ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୀର୍ଘ ୩୭ ବର୍ଷ ଧରି କ୍ରୀଡ଼ା ସେବାରେ ଥିବା ଶ୍ରୀ ପଣ୍ଡା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସ୍କାଉଟ୍ ଓ ଗାଇଡ୍ ତଥା ଜୁନିଅର ରେଡକ୍ରସ କ୍ଷେତ୍ରରେ ଜିଲ୍ଲା ଶିକ୍ଷା ବିଭାଗକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। ସେ ସ୍କୁଲ ଛାତ୍ରଙ୍କୁ ଫୁଟବଲ ଖେଳରେ ଜାତୀୟ ସ୍ତର ଯାଏଁ ପହଞ୍ଚାଇ ଥିବା ବେଳେ ରାଜ୍ୟ ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତାରେ ଆବାହକ ଦାୟିତ୍ୱ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ୨୦୧୭ ମସିହାରେ ଜୁନିଅର ରେଡକ୍ରସ ଏବଂ ୨୦୨୧ ଓ ୨୦୨୨ ମସିହାରେ କ୍ରମାଗତ ଭାବେ ଦୁଇବର୍ଷ ଧରି ସ୍କାଉଟ୍ ଓ ଗାଇଡରେ ରାଜ୍ୟର ଶ୍ରେଷ୍ଠ ଜିଲ୍ଲା ଭାବେ କଳାହାଣ୍ଡି ରାଜ୍ୟପାଳ ପୁରସ୍କାର ପାଇବାରେ ତାଙ୍କର ଭୂମିକା ଅନାସ୍ବୀକାର୍ଯ୍ୟ। ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ସେକ୍ସନ ଅଫିସର ଟଂକଧର ସାହୁ, ବରିଷ୍ଠ ଅମଲା ଜିତେନ୍ଦ୍ର ମୁଣ୍ଡ, ଶଗଡ଼ା ହାଇସ୍କୁଲର ପ୍ରଧାନଶିକ୍ଷକ ସୁକାନ୍ତ ସାହୁ, ବୋର୍ଡା ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରକାଶ ନିଶଙ୍କ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।