ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ସଦର ବ୍ଲକ ଭାଳେଶ୍ୱର ପଞ୍ଚାୟତରେ ଆବାସ ଘର ବଣ୍ଟନ ନାଁରେ ହିତାଧିକାରୀଙ୍କ ଠାରୁ ଟଙ୍କା ଅସୁଲି କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ହିତାଧିକାରୀମାନେ ନୂଆପଡା ଜିଲ୍ଲପାଳଙ୍କୁ ଦେଖା କରି ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ସୂଚନା ଅନୁସାରେ ବର୍ତ୍ତମାନ ପଞ୍ଚାୟତରେ ସରକାରଙ୍କ ତରଫରୁ ହିତାଧିକାରୀମାନଙ୍କୁ ଅନଲାଇନରେ ଆବାସ ଗୃହ କାର୍ଯ୍ୟାଦେଶ ମିଳିଛି, ହେଲେ ହିତାଧିକାରୀ ମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବାରେ ବିଳମ୍ବ ହେଉଛି। ଏହି କ୍ରମରେ ଭାଳେଶ୍ୱର ପଞ୍ଚାୟତରେ କିଛି ଦଲାଲ ସରପଞ୍ଚଙ୍କ ନାମରେ ହିତାଧିକାରୀଙ୍କ ଠାରୁ ଟଙ୍କା ଅସୁଲି କରୁଛନ୍ତି। ଏଥିରେ ବିଶେଷ କରି ଅମୋଦି ଗାଁର ଧନିରାମ ବରିହା, ଭକ୍ତ ବରିହା, ଗଙ୍ଗାରାମ ବରିହା, ଭାରତ ମାଝୀ, ଅନତ ରାଉତ, ଘାସିରାମ ବରିହା, ଗୋବର୍ଦ୍ଧନ ବରିହା, ଗଣେଶ ବରିହା, ରାଜାରାମ ବରିହା, ଟିନି ବରିହା, ଜୁଆଲା ପଟେଲ, ରାଧା ପଟେଲ, ଚରଣ ପଟେଲ, ତିହାରୁ ପଟେଲଙ୍କ ଠାରୁ ସିଧା ସଳଖ ୧୦ ହଜାର ଟଙ୍କା ପ୍ରତେକଙ୍କ ଠାରୁ ସଂଗ୍ରହ କରି ନେଇଛନ୍ତି। ଏହାକୁ ଭିତ୍ତି କରି ହିତାଧିକାରୀମାନେ ନୂଆପଡା ଜିଲ୍ଲପାଳ ହେମକାନ୍ତ ସାୟଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଏହା ଉପରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଅନ୍ୟ ପକ୍ଷେ ଭାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜ ଦେବୀ ଅଗ୍ରୱାଲଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ଭିତ୍ତିହୀନି ବୋଲି କହିଛନ୍ତି। ତାଙ୍କ ନାଁରେ ଯଦି କୌଣସି ବ୍ୟକ୍ତି ଟଙ୍କା ଅସୁଲି କରୁଛନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କଥା। ଏହି ଅଭିଯୋଗ ସବୁ ନିର୍ବାଚନରେ ପ୍ରତିଦ୍ବନ୍ଦତା କରିଥିବା ତାଙ୍କର ପ୍ରତିଯୋଗୀମାନେ ଚକ୍ରାନ୍ତ କରିଥିବା କହିଛନ୍ତି।