ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ କଲ୍ୟାଣ ମଣ୍ଡପ ପରିସରରେ ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପଞ୍ଚାଦଶ ଅର୍ଥ କମିଶନର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପ୍ରଶାସନ ତରଫରୁ ଠିକ ଭାବରେ ପ୍ରଚାର ପ୍ରସାର ହୋଇ ନ ଥିବା ଯୋଗୁଁ କାଁଭାଁ ଶ୍ରମିକମାନଙ୍କ ଉପସ୍ଥିତି ଦେଖା ଯାଇଥିଲା। ଏଥିରେ ବଲାଙ୍ଗୀର ଏପିଡି ତରଣୀ ସୁନା, ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ଜିଲ୍ଲା ସାମାଜିକ ସମୀକ୍ଷକ ବର୍ଷା ହରପାଳ ଓ ବେଲଗାଁ ସରପଞ୍ଚ ରାମଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଶିବିରରେ ବିଭାଗୀୟ କର୍ମଚାରୀ, ସମୀକ୍ଷକ ଓ ଭିଆରପିମାନଙ୍କ ମଧ୍ୟରେ ଆଲୋଚନା କରି ନିଜ ନିଜ ମତାମତ ଦେଇଥିଲେ। ସଭାରେ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ଲକର ବିଭିନ୍ନ ପଞ୍ଚାୟତର କୋଣସି କେଶ ରେକର୍ଡ ଦେଇ ନ ଥିବା ସହିତ ପ୍ରାୟ ପଞ୍ଚାୟତର ଉନ୍ନୟନ କାଯ୍ୟର ସୂଚନା ଫଳକ ଲାଗି ନ ଥିବା ଅଭିଯୋଗ ହୋଇଥିଲା। ଡୁଙ୍ଗୁରିପାଲି ପଞ୍ଚାୟତର ଜୈନିକ ହିତାଧିକାରୀଙ୍କ ସୋକପିଟ ନିର୍ମାଣ କରି ୫ହଜାର ଟଙ୍କା ଉଠାଣ କରିନେଇ ଥିବା ଅଭିଯୋଗ ହୋଇଥିଲା। କେରମେଲି ପଞ୍ଚାୟତର ସମରା ଗ୍ରାମଠାରେ ବନ ବିଭାଗ ତରଫରୁ ଏଲ.ବି.ସି.ଡ଼ି. କାମ ନ ହୋଇ ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ମନରେଗା ଯୋଜନାରେ ବ୍ୟକ୍ତିଗତ କାର୍ଯ୍ୟରେ କାର୍ଯ୍ୟସ୍ଥଳୀ ବ୍ୟବସ୍ଥା କରାଯାଉଥିଲା ବୋଲି ଅଭିଯୋଗ ହୋଇଛି। ସେହିପରି ବ୍ଲକର କନିଷ୍ଠ ଯନ୍ତ୍ରୀମାନେ ସୂଚନା ଫଳକ ବଦଳରେ କାନ୍ଥ ଲେଖା ଥିଲେ ମଧ୍ୟ ବିଲ କରୁଛନ୍ତି ବୋଲି ଅଭିଯୋଗ ଉଠିଥିଲା। ଏହି ସମୀକ୍ଷା ବୈଠକରେ ସଇଁତଲା ବନ ବିଭାଗ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଶାସନ ତରଫରୁ କାରଣ ଦର୍ଶାଅ ନୋଟିସ ଦିଆଯିବ ବୋଲି ବିଡ଼ିଓ ଶ୍ରୀ ନାଗ ପ୍ରକାଶ କରିଥିଲେ। ଏଥିରେ ପଞ୍ଚାୟତ ସମିତି, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ ବିଭାଗ ଓ ବନ ବିଭାଗ ଦ୍ୱାରା ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ଅଭିଯୋଗ ଗୁଡିକର ଶୀଘ୍ର ସମାଧାନ କରିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପଞ୍ଚାୟତଗୁଡିକରେ ପଲ୍ଲୀ ସଭା ଓ ଗ୍ରାମସଭାଗୁଡିକରେ ହିତାଧିକାରୀମାନଙ୍କ ବିଭିନ୍ନ କାର୍ଯ୍ ପାଇଁ ଅନୁମୋଦନ ହୋଇଥିବା ବେଳେ ଜିଆରଏସ ମାନେ କୋଡ଼ିଙ୍ଗ କରୁ ନ ଥିବାରୁ ବାରମ୍ବାର ବ୍ଲକ ଅଫିସ ଯିବାକୁ ପଡିଛି ବୋଲି ସରପଞ୍ଚ ସୁବ୍ରତ ନାଗ ଅଭିଯୋଗ କରିଥିଲେ। ଏପରିକି ସାମାଜିକ ସମୀକ୍ଷା ବ୍ଲକ କାର୍ଯ୍ୟକୁ ଛାଡି କେବଳ ପଞ୍ଚାୟତର କାର୍ଯ୍ୟକୁ ସମୀକ୍ଷା କରାଯାଉଥିବାରୁ ସରପଞ୍ଚ ମନୀଷ ସୁନା ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ଲକ ସାମାଜିକ ଜନଶୁଣାଣୀ ବ୍ଲକ ହେଡ଼ କ୍ୱାଟରରେ ନ କରି ୨୦ କିମି ଦୂର ବେଲଗାଁ ଠାରେ ଶିବିର ହୋଇଥିବାରୁ ଶ୍ରମିକ ମହଲରେ ଅସନ୍ତୋଷ ଦେଖା ଦେବା ସହ ଶ୍ରମିକ ଶୂନ୍ୟ ଥିବା ଦେଖିବାକୁ ମିଳିଥିଲା। ଏହି ୨୦୨୨-୨୩ ବର୍ଷରେ ବ୍ଲକରେ ୧୫ ହଜାର ୧୩୦ ପରିବାରକୁ କାମ ଯୋଗାଇ ଦିଆଯାଇଥିବା ବେଳେ ୧୭୮୩ ଗୋଟି ପରିବାର ଶହେ ଦିନର କାମ ସମ୍ପୂର୍ଣ୍ଣ କରିଥିଲେ। ଏଥିରେ ୭ ଲକ୍ଷ ୭୫ ହଜାର ୮ ଶହ ୪୮ ଦିନ ଶ୍ରମ ଦିବସ ସୃଷ୍ଟି କରିଥିବା ସହିତ ୨୨ କୋଟି ୭୮ ଲକ୍ଷ ୯୬ ଟଙ୍କା ବ୍ୟୟ ହୋଇଥିବା ସଇଁତଲା ଏପିଓ ସୁଶ୍ରୀ ବନଜାବାସିନୀ ଦାସ ସୂଚନା ଦେଇଥିଲେ। ଏହି ଶିବିରରେ ବ୍ଲକ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ମୃତ୍ତିକା ସଂରକ୍ଷଣ ଅଧିକାରୀ ପ୍ରସାଦ କୁମାର ଲିମା, ଉଦ୍ୟାନ ବିଭାଗର ଦେବବ୍ରତ ନାୟକ, ବ୍ଲକ ସାମାଜିକ ସମୀକ୍ଷ ସତ୍ୟ ନାରାୟଣ କର୍ମୀ, ରତିକାନ୍ତ ପ୍ରଧାନ, ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ଗ୍ରାମ୍ୟ ରୋଜଗାର ସେବକ , ଭିଆରପି ଓ ସିଆରପିସିଏମ ଓ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ।