ଓଡ଼ିଆ ବାର୍ତ୍ତା/ ଇସଲାମାବାଦ: ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନକୁ ପ୍ରତିକୂଳ ପାଗ ଯୋଗୁଁ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବାକୁ ପଡ଼ିଥିଲା। ଫ୍ଲାଇଟ୍ ୬ଇ-୬୪୫ ଅଟାରି ସୀମା ଉପରେ ବିପଥଗାମୀ ହୋଇଥିଲା। ଯାହା ଗୁଜରାନବାଲା ଯାଏ ଉଡ଼ାଣ ଭରିଥିଲା। ତେବେ ଦୁଇ ଦେଶର ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ ଭାରତୀୟ ବାୟୁସୀମାକୁ ସୁରକ୍ଷିତ ଭାବେ ଫେରିଆସିଥିଲା। ଅମୃତସର ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଜରିଆରେ ଟେଲିଫୋନ୍ ଯୋଗେ ପାକିସ୍ତାନ ସହ ଏହି ବ୍ୟତିକ୍ରମକୁ ଭଲ ଭାବେ ସମନ୍ୱୟ କରାଯାଇଥିଲା ବୋଲି ଏୟାରଲାଇନ୍ ପକ୍ଷରୁ କୁହାଯାଇଛି। ବିମାନର କର୍ମଚାରୀମାନେ ରେଡିଓ/ଟେଲିଫୋନି (ଆର/ଟି)ରେ ପାକିସ୍ତାନ ସହ ନିରନ୍ତର ଯୋଗାଯୋ ରକ୍ଷା କରିଥିଲେ ଏବଂ ଡାଇଭର୍ସନ ପରେ ବିମାନଟି ସଫଳତାର ସହ ଅହମ୍ମଦାବାଦରେ ଅବତରଣ କରିଥିଲା। ପାକିସ୍ତାନର ‘ଡନ୍’ ଖବରକାଗଜ ରିପୋର୍ଟ ଅନୁଯାୟୀ, ୪୫୪ ନଟ୍ ବେଗରେ ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ଏହି ବିମାନ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଲାହୋରର ଉତ୍ତରରେ ପ୍ରବେଶ କରିଥିଲା ଏବଂ ରାତି ୮ଟା ୧ ମିନିଟରେ ପୁଣି ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା। ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାଗ ଖରାପ ସମୟରେ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ବିମାନ ଉଡ଼ାଣ କରିବା ଅନୁଚିତ। ମେ’ ମାସରେ ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସର ଏକ ବିମାନ ପ୍ରାୟ ୧୦ ମିନିଟ୍ ଧରି ଭାରତୀୟ ଆକାଶରେ ପ୍ରବେଶ କରିବା ପରେ ଏଭଳି ଘଟଣା ଘଟିଥିଲା। ମସ୍କଟରୁ ଆସିଥିବା ପିଆଇଏ ବିମାନ PK୨୪୮ ମେ’ ୪ ତାରିଖରେ ଲାହୋରର ଆଲାମା ଇକବାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଏହାର ଗତିପଥ ବଦଳାଇବାକୁ ପଡ଼ିଥିଲା।