ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୌଜାରେ ଜମିର ବେଞ୍ଚମାର୍କ ମୂଲ୍ୟର ଅସାମାନ୍ୟ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷିତରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ତରଫରୁ ସ୍ଥାନୀୟ ତହସିଲଦାର ଙ୍କ ଜରିଆ ରେ ରାଜ୍ୟ ସରକାର ଙ୍କ ନିକଟ ରେ ପୁନଃବିଚାର କରିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରା ଯାଇଛି ଯେ, କଣ୍ଟାବାଞ୍ଜି ‘କ’, ‘ଖ’ ଓ ‘ଗ’ ମୌଜାରେ ଚାଲୁ ଆର୍ଥିକ ବର୍ଷରେ ଜମିର ବେଞ୍ଚମାର୍କ ମୂଲ୍ୟ ପୂର୍ବବର୍ଷ ତୁଳନାରେ ପ୍ରାୟ ୧୦ ଗୁଣା ବଢ଼ିଛି। ଏହି ଅଚାନକ ବୃଦ୍ଧିରେ ମଧ୍ୟମ ବର୍ଗ, ଛୋଟ ଜମି ମାଲିକ ଓ ସାଧାରଣ କ୍ରେତାମାନେ ଭାରି ପ୍ରଭାବିତ ହୋଇଛନ୍ତି। ଏହାର ପରିଣାମରେ ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ ଖର୍ଚ୍ଚ ବଢ଼ିଯାଇଥିବାରୁ ଜମି କ୍ରୟ ବିକ୍ରୟ କାରବାର ମନ୍ଦ ହୋଇଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି, ସ୍ଥାନୀୟ ବଜାର ପରିସ୍ଥିତି ଓ ଲୋକଙ୍କ ଆର୍ଥିକ ସମର୍ଥ୍ୟକୁ ଧ୍ୟାନରେ ନ ରଖି ଏହି ବୃଦ୍ଧି କରାଯାଇଥିବା ଅଭିଯୋଗ ମଧ୍ୟ କରାଯାଇଛି। ଅନ୍ୟପଟେ, କଟକ ଭଳି ଉନ୍ନତ ସହରରେ ଉଚ୍ଚ ମୂଲ୍ୟ ଥିବା ସତ୍ତ୍ୱେ, କଣ୍ଟାବାଞ୍ଜି ଭଳି ଅପରିପକ୍ୱ ଅଞ୍ଚଳରେ ଏତେ ବେଶି ମୂଲ୍ୟ ବୃଦ୍ଧି ଅଯୁକ୍ତିସଙ୍ଗତ ବୋଲି ମତ ପ୍ରକାଶ ପାଇଛି। ପୂର୍ବବର୍ଷଗୁଡ଼ିକରେ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅଧିକ ମୂଲ୍ୟ ଦର୍ଶାଇବା ପ୍ରଭାବ ଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ କରାଯାଇଛି। ଏହି ପରିସ୍ଥିତିରେ ପ୍ରେସ କ୍ଲବ କଣ୍ଟାବାଞ୍ଜି ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ବେଞ୍ଚମାର୍କ ମୂଲ୍ୟ ପୁନଃବିଚାର କରିବା, ଯଥାର୍ଥ ସର୍ଭେ କରିବା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସଠିକ୍ ମୂଲ୍ୟ ନିର୍ଣ୍ଣୟ କରିବାକୁ ଅନୁରୋଧ କରିଛନ୍ତି। ପ୍ରେସ କ୍ଲବ ସଭାପତି ପ୍ରଭଯିତ୍ ସିଂହ ସାଲୁଜା, ସମ୍ପାଦକ ସୁରଦାସ ବାଗ, କେଶୀୟର ହଣୀ ସିଂହ, ଉପ ସଭାପତି ମନୋଜ ଶର୍ମା, ଅଫିସ ସମ୍ପାଦକ ବିଶିକେଶନ୍ ମାଝୀ, କମଲ ଅଗ୍ରୱାଲ, ସହ ରେଲୱେ ଅଟୋ ୟୁନିଅନ ସଭାପତି , ସମ୍ପାଦକ ଓ କର୍ମକର୍ତ୍ତା, ଆଇନଜୀବୀ, ଜନ ସାଧାରଣ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ





