ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଝିଅ ସିଲଭିଆ ମହାପାତ୍ରଙ୍କ ହଲିଉଡ଼ରେ ସେଟ ଡିଜାଇନର୍ ଭାବେ ଆଉ ଏକ ସଫଳତା । ବଡ଼ ପରଦାକୁ ଆସିଲା ମାର୍ବଲ ସିରିଜର ନୂଆ ସିନେମା ‘ଗାଡ଼ିଆନ୍ସ ଅଫ ଦି ଗାଲାକ୍ସି ପାର୍ଟ-୩’ । ଏହି ସିନେମାରେ ୧୬ ଜଣ ସେଟ ଡିଜାଇନରଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ତଥା ଖଲ୍ଲିକୋଟରେ ଜନ୍ମିତ ଓଡ଼ିଆ ଝିଅ ସିଲଭିଆ ମହାପାତ୍ରଙ୍କ ପ୍ରମୁଖ ଭୂମିକା ରହିଛି । ସିଲଭିଆ ପ୍ରଫେସର ଅଜିତ ମହାପାତ୍ର ଓ ନଳିନୀ ପଟ୍ଟନାୟକଙ୍କ ଝିଅ ଏବଂ ସେ ତାଙ୍କର ପାଠପଢା ଆଫ୍ରିକା ଓ ଆମେରିକାରେ ଶେଷ କରିଛନ୍ତି । ମାର୍ବଲ ସିରିଜର ଗାଡ଼ିଆନ୍ସ ଅଫ ଦି ଗାଲାକ୍ସିର ପାର୍ଟ-୧ ଓ ୨ ରେ ସେଟ ଡିଜାଇନର୍ ଭାବେ କାମ କରି ଅପୂର୍ବ ସଫଳତା ପାଇବା ପରେ ବର୍ତ୍ତମାନ ପାର୍ଟ-୩ରେ କାମ କରି ବେଶ ଖୁସି ଓ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ସିଲଭିଆ । ସେହିପରି ବହୁ ଚର୍ଚ୍ଚିତ ସ୍ପାଇଡର ମ୍ୟାନର ସଫଳତା ପଛରେ ଏହି କୃତବିଦ୍ୟ ଓଡ଼ିଆ ଝିଅଙ୍କ ହାତର ସ୍ପର୍ଶ ରହିଛି । କାରଣ ସ୍ପାଇଡର ମ୍ୟାନରେ ବ୍ୟବହୃତ ସେଟ ଖଲ୍ଲିକୋଟ କରଣାସାହିର ଓଡ଼ିଆ ଝିଅ ସିଲଭିଆଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଜାମ୍ବିଆ ଓ ଆଟ୍ଲାଣ୍ଟିକରେ ଥିବା ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ପାଠ ପଢିବା ସହ ଅନେକ ଆନ୍ତର୍ଜାତିକ ଚଳଚ୍ଚିତ୍ର ପ୍ରସ୍ତୁତିରେ ସିଲଭିଆ ନିଜେ ଟେକନିସିଆନ ଭାବେ ସେଟ ତିଆରି କରି ଦକ୍ଷତା ପ୍ରତିପାଦନ କରିବାର ସୌଭାଗ୍ୟ ଅର୍ଜନ କରିଥିବା ଜଣାପଡିଛି ।