ମୁଖ୍ୟମନ୍ତ୍ରୀ ହେଲେ ଗୃହବନ୍ଦୀ; ଗ୍ରାମବାସୀଙ୍କ ଦ୍ୱାରା ୪ ଘଣ୍ଟା ଧରି ଗୋଟିଏ ଘରେ ଅଟକ

ଓଡ଼ିଆ ବାର୍ତ୍ତା/ ଚଣ୍ଡୀଗଡ:  ହରିଆଣା ମୁଖ୍ୟମନ୍ତ୍ରୀ ହେଲେ ଗୃହବନ୍ଦୀ । ଦୀର୍ଘ ୪ଘଣ୍ଟା କାଳ ଗୋଟିଏ ଘରେ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଦେଲେ ଗ୍ରାମବାସୀ । ଗ୍ରାମଲୋକଙ୍କ ଅସନ୍ତୋଷ ଏତେ ଉଗ୍ର ରୂପ ନେଇଥିଲା ଯେ ତାଙ୍କ ଆକ୍ରୋଶର ଶିକାର ହେଲେ ନିଜେ ମୁଖ୍ୟମନ୍ତ୍ରୀ । ଏମିତି ଘଟଣା ଘଟିଛି ହରିଆଣାରେ  । ହରିଆଣା ମୁଖ୍ୟମନ୍ତ୍ରୀ  ମନୋହର ଲାଲ ଖଟ୍ଟର ମହେନ୍ଦ୍ରଗଡରେ ଏକ ତିନି ଦିବସୀୟ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ । ଶୁକ୍ରବାର ଥିଲା କାର୍ଯ୍ୟକ୍ରମର ଅନ୍ତିମ ଦିବସ ସୀମହା ଗାଁରେ ଥିଲା । ଏହି ଅବସରରେ ଗ୍ରାମବାସୀ ତାଙ୍କ ଗାଁକୁ ଉପ ତହସିଲ ମାନ୍ୟତା ଦେବାକୁ ଦାବି କରିଥିଲେ । କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଶେଷ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଗ୍ରାମକୁ ଉପ ତହସିଲ ମାନ୍ୟତା ଦେବାର ଘୋଷଣା ବି କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଦୋଗଣ୍ଡା ଗାଁରେ ରାତ୍ରିଯାପନ କରିଥିଲେ । ଗ୍ରାମବାସୀ ଭାବିଥିଲେ ଗାଁ ପାଇଁ କିଛି ପ୍ୟାକେଜ ଘୋଷଣା କରିବେ । କାରଣ ରାଜ୍ୟର ମୁଖ୍ୟ ଆଜି ତାଙ୍କ ଗାଁରେ ରାତ୍ରିଯାପନ ଯେହେତୁ କରୁଛନ୍ତି । ହେଲେ ଗାଁ ଲୋକେ ଯେମିତି ଜାଣିବାକୁ ପାଇଲେ ଯେ ମୁଖ୍ୟମନ୍ତ୍ରୀ ସୀମହା ଗାଁକୁ ଉପତହସିଲ ଘୋଷଣା କରିଛନ୍ତି, ସେମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତକୁ ବହିଷ୍କାର କରିଥିଲେ ଏବଂ ସେହି ରାତିରେ ହିଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଆରମ୍ଭ କରି ଦେଇଥିଲେ । ପୁରା ଗାଁର ମହିଳା ଓ ଶିଶୁ ଆସି ମୁଖ୍ୟମନ୍ତ୍ରୀ ବିଶ୍ରାମ ନେଇଥିବା ଘର ସାମ୍ନାରେ ଏକାଠି ହୋଇଥିଲେ । ସେଠାରେ ମୁତୟନ ଥିବା ପୋଲିସ ସେମାନଙ୍କୁ ବହୁତ ବୁଝାସୁଝା କରିଥିଲା  । ହେଲେ ଗ୍ରାମବାସୀ ଜିଦରେ ଅଟଳ ଥିଲେ ।  ଏହି ସମୟରେ ସ୍ଥାନୀୟ ଅଟେଳିର ବିଧାୟକ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ହେଲେ ଗ୍ରାମବାସୀ ବିଧାୟକଙ୍କ ବିରୋଧରେ ବି ନାରାବାଜି କରିବାକୁ ଲାଗିଲେ । ଏହାପରେ ପୂର୍ବତନ ଶିକ୍ଷାମନ୍ତ୍ରୀ ଆସି ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଗ୍ରାମବାସୀ ତାଙ୍କ ବିରୋଧରେ ବି ବର୍ଷିଥିଲେ । ଆସ୍ତେ ଆସ୍ତେ ପରିସ୍ଥିତି ଗୁରୁତର ହୋଇଥିଲା । ପୁରା ଗାଁ ପୋଲିସ ଛାଉଣୀ ହୋଇ ଯାଇଥିଲା । ଗ୍ରାମବାସୀ ସ୍ଥାନୀୟ ବିଧାୟକଙ୍କୁ ସେଠାରୁ ହଟାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ବିଶ୍ରାମ ନେଇଥିବା ଘରକୁ ପୁରା ଘେରି ଯାଇଥିଲେ । ଶେଷରେ ଗ୍ରାମରେ ଉତ୍ତେଜନା ବଢୁଥିବା ଦେଖି ପୋଲିସ ଅଧିକାରୀଙ୍କ ସହିତ ଅନ୍ୟ ପ୍ରଶାସନିକ ଅଧିକାରୀ ବି ସେଠାରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅତିରିକ୍ତ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ଶେଷରେ ମୁଖ୍ୟମନ୍ତ୍ରୀ ଗାଁର କିଛି ଲୋକଙ୍କୁ ଘର ଭିତରକୁ ଡାକିଥିଲେ । ଦୀର୍ଘ ସମୟ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ସେ ପ୍ରକୃତ ସ୍ଥିତି ଜାଣି ନ ଥିଲେ । ପରବର୍ତ୍ତୀ ସମୟରେ ସେ ଅଟେଳୀ ଗସ୍ତରେ ଆସିବେ ଏବଂ ସର୍ଭେ କରିବେ । ଉଚିତ ଗାଁକୁ ଉପ ତହସିଲ ଘୋଷଣା କରିବେ । ଏହା ପରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.