ସର୍ବ ଅନୁକୂଳର ପର୍ବ ଅକ୍ଷୟ ତୃତୀୟା

✍🏼 ସୁନୀଲ କୁମାର ଧଙ୍ଗଡାମାଝୀ

ଜଣେ ପାପୀ ବ୍ୟକ୍ତି ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମ କାର୍ଯ୍ୟ କରି ନଥିଲା । ଥରେ ତା’ ଗୃହକୁ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳ ଭିକ୍ଷା କଲେ । ପାପୀ ବ୍ୟକ୍ତିଟି ତାଙ୍କୁ ଜଳ ନଦେଇ କଟୁ କଥା କରି ବିତାଡ଼ିତ କରୁଥିବା ସମୟରେ ତାଙ୍କ ସ୍ତ୍ରୀ ସୁଶିଳା ସ୍ବାମୀଙ୍କୁ ବାଧା ଦେଇଥିଲେ । ସୁଶିଳା ତୃଷାର୍ତ୍ତ ବ୍ରାହ୍ମଣଙ୍କୁ ଜଳଦାନ କଲେ । କିଛି ବର୍ଷ ପରେ ପାପୀ ବ୍ୟକ୍ତିଟିର ମୃତ୍ୟୁ ହୋଇଯାଏ । ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା । ଯମଦୂତମାନେ ତାକୁ ତିରସ୍କାର କରିଥିଲେ । ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ୟକ୍ତିକୁ ଜଳଦାନ କଲେ । ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ ଯେ – ‘ଏହି ବ୍ୟକ୍ତି ସାରା ଜୀବନ ପାପକର୍ମ କରିଥିଲେ ମଧ୍ୟ ଅକ୍ଷୟ ତୃତୀୟା ଦିନ ତାଙ୍କ ପତ୍ନୀ ତୃଷାର୍ତ୍ତ ବ୍ରାହ୍ମଣଙ୍କୁ ଜଳଦାନ କରିଥିଲେ । ପତ୍ନୀଙ୍କ ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ ।’
ଅକ୍ଷୟ ଶବ୍ଦର ଅର୍ଥ ଯାହା କେବେ କ୍ଷୟହୁଏ ନାହିଁ । ତେଣୁ ଏହି ଦିନ ଧନଧାନ୍ୟ, ହସ, ଉଲ୍ଲାସ, ଶାନ୍ତି ଓ ବିଶ୍ୱାସର କ୍ଷୟ ନହୋଇ ବରଂ ବୃଦ୍ଧି ଘଟିଥାଏ ବୋଲି ଲୋକବିଶ୍ୱାସ ରହିଛି । ଏହି ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ଆଦି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ । ଅକ୍ଷୟ ତୃତୀୟା ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଇଥାଏ । ଜ୍ୟୋତିର୍ବିଦ୍ୟା ସହ ଭାରତୀୟ କୃଷି ସଂସ୍କୃତିର ଅଭିନ୍ନ ସଂପର୍କ ଥିବାରୁ ବୈଶାଖ ଶୁକ୍ଲ ତୃତୀୟା ତିଥିରେ ଅକ୍ଷୀମୁଠି ଆରମ୍ଭ କରାଯାଇଥାଏ ।
ପୌରାଣିକ ଆଖ୍ୟାନ ଅନୁସାରେ ବୈଶାଖ ଶୁକ୍ଲ ତୃତୀୟା ଦିନ ଦେବୀ ଅନ୍ନପୂର୍ଣ୍ଣାଙ୍କ ଜନ୍ମ ହୋଇଥିଲା । ବୈଶାଖ ଶୁକ୍ଲ ତୃତୀୟା ତିଥି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନ ଠାରୁ ସତ୍ୟ ଓ ତ୍ରେତୟା ଯୁଗରେ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି । ବ୍ୟାସଦେବ ଓ ଶ୍ରୀ ଗଣେଶ ଏହି ଦିନଠୁ ମହାଭାରତ ରଚନା ଆରମ୍ଭ କରିଥିଲେ । ଦେବଦେବ ମହାଦେବଙ୍କୁ ପ୍ରାର୍ଥନା କରି କୁବେର ଏହି ଦିନଠାରୁ ଧନର ଦେବତା ଭାବେ ସ୍ବୀକୃତ ତଥା ଅଧିକାର ପ୍ରାପ୍ତ ହୋଇଥିଲେ ।
ଦ୍ବାପର ଯୁଗରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ଦିନ ଅକ୍ଷୟ ପାତ୍ର ପ୍ରାପ୍ତ ହୋଇଥିଲା । ଏପରି ଅନେକ ଧାର୍ମିକ ଭାବନା ଓ ବିଶ୍ବାସ ଅକ୍ଷୟ ତୃତୀୟା ସହ ଯୋଡିହୋଇ ରହିଛି । ଏହି ଦିନରେ ଆରମ୍ଭ ହୋଇଥିବା କାର୍ଯ୍ୟ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଭାଗ୍ୟ ଅନୁକୂଳ ଫଳ ଦେଉଥିବା ବିଶ୍ବାସ ରହିଛି । କୃଷିଜୀବୀମାନଙ୍କ ପାଇଁ ଏହା ଏକ ପବିତ୍ର ଦିବସ।
ଏହି ଦିନକୁ ଚାଷୀ ବଡ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାଏ । ନିଜ ଘରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ସ୍ତ୍ରୀ ହାତରୁ ବିହନପୂର୍ଣ୍ଣ ନୂଆ ଟୋକେଇ ଓ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଇଥାଏ ଚାଷୀ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଧୂପ ଦୀପ ଦେଇ ଅମୃତବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । କୃଷିକ୍ଷେତ୍ରରେ ମୁଠାମୁଠା ବିହନ ବୁଣିବା ସହ ଈଶାଣ କୋଣରେ ବଳକା ଧାନକୁ ପୋତି ହଳ ବୁଲାଏ ଚାଷୀ । ଏହାକୁ ଅକ୍ଷୀମୁଠି କୁହନ୍ତି ।
ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ କାଠ ଅନୁକୂଳ କରାଯାଏ। ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତିନି ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଏ । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନ ସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳନ କରାଯାଏ । ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ ।
ଏହା ସହିତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଏହିଦିନ ସମ୍ବଲପୁରରେ ଶୀତଳଶଷ୍ଠୀ ଯାତ୍ରାର ଶୁଭାରମ୍ଭ ହୁଏ । ବଳଦେବଜୀଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ବିବାହୋତ୍ସବ ଅନୁଷ୍ଠିତ ହୁଏ । ପର୍ଶୁରାମ ଓ ଜୟଦେବଙ୍କ ଜୟନ୍ତୀ ପାଳନ ହୁଏ । ବଦ୍ରୀନାଥ ଧାମ ଏହି ଦିନ ଖୋଲାଯିବା ବିଧି ରହିଛି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.