ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ୯ଟି ବ୍ଲକ ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦରେ ସାମିଲ ହୋଇଛି। ଏଥିରେ ନର୍ଲା ବ୍ଲକ ମଧ୍ୟ ସ୍ଥାନ ପାଇଥିବାରୁ ନର୍ଲା ବ୍ଲକ ଆଦିବାସୀ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ଭୁବନେଶ୍ୱରଠାରେ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୪ଟି ଜିଲ୍ଲା (ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଂଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଏବଂ ସମ୍ବଲପୁର)ର ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କରିଥିଲେ । ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଭୂମିକା ସ୍ବତନ୍ତ୍ର। ତେଣୁ ଜନଜାତି କଳା ଓ ସଂସ୍କୃତିର ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ରାଜ୍ୟରେ ୬୨ଟି ଆଦିବାସୀ ଗ୍ରୁପ ରହିଛନ୍ତି। ତେଣୁ ଛୋଟବଡ଼ ସବୁ ବ୍ଲକର ସାଂସ୍କୃତିକ ସୁରକ୍ଷା ହେଉଛି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଲକ୍ଷ୍ୟ। ୨୦୧୮ରୁ ୯ଟି ଜିଲ୍ଲାରେ ଏହା କାମ କରୁଥିଲା। ଏଥିରେ ୬୦ଲକ୍ଷରୁ ଅଧିକ ଜନଜାତି ବନ୍ଧୁମାନେ ସାମିଲ ଥିଲେ। ଏବେ ଆଉ ୧୪ଟି ନୂଆ ଜିଲ୍ଲା ସାମିଲ ହେଲା। ମୋଟ ୧୭୨ ବ୍ଲକର ୮୦ଲକ୍ଷରୁ ଅଧିକ ଜନଜାତିର ଭାଇଭଉଣୀ ଏହି ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ହେଲେ। ଆଦିବାସୀ ଓ କଳା ଓ ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ୨୨୩ କୋଟି ଟଙ୍କା ଖର୍ଚ୍ଚ କରିବେ। ଆଦିବାସୀଙ୍କ କଳା ଓ ସଂସ୍କୃତି ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ରହିଛି। ଭୁବନେଶ୍ବରର ଆଦିବାସୀ ସଂଗ୍ରହାଳୟ ପର୍ଯ୍ୟଟକମାନଙ୍କର ଗୁରୁତ୍ବପୂର୍ଣ୍ଣ ସ୍ଥାନ ପାଲଟିଛି। ଜନଜାତିଙ୍କୁ ସଶକ୍ତ କରିବା ଏହି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଲକ୍ଷ୍ୟ। ତେବେ ଓଡ଼ିଶା ସରକାର କଳାହାଣ୍ଡି ଜିଲ୍ଲାକୁ ଏହି ସ୍ବତନ୍ତ୍ର ଯୋଜନାରେ ସାମିଲ କରିଥିବା ବେଳେ ନର୍ଲା ବ୍ଲକ ମଧ୍ୟ ଏଥିରେ ସ୍ଥାନ ପାଇ ଥିବାରୁ ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, ସଂପାଦକ ମାୟାଧର ମାଝୀ, ଉପସଭାପତି ବୀର କିଶୋର ମାଝୀ, ଚନ୍ଦ୍ରଶେଖର ଶବର, ବୀର ପାତ୍ର, କୋଷାଧ୍ୟକ୍ଷ କିଶୋର ମାଝୀ, ଉପଦେଷ୍ଟା କ୍ଷୀତିଶ ଚନ୍ଦ୍ର ମାଝୀ, ମେଦିନୀଧର ଜାନୀ, ଦେବରାଜ ମାଝୀ, ରଣଜିତ ମାଝୀ, ଜିଲ୍ଲା ସଭାପତି ପ୍ରକାଶ ମାଝୀଙ୍କ ସମେତ ସଂଘର ସଦସ୍ୟ ବୃନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।