ସିନାପାଲିରେ ପଲ୍ଲୀକବି ମନୋହର ମେହେର ଜୟନ୍ତୀ

• ସୀମାନ୍ତର ଭାଷା ସୁରକ୍ଷାରେ କବିଙ୍କ ଅବଦାନ ଅତୁଳନୀୟ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଆଜିକୁ ପ୍ରାୟ ଶହେ ଚାଲିଶି ବର୍ଷ ପୂର୍ବେ ଓଡ଼ିଶା ଛତିଶଗଡ଼ ସୀମାନ୍ତ ବିଚ୍ଛିନ୍ନାଂଚଳରେ ଜନ୍ମଲାଭ କରି ନିଜ ଲେଖନୀ ମାଧ୍ଯମରେ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବାରେ ପଲ୍ଲୀକବି ମନୋହର ମେହେରଙ୍କ ଅବଦାନ ଅତୁଳନୀୟ ବୋଲି ଆଜି କବିଙ୍କ ଜନ୍ମପୀଠ ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ କବିଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଆୟୋଜିତ ଜୟନ୍ତୀ ସଭାରେ ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେର ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ବନାଂଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ତା ଓ ମୁଖ୍ଯବକ୍ତା ଭାବରେ ଅଧ୍ଯାପକ ଧୃବଚରଣ ପଧାନ ଯୋଗ ଦେଇଥିଲେ । କାର୍ଯ୍ଯକ୍ରମରେ ସମ୍ମାନିତ ଅତିଥି ଭାବରେ ନାଗରିକ କମିଟି ଅଧ୍ଯକ୍ଷ ଡମ୍ୱରୁଧର ମେହେର, ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ଶିକ୍ଷାବିତ୍ତ ସତ୍ଯବ୍ରତ ଗହୀର ମଂଚାସୀନ ଥିଲେ । ଏ ଅବସରରେ ପ୍ରତିକୂଳ ପରିସ୍ଥିତିରେ ସାହିତ୍ଯ ସାଧନା କରି ସମାଜ ପାଇଁ ଅନେକ ଉପାଦେୟ ପୁସ୍ତକ ରଚନା କରିଯାଇଥିବା କବି ମନୋହରଙ୍କୁ ଏଯାଏଁ ସମୁଚିତ ସମ୍ମାନ ମିଳିପାରି ନାହିଁ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ । ସଭା ପ୍ରାରମ୍ଭରେ ବଂଶୀଧର ଜଗତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହା ପରେ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା ।କଣ୍ଠଶିଳ୍ପୀ ଚୂଡ଼ାମଣି ମେହେର ଓ ସାଥି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସମିତିର ସଂପାଦକ ତରୁଣ କୁମାର ମେହେର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ । କାର୍ଯ୍ଯକ୍ରମରେ ଅଂଚଳର ଶତାଧିକ ସାହିତ୍ଯପ୍ରେମୀ ଉପସ୍ଥିତ ଥିଲେ । ଶେଷରେ ପରେଶନାଥ ପାଣିଗ୍ରାହୀ ଧନ୍ଯବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.