ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ହୋଙ୍ଗଝାଉ ଏସିଆନ ଗେମ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ଭାରତୀୟ ଜୁଡୋ ଟିମର ୫ ଖେଳାଳି ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ଏପ୍ରିଲ ୪ରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଟ୍ରାଏଲ୍ସରେ ଜୁଡାକୋମାନଙ୍କ ଡୋପ ସାମ୍ପୁଲ ନିଆ ଯାଇଥିଲା । ରିପୋର୍ଟ ଆସିବା ପରେ ୫ ଖେଳାଳିଙ୍କ ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧ ଲାଗୁ କରାଯାଇଛି । ଏହି ଖବର ହସ୍ତଗତ ହେବା ପରେ ସାଇ ଅଧିକାରୀମାନେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି । ରିପୋର୍ଟ ପାଇବା ପରେ ଆମେ ଏ ସମ୍ପର୍କରେ ଜାଣିଲୁ ବୋଲି ମୂଖ୍ୟ କୋଚ ଯଶପାଲ ସୋଲାଙ୍କୀ କହିଛନ୍ତି ।
ଆମ ବିରୋଧରେ ସୁଚିନ୍ତିତ ଷଡଯନ୍ତ୍ର ରଚାଯାଇଛି ବୋଲି ପଜିଟିଭ ଆସିଥିବା ଜଣେ ଜୁଡାକୋ କହିଛନ୍ତି । ଏପରିକି ଭାରତୀୟ ଜୁଡୋ ସଂଘ ପଦାଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି । ମୋହସୀନ ଗୁଲାବ ଅଲୀ, ହର୍ଷଦୀପ ବରାଡ, ରାହୁଲ ସେବତା ଓ ଅକ୍ଷୟଙ୍କ ଯାଂଚ ରିପୋର୍ଟ ପଜିଟିଭ ଆସିଥିବା ସ୍ପଷ୍ଟ ହୋଇଛି । ଅନ୍ୟ ଜଣେ ଜୁଡାକୋଙ୍କ ନାମ ହସ୍ତଗତ ହୋଇ ନାହିଁ ।