ବସିବାଠାରୁ ହସିବା ଭଲ

✒️ସୁଧୀର କୁମାର ଧଙ୍ଗଡ଼ାମାଝୀ

● ଆଜି ବିଶ୍ୱ ହସ ଦିବସ

ଜଣେ ଲୋକ ନିଜ ଘରୁ କର୍ମସ୍ଥଳକୁ ବାହାରିଲା ବେଳେ ତାଙ୍କ ପତ୍ନୀ ବାଟକୁ ଛାଡ଼ି ଆସନ୍ତି । ଲାଜୁଆ ହସଟିଏ ସହ ତାଙ୍କୁ ବିଦାୟ ଦିଅନ୍ତି । ଲୋକ ଜଣକ ବାଟରେ ଘାଟରେ ଯାହାକୁ ଦେଖନ୍ତି, ସମସ୍ତେ ତାଙ୍କ ପ୍ରତି ସ୍ମିତହାସ୍ୟ ଦିଅନ୍ତି । କାର୍ଯ୍ୟସ୍ଥଳୀରେ ବି ସହକର୍ମୀଙ୍କ ସମେତ ସମସ୍ତଙ୍କ ମୁହଁରେ ହସ ଫୁଟିଉଠେ ତାଙ୍କୁ ଦେଖି । ସାରା ଦୁନିଆ ସୁଖମୟ ଲାଗେ ।

ଦିନେ ହାଠାତ୍ ଚାରିଆଡ଼େ ବିଷାଦମୟ ଲାଗେ ସେଇ ଲୋକଙ୍କୁ । କାରଣ ସେଦିନ କୌଣସି କାରଣରୁ ପତ୍ନୀଙ୍କ ସହ ତାଙ୍କର ମନୋମାଳିନ୍ୟ ଘଟିଥାଏ । ପତ୍ନୀଙ୍କ ସ୍ମିତହାସ୍ୟ ସିନା ତାଙ୍କ ମୁହଁରେ ଲାଖିରହି ସମସ୍ତଙ୍କୁ ହସାଉଥିଲା, ଆଜି ନାହିଁ ସେଇ ହସର ଧାର । ତାଙ୍କ ବିରସ ବଦନକୁ ଦେଖି ସଭିଏଁ ମୁହଁ ଫେରାଇ ନେଉଛନ୍ତି ।

ଟିକିଏ ହସ ଯଦି ସାରା ଦୁନିଆକୁ ସୁଖମୟ କରୁଛି, ସମସ୍ତଙ୍କୁ ଖୁସି କରିପାରୁଛି; ତେବେ କାହିଁକି ଆମେ ନ ହସି ମୁହଁ ଫୁଲେଇ ବସିଥିବା?

ମୋ’ ମତରେ ତ ଏବେ “ବସିବାଠାରୁ କାଶିବା ଭଲ”କୁ ବଦଳାଇ “ବସିବାଠାରୁ ହସିବା ଭଲ” କହିବା ।

ହସର କେତେକ ସୋପାନ ରହିଛି; ଯେପରିକି- ସ୍ମିତହାସ୍ୟ, ହାସ୍ୟ ଓ ଅଟ୍ଟହାସ୍ୟ । ଏହି ତିନି ସୋପାନକୁ ମଧ୍ୟ କେତେକ ଶ୍ରେଣୀ ଓ ତରିକାରେ ବିଭକ୍ତ କରାଯାଇପାରେ । ତେବେ ସେକଥା ଛାଡ଼ନ୍ତୁ ଆଜ୍ଞା! ହସ ଯେଉଁ ପ୍ରକ୍ରିୟାରେ ପ୍ରକଟ ହେଉ ନା କାହିଁକି, ହସିବାର ସକାରାତ୍ମକ ପ୍ରଭାବ ଲୋକର ସ୍ୱାସ୍ଥ୍ୟ ଉପରେ ପଡ଼ିବ ହିଁ ପଡ଼ିବ ।

ସୁସ୍ଥ ରହିବାକୁ ଆମକୁ ଯୋଗ, ଧ୍ୟାନ କରିବାକୁ ପରାମର୍ଶ ଦିଆଯାଏ । ହେଲେ ଆପଣ ଜାଣନ୍ତି କି- ହସିବା ଦ୍ୱାରା ବି ଆମେ ଯୋଗ ଆଉ ଧ୍ୟାନ ସମାନ ସୁଫଳ ପାଇଥାଉ ।

‘ଯୋଗସୂତ୍ର’ରେ ମହର୍ଷି ପତଞ୍ଜଳି ଯୋଗର ଯେଉଁ ପରିଭାଷା ଦେଇଛନ୍ତି, ତାହା ହେଲା- ‘ଯୋଗଃ ଚିତ୍ତବୃତ୍ତି ନିରୋଧଃ’ । ଅର୍ଥାତ୍ ଚିତ୍ତବୃତ୍ତିଗୁଡ଼ିକ ଉପରେ ନିୟନ୍ତ୍ରଣ ହିଁ ଯୋଗ । ଖିଲିଖିଲି ହସରେ ବା ଜୋର୍’ରେ ହସିବା ବେଳେ କ୍ଷଣିକ ପାଇଁ ହେଉପଛେ, ଆମେ ନିଜ ମନର ଚଂଚଳତା ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ କରିପାରୁ । ଏହା ହେଉଛି ‘ଇନଷ୍ଟାଣ୍ଟ୍’ ଯୋଗ ଅବସ୍ଥା । ଏହି କ୍ଷଣଗୁଡ଼ିକର ଯେତେ ଅଧିକ ପୁନରାବୃତ୍ତି ହେବ, ଆମେ ସେତିକି ଯୋଗମୟ ଜୀବନର ନିକଟତର ହେବା ।

ହସିବା ପ୍ରକ୍ରିୟାରେ ମନର ଭୂମିକା ଗୌଣ ବା ନଗଣ୍ୟ ହୋଇଯାଇଥାଏ । ହସୁଥିବା ବ୍ୟକ୍ତି ତତକ୍ଷଣାତ୍ ‘ନୋ ଥଟ୍ ଷ୍ଟେଟ୍’ ବା ‘ଅ-ମନ’ ଅବସ୍ଥାରେ ପହଂଚି ଯାଏ । କିଛିକ୍ଷଣ ପାଇଁ ଆମେ ଏକ ଗହନ ଧ୍ୟାନ ଅବସ୍ଥାକୁ ସ୍ୱତଃ ପହଂଚିଯାଉ । ହସିବା ଏକ ଏଭଳି କ୍ରିୟା, ଯେଉଁଥିରେ ପୂର୍ଣ୍ଣ ଏକାଗ୍ରତା ସମ୍ଭବ; ଆଉ ଏହି ଏକାଗ୍ରତା ହିଁ ଧ୍ୟାନ ।

ଯୋଗାଭ୍ୟାସ ବେଳେ ଧ୍ୟାନ ଅବସ୍ଥାରେ ପହଂଚିବାକୁ ଯମ, ନିୟମ, ଯୋଗ, ପ୍ରାଣାୟାମ, ପ୍ରତ୍ୟାହାର ଓ ଧାରଣା ଆଦି ଅବସ୍ଥା ଅତିକ୍ରମ କରିବାକୁ ପଡ଼େ । କିନ୍ତୁ ଜୋର୍’ରେ ହସିବା ଦ୍ୱାରା ଆମେ ସିଧା ଧ୍ୟାନାବସ୍ଥାର ନିକଟତର ହେଉ ।

ହସିବା ବେଳେ ଚିନ୍ତନ ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ । ଆମେ ସୁଖ, ଦୁଃଖ, ରୋଗ, ଶୋକ, ଦ୍ୱେଷ ଆଦି ଭାବନାରୁ ସଂପୂର୍ଣ୍ଣ ମୁକ୍ତ ହୋଇଯାଉ । ଏହାକୁ ମଧ୍ୟ ପରମାନନ୍ଦ ଅବସ୍ଥା କହାଯାଇପାରେ ।

ସେହିପରି ହସିବାର ସଂପର୍କ ପ୍ରସନ୍ନତା ସହ ରହିଛି । ଯେତେବେଳେ ଆମେ ପ୍ରସନ୍ନ ହେଉ, ସେତେବେଳେ ହସୁ । ଏଣୁ ଯଦି ଆମେ ବିନା କାରଣରେ ବି ହସିବା, ତେବେ ସ୍ୱାଭାବିକ ଭାବେ ପ୍ରସନ୍ନତା ମିଳିବ ।

ଆମ ମନର ଅବସ୍ଥା ଅନୁସାରେ ହିଁ ଆମ ଶରୀରର ଜୈବ ରାସାୟନିକ ସଂରଚନା ପ୍ରଭାବିତ ହୋଇଥାଏ । ଏଣୁ ମନ ପ୍ରଫୁଲ୍ଲ ରହିଲେ ଆମେ ନିଶ୍ଚୟ ସୁସ୍ଥ ରହିବା ।

ଉପର ବର୍ଣ୍ଣିତ କଥାଗୁଡ଼ିକୁ ମନରେ ରଖି ଆସନ୍ତୁ ଆଜି ବିଶ୍ୱ ହସ ଦିବସରେ ସଂକଳ୍ପ ନେବା- ସବୁଦିନ ସବୁବେଳେ ହସ ବଟିକା ଖାଇବା ।

writersudhir@gmail.com
ମୋ: ୭୦୦୮୫୬୮୭୮୦

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.