ମଣିପୁର ହିଂସା; ପି. ଡୋଙ୍ଗଲ ଡିଜିପି ପଦରୁ ବିଦା, ରାଜୀବ ସିଂ ହେଲେ ନୂଆ ପୋଲିସ ଡିଜି

ଓଡ଼ିଆ ବାର୍ତ୍ତା/ ଇମ୍ଫାଲ୍: ଅଶାନ୍ତ ମଣିପୁରରେ ସ୍ଥିତି ସ୍ୱାଭାବିକକୁ ଆଣିବାକୁ ସରକାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ତ୍ରିପୁରା କ୍ୟାଡରର ଆଇପିଏସ୍ ରାଜୀବ ସିଂଙ୍କୁ ପୂର୍ବତ୍ତୋର ରାଜ୍ୟ ମଣିପୁରର ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଛି । ପି. ଡୋଙ୍ଗଲଙ୍କ ସ୍ଥାନରେ ମଣିପୁରର ନୂଆ ପୋଲିସ ଡିଜି ହୋଇଛନ୍ତି ରାଜୀବ ସିଂ । ପି. ଡୋଙ୍ଗଲଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ତତକ୍ଷଣାତ୍ ପି ଡୋଙ୍ଗଲଙ୍କ ଠାରୁ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ ପାଇଁ ରାଜୀବ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ସେନା ସହ ଆସାମ ରାଇଫଲ୍ସର ଯବାନ ମୁତୟନ ହୋଇଛନ୍ତି । ମେ ୩ରୁ ମଣିପୁରରେ ହିଂସା ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ ଗତ ମାସରେ କହିଥିଲେ, ୬୦ ଲୋକଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ଅନେକ ସ୍ଥାନରେ ହିଂସାକାରୀ ଘର ଜାଳି ଦେଇଥିବା ସେ କହିଥିଲେ । ହିଂସା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁରରେ ରହି ସ୍ଥିତି ପରଖିବା ସହ ଘନ ଘନ ବୈଠକ କରିଛନ୍ତି । ମଣିପୁର ହିଂସା ପାଇଁ କେନ୍ଦ୍ର ସରକାର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ସାମ୍ବିଧାନିକ ତଦନ୍ତ କମିଟି ଗଠନ କରିଥିବା କହିଛନ୍ତି ଅମିତ ଶାହ । ଏହି କମିଟି ହିଂସାରେ ଧନଜୀବନ ହାନିର ତଦନ୍ତ କରିବ । ଏଥିସହ ମଣିପୁର ହିଂସାର ତଦନ୍ତ ସିବିଆଇକୁ ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଏଥିସହ ରାଜ୍ୟପାଳ ଏକ ଶାନ୍ତି କମିଟି ଗଠନ କରିବେ ବୋଲି ସେ କହିଛନ୍ତି । ମେ ୩ରେ ମୈତେଇ ବର୍ଗଙ୍କୁ ଆଦିବାସୀ ମାନ୍ୟତା ଦାବି କରି ଆରମ୍ଭ ହୋଇଥିବା ପ୍ରତିବାଦରୁ ହିଂସା ସୃଷ୍ଟି ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.