ଆମ ଓଡିଶା ନବୀନ ଓଡିଶା ଯୋଜନାରେ ମନ୍ତ୍ରୀ ଢୋଲକିଆ ପିସି କାରବାର କରୁଥିବା ଅଭିଯୋଗ କଲା ବିଜେପି

ମନ୍ତ୍ରୀ କହିଲେ ଅଭିଯୋଗ ଭିତ୍ତିହୀନ – ପିସି ନୁହଁ ଅଂଚଳର ବିକାଶରେ ବିଶ୍ୱାସ କରେ

ଓଡିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସ୍ଥାନୀୟ ଇରିଗେସେନ ବଙ୍ଗଳାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀଙ୍କ ଅଧକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ବିଶୋଧଗାର କରିଛି | ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପାଢ଼ୀ କହିଛନ୍ତି ଯେ, ସରକାରଙ୍କ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାରେ ପ୍ରତେକ ପଂଚାୟତର ସାମଗ୍ରିକ ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି | ବର୍ତମାନ ସମସ୍ତ ସରପଞ୍ଚଙ୍କୁ ନେଇ ବୈଠକ କରି ପଂଚାୟତର ପ୍ରସ୍ତାବକୁ ନୂଆପଡା ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଢୋଲକିଆ ମନଇଚ୍ଛା ଗ୍ରହଣ କରୁଛନ୍ତି | ସବୁବେଳେ ମନ୍ତ୍ରୀ ଠିକା କାମରେ ବ୍ୟସ୍ତ ରହୁଛନ୍ତି | ନିଜ ଲୋକଙ୍କ ଠାରୁ ଠିକା କାମ ବିକ୍ରି କରି ୫ ରୁ ୧୦ ପ୍ରତିଶତ ପିସି ନେଇଥାନ୍ତି | ପଂଚାୟତର ୫୦ ଲକ୍ଷ କାମ ପାଇଁ ବୈଠକ କରି ସରପଞ୍ଚଙ୍କ ସହିତ ଭାଗ ବଣ୍ଟା କରୁଛନ୍ତି | ପଂଚାୟତ ହେଉଛି ଗ୍ରାମାଞ୍ଚଳର ମୁଖ୍ୟ | ସରକାରଙ୍କ ସମସ୍ତ ଉନ୍ନୟନ ମୂଳକ କାମ ପଂଚାୟତ ଓ ସରପଞ୍ଚ ଜରିଆରେ ହେବାର ନିୟମ ରହିଛି | ନୂଆପଡା ନିର୍ବାଚନ ମଣ୍ଡଳୀରେ ବି.ଡି.ଓ ମାନଙ୍କ ସହ ମିଶି ସରପଞ୍ଚ ମାନଙ୍କୁ ଅଣଦେଖା କରି ପ୍ରକଳ୍ପ ସଂଗ୍ରହ କରି ଠିକା କାମ ବିକ୍ରି କରୁଛନ୍ତି | ସରକାରୀ ଅନୁଦାନକୁ ନିଜ ଜରିଆରେ ବିକ୍ରି କରି ପିସି କାରବାର କରୁଛନ୍ତି | ନିଜସ୍ୱ ଲୋକଙ୍କୁ ମନ୍ତ୍ରୀ ନିଜ ପେଡରେ ସୁପାରିଶ କରି କାମ ଦେଉଛନ୍ତି | ଏସବୁ ରାଜ୍ୟ ସରକାରଙ୍କୁ ଅବଗତ କରିବା ସହ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି ବୋଲି ବିଜେପି ବିଶୋଦାଗାର କରିଛି | ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଏସ.ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଦୃଷ୍ଟି ଚନ୍ଦ୍ର ମାଝୀ, ବିଜେପି ନେତା ଲାଲା ରାମ ସାହୁ, ଭଗତ ସିଂ, ହେତୁରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |

ଏନେଇ ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ପ୍ରତିକ୍ରିୟା ନେବାରୁ ସେ କାହାରି କଥାକୁ ବା ଅଭିଯୋଗ ଉପରେ ବିଶ୍ୱାସ କରନ୍ତି ନାହିଁ | ଅଂଚଳ ର ସର୍ବାଙ୍ଗୀନ ବିକାଶ ଓ ଉନ୍ନତିମୂଳକ କାମରେ ବିଶ୍ୱାସ କରନ୍ତି | ଆମ ଓଡିଶା ନବୀନ ଓଡିଶା ଯୋଜନାରେ ନୂଆପଡା ନିର୍ବାଚନ ମଣ୍ଡଳୀରେ ଜୋନ ସ୍ତରୀୟ ବୈଠକ କରି ସର୍ବ ସମ୍ମୁଖରେ ନିରପେକ୍ଷ ଭାବେ ପ୍ରସ୍ତାବ ସଂଗ୍ରହ କରାଯାଉଛି | ଏହି ବୈଠକରେ ପଂଚାୟତ ର ନିର୍ବାଚିତ ପ୍ରତିନିଧି ଓ ଜନ ସାଧାରଣ ପ୍ରସ୍ତାବ ଦେଉଛନ୍ତି | ଏଥିରେ ତାଙ୍କର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ | ପଂଚାୟତର ଉନ୍ନତିରେ ଜିଲ୍ଲାର ବିକାଶ ସାଧିତ ହେବ | ବିଜେପିର ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ | ସେ କମିଶନ କାରବାରରେ ବିଶ୍ୱାସ କରନ୍ତି ନାହିଁ, ବିକାଶ ମୂଳକ କାମକୁ ଗୁରୁତ୍ୱ ଦିଅନ୍ତି ବୋଲି କହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.