ଅସୁରଗଡ଼ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ସରିଲା ଠାକୁର ମାନଙ୍କ ମହାସ୍ନାନ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ମାଣ୍ଡେଲ ଗ୍ରାମ ପଞ୍ଚାୟତ ର ଐତିହାସିକ ନଗରୀ ଅସୁରଗଡ଼ରେ ଗତ ୧୯ ଅପ୍ରେଲରୁ ପରିଚାଳନା ସମିତିର ସଭାପତି ଘନଶ୍ୟାମ ପଧାନ ଏବଂ ସମ୍ପାଦକ ତୁଷାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ଧାନ୍ୟାଧିବାସ, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ହୋମ ପ୍ରତ୍ୟହ ଚାଲି ଆସୁଥିବା ବେଳେ ବୁଧବାର ଶ୍ରୀରାମ, ଲକ୍ଷ୍ମଣ, ସୀତା ଦେବୀ, ହନୁମାନଙ୍କ ସମେତ ପାର୍ଶ୍ୱ ଦେବାଦେବୀ ମାନଙ୍କ ମହାସ୍ନାନ ସମ୍ପନ୍ନ ହୋଇଛି। ଅଗୁରୁ, ହଳଦୀ, ଚନ୍ଦନ ଅଷ୍ଟଗନ୍ଧା, ପଞ୍ଚାମୃତ ପ୍ରଭୃତି ଠାକୁର ମାନଙ୍କ ଶ୍ରୀ ଅଙ୍ଗରେ ଲାଗି ହେବା ପରେ ସୁବାସିତ ଜଳରେ ସ୍ନାନ କରା ଯାଇଥିଲା। ହାରାମଣି ପଧାନ ଓ ଘନଶ୍ୟାମ ପଧାନ, ଜଗନ୍ନାଥ ଗଉଡ ଓ ଯଶୋବନ୍ତୀ ଗଉଡ, ବୈଦ୍ୟନାଥ ପାଢୀ ଓ ପୁଷ୍ପାଞ୍ଜଳୀ ମହାହୂତି, ମିନାକ୍ଷୀ ନାଏକ ଓ ତୁମେଶ୍ୱର ନାଏକ ଏବଂ ପୀତାମ୍ବର ଗଉଡ ଓ ଧରିତ୍ରୀ ଗଉଡ ଏଭଳି ୫ ଯୋଡି ଦମ୍ପତି କର୍ତ୍ତା ଓ କର୍ତ୍ତି ସୁବାସିତ ଜଳରେ ଠାକୁର ମାନଙ୍କୁ ସ୍ନାନ କରାଇଥିଲେ। ବ୍ରହ୍ମା ପୁରୋହିତ ଭାବରେ ପଣ୍ଡିତ ମନୋଜ କୁମାର ପାଢୀ, ସହଯୋଗୀ ପଣ୍ଡିତ ଭାବରେ ଶେଷଦେବ ପାଢୀ, ଆଶିଷ କୁମାର ଷଢଙ୍ଗୀ, ବନୌଜ ଶତପଥି, ସୌମ୍ୟରଞ୍ଜନ ଶତପଥି, କଳ୍ପତରୁ ପାଢୀ, ସଙ୍ଗମ ଦାସ, ସୁବ୍ରତ ମିଶ୍ର ଓ ସମ୍ବିତ ରଥ ପ୍ରମୁଖ  ଠାକୁର ମାନଙ୍କ ମହା ସ୍ନାନ ବିଧି ପରିଚାଳନା କରିଥିଲେ।ଗୋବିନ୍ଦ ଗଉଡ, ନିର୍ମଳ ଗଉଡ, ନରୋତ୍ତମ ଗଉଡ, ଅମର୍ତ୍ତ୍ୟ ଗଉଡ ଜଗଦିଶ ଗଉଡ, ବାରିକ ଗଉଡ, ନାବିକ ଗଉଡ, ତ୍ରୀଲୋଚନ ପଧାନ ପ୍ରମୁଖ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ। ଅସୁରଗଡ଼ ଓ ଆଖପାଖ ଗ୍ରାମର ମହିଳା ଓ ପୁରୁଷ ଭକ୍ତ ମନ୍ଦିର ପରିସରରେ ସମବେତ ହୋଇ ମହାସ୍ନାନରେ ସାମିଲ ହୋଇଥିଲେ। ଅପରାହ୍ନ ୪ ରୁ ରାତି ୮ ଯାଏଁ ଚାଲିଥିଲା ମହାସ୍ନାନ ଉତ୍ସବ। ଶୁକ୍ରବାର ଠାକୁର ମାନଙ୍କ ନଗର ପରିକ୍ରମା ସହିତ ସିଂହାସନ ଆରୋହଣ ହେବ ବୋଲି କମିଟି ସୂତ୍ରରୁ ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.