ଖଲ୍ଲିକୋଟ ବ୍ଲକରେ ଫେଲ୍ ମାରିଛି ମିଲେଟ୍ ମିଶନ୍

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ରାଜ୍ୟ ସରକାର ଶିଶୁ ଓ ଗର୍ଭବତୀ ଓ ପ୍ରସୂତିଙ୍କୁ କୁପୋଷଣରୁ ମୁକ୍ତ କରିବା ପାଇଁ ସର୍ବାଧିକ ପୋଷଣ ଶକ୍ତି ସମ୍ପନ୍ନ ମାଣ୍ଡିଆକୁ ବ୍ୟବହାର କରିବା ପାଇଁ ଗୁରୁତ୍ୱ ଆରୋପ କରି ମିଲେଟ ମିଶନ କାର୍ଯ୍ୟକ୍ରମ ଆରମ୍ଭ କେରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ମାଣ୍ଡିଆ ଚାଷ ପାଇଁ ଆବଶ୍ୟକ ଭୂମି ଓ ପାଗ ଅନୁକୂଳ ଥିବା ବେଳେ କୃଷି ବିଭାଗର ତତ୍ପରତା ଅଭାବ ଯୋଗୁ ମିଲେଟ ମିଶନ ବସ୍ତୁତଃ ଫେଲ ହୋଇଥିବା ଜଣାପଡିଛି । ଖଲ୍ଲିକୋଟ ବ୍ଲକରେ ପରୀକ୍ଷା ମୂଳକ ଭାବେ ଚିକିଲି ପଞ୍ଚାୟତର କାଳଞ୍ଜୀପଲ୍ଲୀରେ ୨୦ ହେକ୍ଟର, ବିଏନପୁର ପଞ୍ଚାୟତ ଝରପଲ୍ଲୀରେ ୧୦ ହେକ୍ଟର ଓ ମେଦିପୁରରେ ୧୦ ହେକ୍ଟର ମାଣ୍ଡିଆ ଚାଷ କରାଯାଇଥିଲା । ଚଳିତ ବର୍ଷ ବ୍ଲକର ଅନ୍ୟ କେତକ ପଂଚାୟତ ଏହି ଚାଷ କରିବା ପାଇଁ ପ୍ରସ୍ତାବକୁ ଅନୁମୋଦନ ପାଇଁ ପଠା ଯାଇଥିବା ବେଳେ ଆକ୍ସନ ପ୍ଲାନ ପ୍ରସ୍ତୁତକୁ ଅପେକ୍ଷା କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ନାମ ମାତ୍ର ଚାଷୀ ମାନେ ଏହି ଚାଷକୁ କରୁଥିବା ବେଳେ ଆବଶ୍ୟକ ବଜାର ନଥିବା ଯୋଗୁ ଚାଷୀ  ବିକ୍ରିବଟାରେ ବାଧା ଉପୁଜୁଥିବାରୁ ମାଣ୍ଡିଆ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ମାଣ୍ଡିଆ ଚାଷକୁ ଖଲ୍ଲିକୋଟ ବ୍ଲକରେ ଆବଶ୍ୟକ ସରକାରୀ ପ୍ରୋତ୍ସାହନ ମିଳିପାରୁନି । ଏହି ଚାଷ ପାଇଁ ଡ଼ିମିରିଆ, କନକା, ଚିକିଲି, ବାଣିଆ, ଏସକେଏସ ପୁତ୍ର, ବାଦ ପଲ୍ଲୀ, ଖୋଜାପଲ୍ଲୀ, ତୁଳସୀପୁର ପଭୂତି ପଞ୍ଚାୟତରେ ଆବଶ୍ୟକ ପରିମାଣ ମାଣ୍ଡିଆ ଚାଷ ଉପଯୋଗୀ ପାହାଡିଆ ଓ ଢଲୁଆ ଜମି ଥିବା ଯୋଗୁ ମାଣ୍ଡିଆ ଚାଷ ପାଇଁ ଭରପୁର ସମ୍ଭାବନା ରହିଛି । ତେଣୁ ସରକାର ମହିଳା ଏସଏଚଜି ମାନଙ୍କୁ ଅଧିକ ପରିମାଣ ମାଣ୍ଡିଆ ଚାଷ ତାଲିମ ସାଙ୍ଗକୁ ମାଣ୍ଡିଆରୁ ବିଭିନ୍ନ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବାର ସୁଯୋଗ ସୃଷ୍ଟି କଲେ ମହିଳା ଚାଷୀ ମାନେ ଉପକୃତ ହେବେ ବୋଲି ବ୍ଲକର ଅଗ୍ରଣୀ ଚାଷୀ ମାନଙ୍କ ସୂତ୍ରରୁ ପ୍ରକାଶ । ତେବେ ଖଲ୍ଲିକୋଟ ବ୍ଲକ ମିଲେଟ ମିଶନ ଉପରେ ଏଯାବତ କୌଣସି ଗୁରୁତ୍ୱ ଦିଆଯାଇ ନାହିଁ । ତେଣୁ ମହିଳା ଚାଷୀମାନଙ୍କୁ ଆବଶ୍ୟକ ମାଣ୍ଡିଆ ବିହନ ଓ କୀଟ ନାଶକ ଔଷଧ ସାଙ୍ଗକୁ ବୈଷୟିକ ପରାମର୍ଶ ଦିଆଗଲେ ଖଲ୍ଲିକୋଟ ବ୍ଲକ ମାଣ୍ଡିଆ ଉତ୍ପାଦନରେ ଜିଲ୍ଲାରେ ଅଗ୍ରଣୀ ଭୂମିକା ନିଭାଇବାର ସମ୍ଭାବନା ରହିଛି । ଦୀର୍ଘ ୬ ବର୍ଷ ହେଲା ମିଲେଟ ମିଶନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଖଲ୍ଲିକୋଟ ବ୍ଲକକୁ ଏହାର ସଫଳତା ପହଞ୍ଚି ପାରିନି । ଏଣେ ଚଳିତ ବର୍ଷ ଓଡିଶାରେ ୮ ଲକ୍ଷ ହେକ୍ଟର ମାଣ୍ଡିଆ ଚାଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିବା ପ୍ରକାଶ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.