ବୃଷ ସଂକ୍ରାନ୍ତିରେ ବୃଷଭାଙ୍କ ପୂଜା

ଲିଙ୍ଗରାଜ ମିଶ୍ର 

ସୃଷ୍ଟି ସର୍ଜନା ସମୟର କଥା । ବେଦପତି ବ୍ରହ୍ମାଙ୍କ ଆଜ୍ଞାରେ ଦକ୍ଷ ପ୍ରଜାପତି ପ୍ରଜା ସୃଷ୍ଟି କରିବାକୁ ଗଲେ । ଦକ୍ଷ ପ୍ରଜାପତି ପ୍ରଥମେ ଅମୃତ ପାନ କରି ତୃପ୍ତ ହେବାରୁ ତାଙ୍କ ମୁଖରୁ ଏକ ସୁଗନ୍ଧ ବାହାରିଲା । ସେହି ସୁଗନ୍ଧରୁ ସୁରଭି ନାମକ ଗୋମାତା ପ୍ରକଟ ହେଲେ ।  ସୁରଭିଙ୍କ ଠାରୁ ପର୍ଯ୍ୟାୟକ୍ରମେ ଅନେକ ସ୍ୱର୍ଣ୍ଣକାନ୍ତିଯୁକ୍ତ ଗାଈ ଓ ବତ୍ସାମାନ ଜାତ ହେଲେ । ବତ୍ସାମାନେ ଗାଈମାନଙ୍କର ସ୍ତନରୁ ପର୍ଯ୍ୟାପ୍ତ ପରିମାଣରେ ଝରୁଥିବା କ୍ଷୀର ପାନ କରିବାରେ ଲାଗିଲେ । ସେହି ସମୟରେ ପୃଥିବୀ ଉପରେ ଠିଆହୋଇଥିବା ଶିବଙ୍କ ଦେହରେ କିଛି ଦୁଧଫେଣ ଛିଟିକି ପଡ଼ିଲା । ତାହା ଶିବଙ୍କୁ ଅତ୍ୟନ୍ତ କ୍ରୋଧିତ କଲା । ତାହାଙ୍କର କ୍ରୋଧ ଦେଖି ଗାଈମାନେ ଯାଇ ଚନ୍ଦ୍ରଙ୍କ ପଛରେ ଲୁଚିବାରେ ଲାଗିଲେ । ସେମାନଙ୍କର ଦୁର୍ଦ୍ଦଶା ଦେଖି ଦକ୍ଷପ୍ରଜାପତି ଶିବଙ୍କ ସମ୍ମୁଖରେ ଆସି ନତଜାନୁ ହୋଇ କହିଲେ- ଆପଣ କ୍ରୋଧ ସମ୍ବରଣ କରନ୍ତୁ‌ । ଆପଣଙ୍କ ଉପରେ ଯେଉଁ ଫେଣ ଛିଟିକି ପଡ଼ିଛି, ତାହା ଅମୃତ ସମାନ । କାରଣ, ଗାଈର କ୍ଷୀର ବତ୍ସା ପିଇଲେ ତାହାକୁ ସଂସାର ପିଏ । ତାହା କେବେ ଅଇଁଠା ହୁଏ ନାହିଁ । ଯେପରି ବାୟୁ, ଅଗ୍ନି, ସୁବର୍ଣ୍ଣ, ସମୁଦ୍ର ଓ ଅମୃତ କେବେ ଉଚ୍ଛିଷ୍ଟ ହୁଅନ୍ତି ନାହିଁ, ସେହିପରି କ୍ଷୀର । ଏହା ମା’ ସ୍ତନରୁ ଝରୁଥିବା ଅମୃତ । ଏହା କହି ଦକ୍ଷ ପ୍ରଜାପତି ଦେବଙ୍କର ସେବା ଲାଗି ଅନେକ ଗାଈ ଓ ଗୋଟିଏ ବୃଷଭ ଶିବଙ୍କୁ ପ୍ରଦାନ କଲେ । ଶିବ ସନ୍ତୁଷ୍ଟ ହୋଇ ଗାଈମାନଙ୍କ ସଙ୍ଗରେ ରହିଲେ ଏବଂ ବୃଷଭକୁ ନିଜର ବାହନ କଲେ‌ । ଏପରିକି ତାଙ୍କର ଧ୍ୱଜରେ ବୃଷଭଙ୍କ ଆକୃତି ଦେଲେ । ଦେବତାମାନେ ଶିବଙ୍କୁ ‘ପଶୁପତି’ ଭାବରେ ଅଭିଷିକ୍ତ କରିବା ସହିତ ତାଙ୍କୁ ‘ବୃଷଭାଙ୍କ’ ଭାବରେ ଅର୍ଚ୍ଚନା କଲେ । ଶିବଙ୍କ ସହିତ ବୃଷଭ ସର୍ବଦା ସଂଯୁକ୍ତ ହୋଇ ରହିଥାନ୍ତି । ବୃଷ ସଂକ୍ରାନ୍ତି ଦିନ ବୃଷଭଙ୍କ ସହିତ ଶିବଙ୍କୁ ପୂଜା କଲେ ଏବଂ ଜଳଘଟ ସହିତ ଗୋଦାନ କଲେ, ପ୍ରାଣୀକୁ ଶିବଲୋକରେ ସ୍ଥାନ ମିଳିଥାଏ ବୋଲି ବିଶ୍ଵାସ ରହିଛି । ତେବେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ତେଣୁ ସୂର୍ଯ୍ୟଙ୍କ ଅୟନ କ୍ରମେ ସେହି ସଂକ୍ରାନ୍ତିଗୁଡିକ ନାମିତ ହୋଇଥାନ୍ତି । ଏହିପରି ଦୁଇଟି ମାସର ଅର୍ଦ୍ଧେକକୁ ନେଇ ଗୋଟିଏ ରାଶି ମାସ ଗୋଟିଏ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସନ୍ତ ପର୍ଯ୍ୟନ୍ତ ଚଳେ । ପୃଥିବୀର ନିଜ କକ୍ଷରେ ଦୈନିକ ପରିଭ୍ରମଣ ବା ଆହ୍ନିକ ଗତି ଏବଂ ସୂର୍ଯ୍ୟଙ୍କର ବିଷ୍ଣୁପଦୀ ସଂକ୍ରମଣ ବା ସଂକ୍ରାନ୍ତି ସଞ୍ଚାର ବିଷୁବ ରେଖାଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ସହିତ ସଂପୃକ୍ତ । ମେଷ ରାଶିରୁ ଯାଇ ସୂର୍ଯ୍ୟ ଯେଉଁ ଦିନ ବୃଷ ରାଶିରେ ଅବସ୍ଥାନ କରନ୍ତି ସେହିଦିନର ସଂକ୍ରାନ୍ତି ହେଉଛି, ବୃଷ ସଂକ୍ରାନ୍ତି । ଅନେକ ଦୃଷ୍ଟିରୁ ଏହି ସଂକ୍ରାନ୍ତି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । କାରଣ ଏହିଦିନ ସୂର୍ଯ୍ୟଙ୍କ ସହିତ ଦେବଦେବ ମହାଦେବଙ୍କୁ ଋଷଭରୁଦ୍ର, ବୃଷଧ୍ୱଜ ଓ ବୃଷଭାଙ୍କ ନାମରେ ପୂଜା କରାଯାଇଥାଏ ।
ସର୍ଗିଗୁଡା, ନର୍ଲା, କଳାହାଣ୍ଡି 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.