ବିଶ୍ବ ପରିବେଶ ଦିବସ

ବିଶ୍ବବିଜୟୀ ଦାଶ

ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ସଚ଼େତନତା ସୃଷ୍ଟି ଉଦ୍ଦେଶ୍ୟରେ ସାରା ବିଶ୍ବରେ ଜୁନ ୫ ରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଉଛି। ଜାତିସଂଘର ସାଧାରଣ ପରିଷଦ ପକ୍ଷରୁ ୧୯୭୨ରେ ପ୍ରଥମକରି ଏହି ଦିବସ ପାଳନ କରାଯାଇଥିଲା। ମାନବ ପରିବେଶ ଉପରେ ଷ୍ଟକହୋମ୍‍ ସମ୍ମିଳନୀର ପ୍ରଥମ ଦିନରେ ଏହି ଦିବସ ପାଳିତ ହୋଇଥିଲା। ତାହାର ଦୁଇବର୍ଷ ପରେ ୧୯୭୪ରେ ‘କେବଳ ଗୋଟିଏ ବିଶ୍ୱ’ ସ୍ଲୋଗାନକୁ ନେଇ ବିଶ୍ୱ ପରିବେଶ ଦିବସ ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ପରିବେଶରେ ହେଉଥିବା ପ୍ରଦୂଷଣ, ତାପମାତ୍ରା ବୃଦ୍ଧି, ବହୁ ଜୀବଜଗତର ବିଲୋପ, ଅନିୟମିତ ବୃଷ୍ଟିପାତ, ବନ୍ୟା, ମରୁଡି, ବାତ୍ୟା ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟିକରି ପ୍ରକୃତି ଓ ପରିବେଶର ସୁରକ୍ଷା କରିବା। ତାହାସହିତ ସମସ୍ତ ଜୀବଜଗତକୁ ସୁରକ୍ଷିତ ରଖିବା। ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହିଦିନ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ପରିବେଶ ଓ ପ୍ରକୃତି । ଏ ଦୁଇଟି ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପ୍ରକୃତି ଶାନ୍ତ, ସ୍ଥିର ଓ ସ୍ୱାଭାବିକ ରହିବା ପାଇଁ ପରିବେଶ ନିହାତି ପ୍ରଦୂଷଣମୁକ୍ତ ରହିବା ଦରକାର । ପରିବେଶକୁ ସବୁ ପ୍ରକାର ପ୍ରଦୂଷଣରୁ ସୁରକ୍ଷିତ ରଖିବା କାମ ହେଉଛି ମଣିଷ ସମାଜର । ମଣିଷ ଯଦି ନିଜ ପରିବେଶକୁ ପରିଷ୍କାର ଓ ପରିମଳ ରଖିବାକୁ ଯଥାସାଧ୍ୟ ପ୍ରଯତ୍ନ କରେ, ତେବେ ପ୍ରକୃତିରାଣୀ ହସିଉଠିବ । ଆଉ ଶାନ୍ତଚିତ୍ତରେ ଭେଟିଦେବ ଗଦାଗଦା ଆଶୀର୍ବାଦ । ଅନ୍ୟଥା ଏହା ମଣିଷର ପ୍ରତିଟି ପରିବେଶ ପ୍ରତିକୂଳ ପଦକ୍ଷେପର ହିସାବ ନେବ ଏବଂ ପ୍ରତିକ୍ରିୟା ପ୍ରକାଶ କରିବ।ଏହି ବିଶ୍ବ ପରିବେଶ ଦିବସ ଅବସରରେ ଆମେ ଆମ ପରିବେଶ ସମ୍ପର୍କରେ ପୁଣି ଥରେ ଟିକେ ଚ଼ିନ୍ତା କରିବାର ଆବଶ୍ୟକତା ରହିଛି, ପ୍ରକୃତିର ଏହି ସୁନ୍ଦର ସୃଷ୍ଟିକୁ କେବେ ବି ନଷ୍ଟ କରନ୍ତୁ ନାହିଁ। ପ୍ରକୃତି ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣ ନିୟତ୍ନଣ କରିବା ହୁଏତ ସମ୍ଭବ ନୁହେଁ କିନ୍ତୁ ମନୁଷ୍ୟକୃତ ବାୟୁ ପ୍ରଦୂଷଣ କୁ ନିୟତ୍ନଣ କରାଯାଇପାରିବ। ଏବେ ଏହାକୁ ପ୍ରତିହତ ନକଲେ ପରପଢ଼ି ପାଇଁ ବଡ଼ ଆହ୍ବାନର ମୁକାବିଲା କରିବାକୁ ପଡ଼ିବ, ଟଙ୍କା ଥାଇ ବି ମନୁଷ୍ୟ ନିଜ ପାଇଁ ଅମ୍ଲଜାନ କିଣିବା ଅସମ୍ଭବ ହୋଇପଡ଼ିବ।ତେଣୁ ଏବେଠୁ ଜନସାଧାରଣ ସତର୍କ ହୋଇ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି। ମଣିଷ ନିଜର ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ପରିବେଶକୁ ବ୍ୟବହାର କରିବାରେ ଲାଗିଛି। ଏପରିକି ମଣିଷର ଅବିଚ଼ାରିତ କାର୍ଯ୍ୟ ପାଇଁ ଜୈବ ବିବିଧତା ନଷ୍ଟ ହେବାରେ ଲାଗିଛି। ତାହା ସହିତ ପ୍ରାକୃତିକ ସମ୍ବଳ ର ଦ୍ରୁତ ଅବକ୍ଷୟ ଘଟି ସମୁଦାୟ ପରିବେଶ ବ୍ୟବସ୍ଥା ପ୍ରଭାବିତ ହେଉଛି। ଏହାର ପରିଣତିରେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି, ପରିବେଶରେ ଅଧୋପତନ, ସମୁଦ୍ର ଜଳରେ ଅମ୍ଳୀୟ ଅଂଶ ବୃଦ୍ଧି ସହିତ ସାମୁଦ୍ରିକ ପ୍ରାଣୀ ବିଲୋପ ପାଇବା ଏବଂ ମୋଟ ଉପରେ ଜୈବମଣ୍ଡଳର ଦ୍ରୁତ ଅବକ୍ଷୟ ଘଟିବାରେ ଲାଗିଛି। ମଣିଷର ବିବେକହୀନ କାର୍ଯ୍ୟ ପାଇଁ ପୃଥିବୀ ପୃଷ୍ଠରୁ ବହୁ ଜୀବଜନ୍ତୁ ଓ ଉଦ୍ଭିଦ ଇତିମଧ୍ୟରେ ସଂପୂର୍ଣ୍ଣ ଲୋପପାଇସାରିଲେଣି ଏବଂ ଆଉ ଅନେକ ବିଲୁପ୍ତପ୍ରାୟ ସ୍ଥିତିରେ। ପ୍ରାକୃତିକ ସମ୍ବଳର ମାତ୍ରାଧିକ ବ୍ୟବହାର, କଳକାରଖାନା, ଗାଡ଼ିମୋଟର, କୃଷିକ୍ଷେତ୍ରରେ ରାସାୟନିକ ଦ୍ରବ୍ୟର ପ୍ରୟୋଗ ଆଦି ଦ୍ବାରା ବାୟୁମଣ୍ଡଳ ମାତ୍ରାଧିକ ପ୍ରଦୂଷିତ ହେବା ଏବଂ ଜଙ୍ଗଲକ୍ଷୟ ଭଳି ଘଟଣା ବ୍ୟାପକ ଭାବରେ ଘଟିଚ଼ାଲିଛି। ଏହି କାରଣରୁ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ଘଟୁଛି ଏବଂ ଭୀଷଣ ବାତ୍ୟା, ବନ୍ୟା, ମରୁଡ଼ି ଏବଂ ମହାମାରୀ ବ୍ୟାପିବା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ଘଟିବାରେ ଲାଗିଛି। ପରିବେଶ ବିଷୟରେ କେବଳ ବିଶ୍ବ ପରିବେଶ ଦିବସରେ ଚ଼ିନ୍ତା କରିବା ନୁହେଁ ପ୍ରତ୍ୟେକ ଦିନ ପରିବେଶ ବିଷୟ ରେ ଚ଼ିନ୍ତା କରିବାର ଆବଶ୍ୟକତା ରହିଛି।ଏଣୁ ଆଗାମୀ ଦିନରେ ପରିବେଶ କିପରି ସୁରକ୍ଷିତ ରହିବ ସମସ୍ତ ନାଗରିକ ବୃକ୍ଷରୋପଣ କୁ ଗୁରୁତ୍ବ ଦେଇ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଯତ୍ନବାନ ହେବା ଆବଶ୍ୟକ।ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। ଏହି ବିଶ୍ବ ପରିବେଶ ଦିବସ ଅବସରରେ ଆସନ୍ତୁ ସମସ୍ତେ ଶପଥ ନେବା ବୃକ୍ଷରୋପଣ କରିବା, ପରିବେଶ ପ୍ରଦୂଷଣକୁ ରୋକିବା।

ବି.ଏସସି, ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ ନଂ: ୬୩୭୦୨୦୮୪୨୮
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.