟ ତିନି କିଲୋମିଟର ଦୁରରେ ଥିବା ରେଙ୍ଗାଲି ଗ୍ରାମର ସ୍ବର୍ଗତ କୁମୁଦ ରଣା ୨୦୧୭ ମସିହାରେ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ପରେ ସେହି ଦିନ ଠୁଁ ପରିବାର ବୋଝ ଲଦି ହେଇଛି ପତ୍ନୀ ତିଲୋତ୍ତମାଙ୍କ ଉପରେ। ତିଲୋତ୍ତମାଙ୍କ ବଡ଼ ଝିଅ କମଳିନୀ( ୧୧) ମାମୁଁ ଘର ବଲାଙ୍ଗୀର ଜିଲ୍ଲାର କୁସୁମଖାଲ ଠାରେ ରହି ଚତୁର୍ଥ ଶ୍ରେଣୀ ପାଠ ପଢୁଥିବାବେଳେ ଦ୍ୱିତୀୟ ଝିଅ କାମିନୀ(୭) ସାନ ପୁଅ ଝସକେତନ (୪) ଓ ବିଧବା ବୃଦ୍ଧା ଶାଶୁ ନିରବତୀ ରଣା ପ୍ରମୁଖ ଦାୟିତ୍ବ ସହ ସ୍ଵାମୀର ଚିକିତ୍ସା ପାଇଁ ହୋଇଥିବା ଧାର କରଜ ସୁଝିବା ଏବେ ମୁଣ୍ଡ ଉପରେ ରହିଛି। ତେବେ ଏ ସମସ୍ତଙ୍କ ଲାଳନ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଦୁଇ ଶାଶୁ ବୋହୁଙ୍କ ବିଧବା ଭତା ଓ ଟଙ୍କିକିଆ ଚାଉଳ ହିଁ ଏକମାତ୍ର ଭରଷା। ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବା ଓ ଲୋକଙ୍କ ଧାର ଟଙ୍କା ଫେରେଇବାକୁ ଯାଇ ତିଲୋତ୍ତମା ଗତ ନଭେମ୍ବରରେ ଛୁଆ ମାନଙ୍କୁ ଶାଶୁ ବୁଢ଼ୀଙ୍କ ଦାୟିତ୍ବରେ ଛାଡି ଦାଦନ ଖଟିବାକୁ ବଲାଙ୍ଗୀର ଏକ ଇଟା ଭାଟିକୁ ଯାଇ ଚଳିତ ମାସରେ ଘରକୁ ଫେରିଛନ୍ତି। ଆସନ୍ତା ମାସରେ ପୁଣି ଦାଦନ ଖଟିଯିବାକୁ ଯିବେ ବୋଲି କହିଛନ୍ତି ତିଲୋତ୍ତମା। ଏଣୁ ଏହି ପରିବାର ତିନି ଶିଶୁଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ତିଲୋତ୍ତମା ରଣା ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.