ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଓଡିଶା ସରକାରଙ୍କ ଯୋଜନା ଓ ସମ୍ୱନ୍ୟୟ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନେତୃତ୍ୱରେ ନୂଆପଡା ଏନଏସି ଅଧକ୍ଷ ମହମ୍ମଦ ଆଦମଙ୍କ ଘର ବାହୁଡା଼ ହୋଇଛି | ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ନୂଆପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗଦେଇଛନ୍ତି | ଏହି ଅବସରରେ ବିଜେପି କାଉନସିଲର ତୋରଣ ମାଝୀ, ସ୍ୱାଧୀନ କାଉନସିଲର ବାସନ୍ତୀ ବାଗ, ଭାଗବତୀ ଦଣ୍ଡସେନା, ଗିରିଧାରୀ ରଣା, ଜୟନ୍ତୀ ରଣା ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି | ସେହିପରି କଂଗ୍ରେସ କୃଷକ ସେଲ ଜିଲ୍ଲା ସଭାପତି ଦେବେନ୍ଦ୍ର ସାହୁ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି | ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ ଓ ରାଜେଶ ନିଗମ, ଯୁଗ୍ମ ସମ୍ପାଦକ ତଥା ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା, ଆଇନଜୀବି ଧନିରାମ ସାହୁ, ନୂଆପଡା ବ୍ଲକ ସମିତି ସଙ୍ଘ ସଭାପତି ନୀଳକମଳ ଚନ୍ଦ୍ରକାର, ମନମିତ ଗୁରୁଦତ୍ତା, ଦେଓ ପ୍ରସାଦ ସାହୁ, ରଂଜିତ ସୁନା ପ୍ରମୁଖ ଉପସ୍ଥିତ ଥିଲେ | ଗତ ପୌର ନିର୍ବାଚନରେ ଏନଏସି ଅଧକ୍ଷ ଆସନ ପାଇଁ ମହମ୍ମଦ ଆଦମ ବିଜେଡି ଟିକେଟ ମାଗିଥିଲେ | ତାଙ୍କୁ ବିଜେଡି ଟିକେଟ ନ ମିଳିବାରୁ ସ୍ୱାଧୀନ ଭାବେ ଲଢ଼ି ଅଧକ୍ଷ ହୋଇ ଥିଲେ | ପୂର୍ବରୁ ଶ୍ରୀ ଆଦମ ବିଜେଡିରେ କୌଣସି ପଦ ପଦବୀରେ ରହି ନ ଥିଲେ ବି ଜଣେ କର୍ମୀ ଭାବେ ବିଜେଡି ପାଇଁ କାମ କରୁଥିଲେ | ବର୍ତ୍ତମାନ ପୁଣି ୫ ଜଣ କାଉନସିଲରଙ୍କ ସହ ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଜେଡିରେ ସାମିଲ ହୋଇଛନ୍ତି | ଏନଏସିର ସର୍ବାଙ୍ଗୀନ ବିକାଶ ପାଇଁ ଶାସକ ଦଳରେ ସାମିଲ ହୋଇଥିବା ଶ୍ରୀ ଆଦମ କହିଛନ୍ତି | ଆଗାମୀ ଦିନରେ ଶାସକ ଦଳ ସହାୟତାରେ ଏନଏସିର ବିକାଶ ମୂଳକ କାର୍ଯ୍ୟ ଗୁଡିକି ତ୍ୱରାନ୍ୱିତ କରିବେ ବୋଲି କହିଛନ୍ତି |