ସୋନପୁର,୭/୫ : ଯୋଜନା ପରେ ଯୋଜନା ହେଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ତା’ର କୌଣସି ସୁଫଳ ପହଞ୍ଚିପାରୁନି କେବିକେ ଜିଲାର ଜନସାଧାରଣଙ୍କ ନିକଟରେ । ଫଳରେ ଆଜି ବି ଅବିଭକ୍ତ ବଳାଙ୍ଗୀର ଜିଲ୍ଲା ସହ କଳାହାଣ୍ଡି, କୋରାପୁଟ ଜିଲାର ଅନେକ ଗାଁ ବାହ୍ୟ ଅଞ୍ଚଳଠାରୁ ବିଚ୍ଛିନ୍ନ ହୋଇ ରହିଛି । କେଉଁଠିକୁ ଯିବା ପାଇଁ ରାସ୍ତା ନାହିଁ, ତ ଆଉ କେଉଁଠି କିଛି ମୈାଳିକ ସୁବିଧା, କେଉଁଠି ଶିକ୍ଷା ପହଞ୍ଚି ପାରିନି, ତ ଆଉ କେଉଁଠି ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ସଂକଟ ।
ଅବିଭକ୍ତ କଳାହାଣ୍ଡି, ବଲାଙ୍ଗିର ଓ କୋରାପୁଟ ଜିଲାବାସୀଙ୍କ ବିକାଶ, ସେମାନଙ୍କ ଦାରିଦ୍ର୍ୟ ଜୀବିକାର ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ର ସରକାର ଗଠନ କରିଥିଲେ କେବିକେ ଜିଲା । ଏହି ଜିଲା ପାଇଁ ସ୍ୱତନ୍ତ୍ର ଅନୁଦାନ କେନ୍ଦ୍ରରୁ ଆସୁଥିଲା । ପରେ ଏହି ତିନୋଟି ଜିଲା ଭାଗ ହୋଇ ୮ଟି ଜିଲା ହୋଇଛି । ଯଥା- କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୁବର୍ଣ୍ଣପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଜିଲା ।
ଏହି ଜିଲାରେ ଅନେକ ଅପହଞ୍ଚ ଅଞ୍ଚଳ ରହିଛି ଯେଉଁଠି ସହରୀ ସଭ୍ୟତା ପହଞ୍ଚି ପାରିନି । ତେବେ କେବକେ ଗଠନ ଦିନରୁ ପ୍ରତିବର୍ଷ ଶହ ଶହ କୋଟି ଅନୁଦାନ ଆସୁଥିଲେ ମଧ୍ୟ ଅଞ୍ଚଳର ବିକାଶରେ କୌଣସି ଆଖିଦୃଶିଆ ସଫଳତା ମିଳିପାରିଲାନି । ଫଳରେ ୨୦୦୬ ମସିହାରୁ କେନ୍ଦ୍ର ସରକାର କେବିକେ ଅନୁଦାନକୁ ବନ୍ଦ କରିଦେଲେ । ଫଳସ୍ବରୂପ କେବିକେ ଜିଲାବାସୀଙ୍କ ପାଇଁ ଅର୍ଥନୈତିକ ବିକାଶ ପାଇଁ ମୁଖ୍ୟ ଅର୍ଥର ସ୍ରୋତ ବନ୍ଦ ହେଇଯିବା ଫଳରେ ଏହି କେବିକେ ଜିଲା ଅଧୀନରେ ଥିବା ଜିଲା ଗୁଡିକର ଅର୍ଥନୈତିକ ବିକାଶରେ ବାଧାସୃଷ୍ଟି ହୋଇଥିଲା ।
ଏହି ସମସ୍ୟାର ଦୂରୀକରଣ ପାଇଁ ଓଡିଶା ସରକାର ଘୋଷଣା କଲେ ବିଜୁ କେବିକେ । କେବିକେର ଆଠଟି ଜିଲାକୁ ବିଜୁ କେବିକେ ଯୋଜନାରେ ସ୍ୱତନ୍ତ୍ର ଅନୁଦାନ ରାଜ୍ୟ ସରକାର ଦେବେ ଓ ଏହି ଅର୍ଥରେ ଅଞ୍ଚଳର ବିକାଶ ଧାରାକୁ ତ୍ୱରାନ୍ୱିତ କରାଯିବ । ଏହି ଘୋଷଣା ପରେ କେବିକେ ଅଞ୍ଚଳବାସୀଙ୍କ ମନରେ ପୁଣି ସ୍ୱପ୍ନ ଆସିଲା ଯେ, ବିଜୁ କେବିକେ ଯୋଜନାରେ ଅର୍ଥ ଆସିବ ଓ ଅଞ୍ଚଳର ବିକାଶ ସାଧିତ ହେବ । ବିଜୁ କେବିବେ ଯୋଜନାର ରୂ ରେଖା ତିଆରି ହେଲା । ଏଥିରେ ମୁଖ୍ୟତଃ ବିଜୁଳି, ରାସ୍ତା, ପାନୀୟ ଜଳ ଯୋଗାଣ, ଜଳସେଚନ ଆଦି ରହିବ । ଏହି ଯୋଜନା ମାଧ୍ୟମରେ ରାଜ୍ୟ ଅନୁଦାନ ପାଣ୍ଠି ଦେବ ତାହା ଖର୍ଚ୍ଚ ହେବ । ୨୦୦୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆଠଟି ଜିଲାରେ ବିଜୁ କେବିକେ କାର୍ଯ୍ୟକାରୀ ହୋଇଆସିଛି । ଏହି ଯୋଜନାରେ ପ୍ରତି ଜିଲାକୁ ଶହ ଶହ କୋଟି ଟଙ୍କାର ଅନୁଦାନ ଆସିଛି । ହେଲେ ଏହା ଯେଉଁ ପରିମାଣରେ ଏହି ଆଠଟି ଜିଲାର ବିକାଶ ହେବା କଥା ତାହା ଅଦ୍ୟାବଧି ହୋଇପାରିନି । ଫଳରେ ଦାରିଦ୍ର ସାଙ୍ଗକୁ ଦାଦନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇