ଅବ୍ୟବସ୍ଥା ଘେରରେ ପାଲୁଙ୍କିଆ ପ୍ରାଥମିକ ବିଦ୍ୟାଳୟ

୫ଟି ଶ୍ରେଣୀକୁ ଦୁଇଟି କୋଠରୀ, ଦୁଇ ଜଣ ଶିକ୍ଷକ

ସ୍କୁଲ କୋଠା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ସରକାର ଏହି ସ୍ଲୋଗାନ ଦେଇ ସମସ୍ତେ ଯେଭଳି ପାଠ ମୁହାଁ ହେବେ ସେଥି ପ୍ରତି ଯତ୍ନବାନ ହୋଇ ପଢିବା ନିମନ୍ତେ ଉତ୍ତମ ଶିକ୍ଷା ବ୍ୟବସ୍ଥା ସହିତ ଭିଭିଭୂମି ସଜାଡୁଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ପାଲୁଙ୍କିଆ ପ୍ରାଥମିକ ବିଦ୍ୟାଳୟ ଅବସ୍ଥା କହିଲେ ନସରେ । ଏହି ବିଦ୍ୟାଳୟଟି ୧୯୬୦ ମସିହାରେ ସ୍ଥାପିତ ହୋଇଥିବା ବେଳେ ଏଠାରେ ଆଜି ପର୍ଯ୍ୟନ୍ତ କୋଠାଘରେ ପିଲା ପାଠପଢି ପାରିଲେନି । ଆଜକୁ ୮ବର୍ଷ ତଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଗୋଟିଏ ଶ୍ରେଣୀ ଗୃହ କାର୍ଯ୍ୟ ଆରମ୍ଭ କରିଛନ୍ତି କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ପାରିନାହିଁ । ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି l ଏଥ‌ିରେ ନିୟୋଜିତ ଶ୍ରମିକଙ୍କ ମୂଲ ବି ମିଳିନାହିଁ । ବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମରୁ ୫ମ ଶ୍ରେଣୀରେ ୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନାହିଁ କି ଶିକ୍ଷକ ନାହାନ୍ତି । ବିଦ୍ୟାଳୟର କାର୍ଯ୍ୟାଳୟକୁ ମିଶାଇ ଦୁଇଟି ପ୍ରକୋଷ୍ଠ ରହିଛି ତାହାପୁଣି ଭଗ୍ନ ଅବସ୍ଥାରେ । ବର୍ଷା ହେଲେ ପାଣି ଗଳୁଛି । ଦିନ ବେଳେ ଆକାଶ ଦିଶୁଛି । ୫ଟି ଶ୍ରେଣୀର ପିଲାଏ ମାତ୍ର ଦୁଇଜଣ ଶିକ୍ଷକରେ ଦୁଇଟି ଶ୍ରେଣୀରେ ବସି ପାଠ ପଢନ୍ତି। ଯଦି ପ୍ରଧାନ ଶିକ୍ଷକ କୌଣସି କାର୍ଯ୍ୟରେ ଗଲେ ତେବେ ପାଠପଢା ଠପ୍ ହୋଇଯାଏ । କାରଣ ଜଣେ ଶିକ୍ଷକ ୫ ଶ୍ରେଣୀର ପିଲାଙ୍କୁ ପଢାଇବା ସମ୍ଭବପର ହେଉନାହିଁ । ଆମ ପିଲାମାନେ କ’ଣ ଏତେ ଦୟନୀୟ ଅବସ୍ଥାରେ ପାଠପଢିବେ କି ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲଙ୍କେଶ୍ଵର ଦିଗାଳ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲିଖତ ଆକାରରେ ଜଣାଇଲେ ବି କିଛି ପ୍ରତିକାର ହୋଇନାହିଁ ବୋଲି କହିଛନ୍ତି ସଭାପତି ଓ ଗ୍ରାମବାସୀ । ଏ ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ବିଭାଗ ଅବଗତ ଅଛି, ପିଲା ସଂଖ୍ୟା ଅନୁସାରେ ଶିକ୍ଷକ ଅଛନ୍ତି ଏବଂଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ଯାହା ରହିଛି ଆମେ ଆମ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ, ସେ ଯାହା ପଦକ୍ଷେପ ନେବେ । ଅନ୍ୟପକ୍ଷରେ ତୁରନ୍ତ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ଶ୍ରେଣୀଗୃହ ଓ ଶିକ୍ଷକ ସମସ୍ୟା ସମାଧାନ ନହେଲେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏଥି ପ୍ରତି କନ୍ଧମାଳ ଜିଲ୍ଲାପାଳ ଓ ବାଲିଗୁଡା ଉପଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.