ମନୀଷ ସିସୋଦିଆଙ୍କୁ ନିରାଶ କଲେ ଅଦାଲତ, ଏପ୍ରିଲ ୧୭ ପର୍ଯ୍ୟନ୍ତ ହାଜତ ମିଆଦ ବୃଦ୍ଧି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୋମବାର ନିରାଶ ହେବାକୁ ପଡ଼ିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ କରାଯାଉଥିବା ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରୌଜ୍‌ ଆଭେନ୍ୟୁ ଅଦାଲତ ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଜାମିନ ଦେବାକୁ ସୋମବାର ମନା କରିଦେଇଛନ୍ତି। ରୌଜ୍‌ ଆଭେନ୍ୟୁ ଅଦାଲତର ସ୍ୱତନ୍ତ୍ର ବିଚାରପତି ଏମ୍‌ କେ ନାଗପାଲ ସିସୋଦିଆଙ୍କ ଜାମିନ ଖାରଜ କରିବା ସହ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ସିସୋଦିଆଙ୍କୁ ଜାମିନ ପ୍ରଦାନ କରି ଜେଲରୁ ତାଙ୍କୁ ମୁକ୍ତି ଦେଲେ ଏହା ଚାଲିଥିବା ତଦନ୍ତ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ଏବଂ ତଦନ୍ତର ଅଗ୍ରଗତିରେ ଗୁରୁତର ବାଧା ସୃଷ୍ଟି କରିବ।

ଏଥିସହ ଅଦାଲତ କହିଛନ୍ତି ଯେ, ଅପରାଧିକ ଷଡ଼ଯନ୍ତ୍ରରେ ସେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଉଦ୍ଦେଶ୍ୟ ହାସଲ ସୁନିଶ୍ଚିତ କରିବା ପାଇଁ ଅବକାରୀ ନୀତି ପ୍ରଣୟନ ଏବଂ କାର୍ଯ୍ୟକାରିତାରେ ସିସୋଦିଆ ଗଭୀର ଭାବରେ ସମ୍ପୃକ୍ତ ଥିଲେ।

ସୂଚନା ଅନୁସାରେ ରୌଜ୍‌ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତକୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ରଦ୍ଦ ହୋଇଥିବା ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ସିସୋଦିଆ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.