ମୁରସିଂ ହାଇସ୍କୁଲର ଆଦିବାସୀ ହଷ୍ଟେଲ ଉଦ୍ଘାଟିତ; ଜିଲ୍ଲା ପରିଷଦ ସଦସ୍ୟଙ୍କ ନାମ ଫଳକରେ ନଥିବାରୁ ଅସନ୍ତୋଷ

ତରବରିଆ କାମରେ ହୋଇଛି ଏଭଳି ଭୁଲ ନା ଏଥିରେ ରହିଛି ରାଜନୈତିକ ଅଭିସନ୍ଧି ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ କର୍ମେଗାଁ ଗ୍ରାମ ପଂଚାୟତରେ ରହିଥିବା ସନ୍ୟାସୀ ଉଚ୍ଚ ବିଦ୍ୟାଳୟର ଆଦିବାସୀ ହଷ୍ଟେଲ ଉଦ୍ଘାଟିତ ହୋଇଯାଇଛି। ସୋମବାର ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦାନ କରି ୧୧୦ ଶଯ୍ୟା ଓ ଦ୍ବିତଳ ପ୍ରସାଦ ବିଶିଷ୍ଟ ଏହି ଛାତ୍ରୀ ନିବାସକୁ ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଗୈାନ୍ତିଆ ଭୀଷ୍ମ ଭୋଇ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଅର୍ଜ୍ଜୁନ ପଧାନ, ସରପଞ୍ଚ ମନୋଜ କୁମାର ମହାନନ୍ଦ, ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ ପ୍ରମୁଖ ମଞ୍ଚସୀନ ଥିଲେ। ସନ୍ୟାସୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜୁନ ତାରେଣିଆଙ୍କ ଉଦ୍ଘାଟନୀ ସମାରୋହର ଅଧ୍ୟକ୍ଷତା କରିଥିଲେ। ହେଲେ ଉନ୍ମୋଚିତ ନାମ ଫଳକରେ ଅତିଥି ଭାବରେ ନିମନ୍ତ୍ରିତ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ନାମ ଲିପିବଦ୍ଧ ନଥିବାରୁ ସ୍ଥାନୀୟ ଜନସାଧାରଣ ଓ ଅଭିଭାବଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଆଦିବାସୀ ହଷ୍ଟେଲ ଉଦଘାଟନରେ ଆଦିବାସୀ ନେତୃତ୍ୱ ଜଣେ ଜିଲ୍ଲା ପରିଷଦ ସଦସ୍ୟ ତଥା ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀଙ୍କ ନାମ ଲିପିବଦ୍ଧ ନଥିବାରୁ ଏହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ମଧ୍ୟ ଶୁଣିବାକୁ ମିଳିଥିଲା। ଅବଶ୍ୟ ଷ୍ଟିକରିଙ୍ଗ କରାଯାଇଥିବା ଉକ୍ତ ନାମ ଫଳକରେ ଅପରାହ୍ନରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ନାମ ସଂଯୋଗ କରାଯାଇ ପୁନଃ ଫଳକରେ ଷ୍ଟିକରିଙ୍ଗ କରାଯାଇଥିବା ଦେଖିବାକୁ ମିଳିଥିଲା। ବାସ୍ତବରେ ତରବରିଆ ଭାବରେ, ପୂର୍ବଦିନ ସବୁ ପ୍ରସ୍ତୁତି କରିବାରୁ ପରିଚାଳନା କମିଟିର ଏଭଳି ଭୁଲ ହୋଇଛି ନା ବିଜେଡିର ଯୁବ ନେତୃତ୍ୱ ଭାବରେ ଜଣେ ଆଦିବାସୀ ଯୁବକ ଜିଲ୍ଲା ପରିଷଦ ସଦସ୍ୟ ଭାବରେ ଖୁବ କମ ଦିନ ମଧ୍ୟରେ ଅଧିକ ଜନପ୍ରିୟ ହେଉଥିବା ଦେଖି ରାଜନୈତିକ ଅଭିସନ୍ଧି ନେଇ ଏଭଳି ଉପେକ୍ଷା କରାଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଏ ବିଷୟରେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଅର୍ଜୁନ ପଧାନଙ୍କ ମତାମତ ନେବାରୁ ସେ କହିଲେ ଏହି ହଷ୍ଟେଲ ଉଦ୍ଘାଟନୀ ଉତ୍ସଵ ତରବରିଆ ଭାବରେ, ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିବାରୁ ନାମଫଳକରେ ଆଉ ତିନିଜଣ ବିଦ୍ୟାଳୟ ପାଇଁ ତିନି ଏକର ଭୂମିଦାତା ସନ୍ୟାସୀ ଭୋଇ ଯାହାଙ୍କ ନାମରେ ସନ୍ୟାସୀ ହାଇସ୍କୁଲ ହୋଇଛି, ଗୈାନ୍ତିଆ ଭୀଷ୍ମ ଭୋଇ ଓ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ନାମ ଉଲ୍ଲିଖିତ ହୋଇପାରିନାହିଁ। ଏହାତ ଏବେ ଅସ୍ଥାୟୀ ଭାବରେ ଷ୍ଟିକରିଙ୍ଗ କରାଯାଇଛି। ଏଥିରେ ପ୍ରକୃତରେ ଖୋଦେଇ ନାମ ଫଳକ ଲଗାଯିବ। ଆଉ ଅଳ୍ପ ଦିନ ମଧ୍ୟରେ ଉପରୋକ୍ତ ଆଉ ତିନିଜଣଙ୍କ ନାମ ସଂଯୁକ୍ତ କରାଯାଇ ନାମ ଫଳକ ଲଗାଯିବ ବୋଲି ସେ କହିଛନ୍ତି। ଏବିଷୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କୁ ପଚାରିବାରୁ ସେ କହିଲେ ଆଦିବାସୀ ହଷ୍ଟେଲ ବିଲ୍ଡିଂ ଉଦ୍ଘାଟନୀ ଉତ୍ସବରେ ମୋତେ ଅତିଥି ଭାବରେ ନିମନ୍ତ୍ରିତ କରାଯାଇଥିବାରୁ ମୁଁ ଆସି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲି। ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମ ଆଞ୍ଚଳର ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ମୋ ଅଞ୍ଚଳର ରାଧାକୃଷ୍ଣ ହାଇସ୍କୁଲ ଶାନ୍ତପୁର ଓ ଉଳିକୁପା ହାଇସ୍କୁଲକୁ ଅପଗ୍ରେଡ କରି ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଛନ୍ତି। ଆଦିବାସୀ ଛାତ୍ରୀଙ୍କ ପାଠପଢାର ସୁବିଧା ପାଇଁ ଆଦିବାସୀ ଛାତ୍ରୀ ନିବାସ କରିଚ୍ଛନ୍ତି। ଏଠୁ ଆଉ ଅଧିକ କଣ ଦରକାର? ଆଉ ମୁଁ ଜଣେ ଆଦିବାସୀ ଯୁବ ନେତୃତ୍ୱ ଭାବରେ, ଜଣେ ଜିଲ୍ଲା ପରିଷଦ ସଦସ୍ୟ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୋ ଅଞ୍ଚଳର ସୁବିଧା ଅସୁବିଧା ବୁଝୁଛି। ବିଜେଡି ଓ ଆଦିବାସୀ ସଂଗଠନ ସୁଦୃଢ କରିବା ପାଇଁ କାମ ଦିନରାତି କାମ କରୁଛି। ମୋ ଅଞ୍ଚଳରେ ଆଦିବାସୀ ଛାତ୍ରୀ ନିବାସ ଉଦ୍ଘାଟିତ ହେଲା ଏଥିରେ ମୁଁ ବହୁତ ଖୁସି। ଉଦ୍ଘାଟନୀ ବେଳେ ନାମ ଫଳକରେ ମୋ ନାମ ରହିଲା ନାହିଁ ଏଥିରେ ମୋର ଦୁଃଖ କରିବାର କିଛି ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।

ମୁରସିଂ ଆଦିବାସୀ ହଷ୍ଟେଲ ଉଦ୍ଘାଟନୀ ଉତ୍ସଵ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ତାରେଣିଆ ସ୍ୱଗାତ ଭାଷଣ ଦେବାସହ ବିବରଣୀ ପଠନ କରିଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିଶିର ବେହେରା ମଞ୍ଚ ପରିଚାଳନା କରିଥିଲେ। ଇତ୍ୟବସରରେ ଆଦିବାସୀ ସଂଘ ଜିଲ୍ଲା ସଭାପତି ପ୍ରକାଶ ମାଝୀ, ମନମୋହନ ନାଏକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୧୧୦ ଶଯ୍ୟା ବିଶିଷ୍ଟ ଏହି ଛାତ୍ରୀ ନିବାସରେ ଏବେ ୮୦ ଜଣ ଛାତ୍ରୀ ରହିବା ପାଇଁ ନାମ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.