ଡ୍ରପ୍ଆଉଟ୍ ପିଲା ପାଇବେ ମାଗଣା ଧନ୍ଦାମୂଳକ ତାଲିମ; କଳାହାଣ୍ଡିରେ ଆରମ୍ଭ ହେଲା କାଉନସିଲିଂ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାରଙ୍କ ପକ୍ଷରୁ ପାଠ ଛାଡ଼ିଥିବା ୧୭ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । କୌଣସି ଅସୁବିଧା ହେତୁ ପାଠ ଅଧାରେ ଛାଡିଥିବା ପିଲାଙ୍କୁ ମୁଖ୍ୟସ୍ରୋତକୁ ଆଣି ତାଙ୍କୁ ରୋଜଗାରକ୍ଷମ କରିବାରେ ଏହା ସହାୟକ ହେବ । ସେମାନେ ନିଜର ରୁଚି ଅନୁଯାୟୀ ଟ୍ରେଡ଼ ଚୟନ ସହ ଏହି ପ୍ରକ୍ରିୟାରେ ତାଲିମପ୍ରାପ୍ତ ହୋଇ ବୃତ୍ତିଗତ ଜୀବନ ଆରମ୍ଭ କରିପାରିବେ । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଏହି ଧନ୍ଦାମୂଳକ ଶିକ୍ଷା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ । ତେଣୁ ନିଜର ପୁଅଝିଅଙ୍କୁ ଏଥିରେ ସାମିଲ କରିବା ସହ ସରକାରଙ୍କ ଏହି ଯୋଜନାକୁ ଫଳପ୍ରଦ କରିବାକୁ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ସ୍ଥାନୀୟ ଟାଉନହଲ ଠାରେ କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ ୧୭-୧୮ ବୟସର ଡ୍ରପଆଉଟ ପିଲାଙ୍କ ପାଇଁ ଧନ୍ଦାମୂଳକ ଶିକ୍ଷା କାଉନସିଲିଂ କାର୍ଯ୍ୟକ୍ରମରେ ମତପ୍ରକାଶ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ଓସେପା ଧନ୍ଦାମୂଳକ ଶିକ୍ଷା ଡେପୁଟି-ଡ଼ାଇରେକ୍ଟର କଳ୍ପନା ହାଂସଦା, ଓସେପା ଏସଟି ଏସସି ସଂଯୋଜିକା ଚିନ୍ମୟୀ ସାହୁ, ଧନ୍ଦାମୂଳକ ଶିକ୍ଷା ସଂଯୋଜକ କପିଳାସ ଅଦାବର, ଓସେପା ଟିମ ସଦସ୍ୟ ପ୍ରଫୁଲ୍ଲ ସେନାପତି, ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ ଉତ୍ତରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ନର୍ଲା ବିଇଓ ତପିମଣି ଜାନି, ଭବାନୀପାଟଣା ବିଇଓ ସୁନନ୍ଦା ପଣ୍ଡା, କୋକସରା ବିଇଓ ନେପାଳଚନ୍ଦ୍ର ବାଗ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ନର୍ଲା ବ୍ଲକରୁ ୩୦, ଲାଞ୍ଜିଗଡ଼ ବ୍ଲକରୁ ୧୭, ଭବାନୀପାଟଣାରୁ ୩୩, କୋକସରାରୁ ୨୧ଜଣ ଛାତ୍ରଛାତ୍ରୀ ଓ ତାଙ୍କ ପିତା ମାତା ଯୋଗ ଦେଇ କାଉନସିଲିଂରେ ଟ୍ରେଡ଼ ଚୟନ କରିଥିଲେ । ସେମାନେ ଭୁବନେଶ୍ୱର ଯାଇ ଚୟନ କରିଥିବା ଟ୍ରେଡ଼ରେ ତାଲିମ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଜାରି ରହିବ । ତେଣୁ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଡ୍ରପଆଉଟ ପିଲାଙ୍କୁ ଏଥିରେ ସାମିଲ କରେଇ ସେମାନଙ୍କର ଭବିଷ୍ୟତ ଗଠନ କରିବା ପାଇଁ ଅତିଥିମାନେ ଆହ୍ୱାନ କରିଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରୁ ଆସିଥିବା ଓସେପା ଧନ୍ଦାମୂଳକ ଉପ-ନିର୍ଦ୍ଦେଶିକା ଶ୍ରୀମତୀ ହାଂସଦାଙ୍କ ନେତୃତ୍ୱରେ ୪ଜଣ ଅଧିକାରୀ କିଛିଦିନ ଧରି କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କୁ ପରିଦର୍ଶନ କରି ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସଚେତନତା ସୃଷ୍ଟି କରିଥିଲେ । ଏଥିରେ ସମସ୍ତ ଡିଇଓ ଅଫିସ, ଡିପିସି ଅଫିସର କର୍ମଚାରୀ, ବିଇଓ, ଏବିଇଓ, ସିଆରସିସି ଓ ପିଏଫଇଏଲ ସଦସ୍ୟ ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ଲାନିଂ କୋଅର୍ଡିନେଟର ନିହାରିକା ପଣ୍ଡା ଓ ଏସଟି ଏସସି କୋଅର୍ଡିନେଟର ଶ୍ରଦ୍ଧାଞ୍ଜଳି ଦାଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.