ଜୟନ୍ତ କୁମାର ବେହେରା
କଳାହାଣ୍ଡି ଏକ ସୁପ୍ରାଚୀନ ରାଜ୍ୟ ଥିଲା। ଚତୁର୍ଦ୍ଦଶ ଶତାବ୍ଦୀରେ ରାଜା ସମୁଦ୍ରଗୁପ୍ତଙ୍କ ଅମଳରେ ବ୍ୟାଘ୍ରରାଜ ଏହାର ଶାସକ ଥିଲେ। ବିଶିଷ୍ଟ ଗବେଷକ ସତ୍ୟନାରାୟଣ ରାଜଗୁରୁଙ୍କ ମତରେ “ଗୁପ୍ତଯୁଗରୁ ଆରମ୍ଭ କରି ସ୍ବାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ କଳାହାଣ୍ଡିରେ ଏକ ନିରବଚ୍ଛିନ୍ନ ସାଂସ୍କୃତିକ ଧାରା ରହିଆସିଥିଲା।” ଐତିହାସିକ କୋଲ୍ଡେନ୍ ରାମସେଙ୍କର ମତରେ କଳାହାଣ୍ଡି ଅଞ୍ଚଳ କଳିଙ୍ଗର ପରିସୀମା ଭିତରେ ଏକ ହୀରାପ୍ରସ୍ଥ ଭୂମି ଥିଲା। ନନ୍ଦବଂଶରୁ ଆରମ୍ଭ କରି ଭବବର ବର୍ଦ୍ଧନ, ଅଟପତି, ସ୍କନ୍ଧ ବର୍ମନ ପ୍ରମୁଖ ରାଜାମାନେ ପଞ୍ଚମ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ଵ କରିଥିଲେ।
ଷଷ୍ଠ ଶତାବ୍ଦୀରୁ ରାଜା ତୁଷ୍ଟିକରଙ୍କ ଠାରୁ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ ରାଜାମାନେ ରାଜତ୍ଵ କରିଥିଲେ। ମହାଶିବଗୁପ୍ତ ନାଗାର୍ଜୁନ କଳାହାଣ୍ଡିକୁ କୋଶଳ ରାଜ୍ୟରେ ଅନ୍ତର୍ଭୁକ୍ତ କରିଥିଲେ। ୧୦୨୨ ଖ୍ରୀଷ୍ଟାବ୍ଦରେ ରାଜେନ୍ଦ୍ର ଚୋଳ ସୋମବଂଶୀ ରାଜାଙ୍କୁ ପରାସ୍ତ କରି କଳାହାଣ୍ଡିକୁ ତୈଳାଙ୍ଗଚୋଳ ଶାସନାଧିନ କରିଥିଲେ। ୧୦୪୪ ଖ୍ରୀଷ୍ଟାବ୍ଦରେ ପାରାଳାଖେମୁଣ୍ଡିର ଗଙ୍ଗବଂଶୀ ରାଜାମାନେ ରାଜ୍ୟ ଚକ୍ରହସ୍ତ କଳାହାଣ୍ଡିକୁ ଜୟ କରିଥିଲେ।
ସୋମବଂଶୀ ଅଭିଲେଖରୁ ଜଣାଯାଏ, କମଳମଣ୍ଡଳ ହେଉଛି ପ୍ରାଚୀନ କଳାହାଣ୍ଡି। ଗଙ୍ଗବଂଶର ରାଜାମାନେ ଅନେକ ବର୍ଷ ଧରି ରାଜତ୍ଵ କରିଥିଲେ। ୧୦୩୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମଦନମହାଦେବ କମଳମଣ୍ଡଳଠାରେ ଅବସ୍ଥାନ କରିଥିଲେ। ୧୦୦୫ ଖ୍ରୀଷ୍ଟାବ୍ଦରୁ ନାଗବଂଶୀ ନରପତିମାନେ କମଳମଣ୍ଡଳରେ ରାଜତ୍ଵ କରୁଥିଲେ। ୧୭୧୮ ଖ୍ରୀଷ୍ଟାବ୍ଦରେ ନିର୍ମିତ ଜୁନାଗଡସ୍ଥ ଦଧିବାମନ ମନ୍ଦିର ଗାତ୍ରରେ ଖୋଦିତ ଲିପିରୁ ମଧ୍ୟ କମଳମଣ୍ଡଳର ନାମ ଉଲ୍ଲେଖ ଅଛି ଏବଂ ଏହି କମଳମଣ୍ଡଳ ହେଉଛି କଳାହାଣ୍ଡି।
ବିଶିଷ୍ଟ ପ୍ରତ୍ନତତ୍ତ୍ଵବିତ ଆଲେକଜାଣ୍ଡର କନଙ୍ଗ ହାସଙ୍କ ମତରେ କଳାହାଣ୍ଡି ଏକ ଅରଣ୍ୟ ଅଧ୍ୟୁଷିତ କନ୍ଧାନ ଅଞ୍ଚଳ ଓ ଆଦିମ ସଭ୍ୟତାର ଭୂମି। ସେହିପରି କେ.ପି. ଭରଦ୍ଵାଜଙ୍କ ମତରେ କାରୁଣ୍ଡ କନ୍ଧମାନଙ୍କର ପୂରାତନ ଭୂମି ଥିଲା। ପ୍ରାଚୀନ ଗ୍ରନ୍ଥାଦିରେ କରଣ୍ଡ, ଇନ୍ଦ୍ରବଣିକ, କାରୁଣ୍ଡ, କାନ୍ତାରକ କଳାହାଣ୍ଡି, ମହାକାନ୍ତାର, ନବପତ୍ରାଭିକ ଅଞ୍ଚଳ, ତୈଳବାହିଅଞ୍ଚଳ, କମଳବନ ସ୍ଥାନ ଆଦିର ସୂଚନା ମିଳେ। ପ୍ରକୃତରେ କଳାହାଣ୍ଡି ଏକ ଆଦିବାସୀ ବହୁଳ ଅଞ୍ଚଳ। କନ୍ଧ, ଶବର, କୁଟିଆକନ୍ଧ, ଝରଣିଆକନ୍ଧ, ପରଜା, ଗଣ୍ଡ, ଭତରା, ବନଜାରା, ସଉରା, ଗଦବା, ପୁଂଜିଆ ପ୍ରଭୃତି ଜନଜାତି ଏହି ଅଞ୍ଚଳରେ ବସବାସ କରି ଆସୁଥିଲେ।
କେଉଁ ଆଦିମ କାଳରୁ ଧରିତ୍ରୀ ମାଟି ମା’କୁ ପୂଜା କରି ନିଜ ଜୀବିକା ନିର୍ବାହ କରୁଥିଲେ। ଜଙ୍ଗଲଜାତ ଫସଲ ମହୁଲ, ଚାହାଁର, କାନ୍ଦୁଲ, ଗୁରଜି, ମାଣ୍ଡିଆ, ଧାନ, ଆମ୍ବ, ଶିମ୍ବ ଆଦି ଫସଲକୁ ଧରିତ୍ରୀ, ଇଷ୍ଟଦେବୀ, ଗ୍ରାମଦେବୀଙ୍କୁ ଭୋଗ ଲଗାଇ ସେମାନେ ଖାଇଥାନ୍ତି। ସେଥିପାଇଁ ଆମ୍ବ ନୂଆଁ, ସେମି (ଶିମ୍ବ) ନୂଆଁ, ମହୁଲ ନୂଆଁ, ଚାହାଁର ନୂଆଁ, ଗୁରଜି ନୂଆଁ, ମାଣ୍ଡିଆ ନୂଆଁ, ଜନା ନୂଆଁ ଆଦିର ପ୍ରଚଳନ ଅଛି। ଆଜିପର୍ଯ୍ୟନ୍ତ ଏହି ପରଂପରା ଚାଲିଆସୁଛି। ଚୈତ୍ର ପର୍ବରେ କାନ୍ଦୁଲ, ମହୁଲ, ଚାହାଁର ଆଦିକୁ ନିଜ ଦେବୀଙ୍କ ପାଖରେ ପୂଜା ଅର୍ଚ୍ଚନା କରି ଭକ୍ଷଣ କରିବା ପରଂପରା ଚଳିଆସୁଅଛି।
ରାଜ୍ୟର ବହୁ ଅଞ୍ଚଳରେ ନ ହେଲେ ହେଁ ନୂଆଁଖାଇ ପଶ୍ଚିମ ଓଡିଶାରେ ଏକ ଗୌରବାବହ ଗଣପର୍ବ ବୋଲି କେବଳ ଭାରତ ବର୍ଷରେ ନୁହେଁ, ଦରିଆପାରି ଦେଶମାନଙ୍କରେ ମଧ୍ଯ ନବ ଉତ୍କର୍ଷତାର ପରିଚୟ ପ୍ରଦାନ କରିସାରିଛି। ଛତିଶଗଡର ଦେଭୋଗ, ଫୁଲଝର, ରାୟଗଡ, ନବରଙ୍ଗପୁର, ଗଜପତି ଜିଲ୍ଲାର ଖେମଣ୍ଡି, ରାୟଗଡ ଜିଲ୍ଲାର କାଶୀପୁର ଆଦି ଅଞ୍ଚଳର ଅଧିବାସୀମାନେ ପାରଂପରିକ ଶୈଳିରେ ନୂଆଁଖାଇ ପର୍ବ ପାଳନ କରିଥାନ୍ତି। କିନ୍ତୁ କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ଜନସାଧାରଣ ଏହି ପର୍ବର ସ୍ଵତନ୍ତ୍ରତା ଆଜିପର୍ଯ୍ୟନ୍ତ ରଖିଆସିଛନ୍ତି।
କଳାହାଣ୍ଡି ଜିଲ୍ଲାରେ ବସବାସ କରୁଥିବା ମହିମାଧର୍ମୀମାନେ ସର୍ବପ୍ରଥମେ ରକ୍ଷା ପୂର୍ଣିମା ତିଥିରେ ନୂଆଁଖାଇ ପର୍ବ ପାଳନ କରିଥାନ୍ତି। କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ପଥର୍ଲା, ବାହାଦୂରପଦର ଓ ପାଲକାପଡ଼ା ଗ୍ରାମବାସୀ ଭାଦ୍ର ଶୁକ୍ଳ ପ୍ରତିପଦା ତିଥିରେ ନୂଆ ଖାଇଥାନ୍ତି। ଏତଦ୍ବ୍ୟତୀତ ଓଡିଶାର ପଶ୍ଚିମାଞ୍ଚଳ ତଥା ଅନ୍ୟାନ୍ୟ ଅଞ୍ଚଳ ପଞ୍ଚମୀ ତିଥିରେ ନବାନ୍ନ ବା ନୂଆଁଖାଇ ପର୍ବ ପାଳନ କରିଥାନ୍ତି। କିନ୍ତୁ ମା’ ମାଣିକେଶ୍ଵରୀଙ୍କ ପୀଠମାନଙ୍କରେ ଦଶମୀ ତିଥିରେ ନୂଆଁ ଲାଗିଥାଏ। ଏଣୁ ଭବାନୀପାଟଣା, ଜୟପାଟଣା, ଥୁଆମୂଳ ରାମପୁର, ମଦନପୁର ରାମପୁର, ଲାଞ୍ଜିଗଡ, କାଶିପୁର, ଖେମଣ୍ଡି ଆଦି ଅଞ୍ଚଳ ମାନଙ୍କରେ ଦଶମୀ ଦିନ ନୂଆଁଖାଇ ପର୍ବ ପାଳିତ ହୋଇଥାଏ।
ଏତଦ୍ବ୍ୟତୀତ ନାଗବଂଶୀ ରାଜପରିବାର ଦଶହରା ନବମୀ ତିଥିରେ ବୁଢାରଜାଙ୍କ ପାଖରେ ନୂଆ ଅନ୍ନ ପୂଜା ହେଲେ ଭକ୍ଷଣ କରିଥାନ୍ତି। ବିଜୟା ଦଶମୀ ଦିନ ମଧ୍ୟ ଓଡିଶାର କେତେକ ପରିବାରରେ ନୂଆଁଖାଇ ପାଳନ କରିଥାନ୍ତି। ନୂଆଖାଇ ବା ନବାନ୍ନ ଭକ୍ଷଣ ଦିନ କେବଳ ନୂଆଧାନର ଚୁଡା ବା ଅନ୍ନଭୋଗ, ନୂତନ ବସ୍ତ୍ର ପରିଧାନ, ପରସ୍ପର ବନ୍ଧୁମିଳନ, ଗୁରୁଜନମାନଙ୍କୁ ତଥା ବଡମାନଙ୍କୁ ନୂଆଁଖାଇ ଜୁହାର ପ୍ରଦାନ, ଛୋଟମାନଙ୍କୁ ସ୍ନେହଶ୍ରଦ୍ଧା ଆଶୀର୍ବାଦ ପ୍ରଦାନ ଏହା ସର୍ବତ୍ର ପ୍ରଚଳନ। ଅପରାହ୍ନରେ ହାଣ୍ଡିଫଟା, ବହୁଚୋରି, ବାଡିଘିଚା, ବିଲା, ବାଟି ଆଦି ଲୋକଖେଳ ଖେଳିଥାନ୍ତି। ସଂପ୍ରତି ଫୁଟବଲ ଓ କ୍ରିକେଟ ପ୍ରତିଯୋଗିତା ଦେଖିବାକୁ ମିଳୁଛି।
ନୂଆଁଖାଇ ପରଦିନ “ବାସୀ” ପାଳନ ହୋଇଥାଏ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ନୂଆଖାଇ ପାଳନ କରାଯାଇଥାଏ। ଏହା ଏକ ଗଣପର୍ବ। ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି। ନୂଆଖାଇ ଦିବସର ଅବ୍ୟବହିତ ପୂର୍ବରୁ ଘରଦ୍ଵାର ସଫାସୁତୁରା, ମାଟିଲିପା, କୁରେପତ୍ରର ଦନା ତିଆରି, ବଜାରରୁ ନୂଆହାଣ୍ଡି ଆଣିବା, ନୂଆଧାନ ସଂଗ୍ରହ କରିବା ପ୍ରତ୍ୟେକ ପରିବାରର ସଦସ୍ୟଙ୍କ କର୍ତ୍ତବ୍ୟ।
ପ୍ରାତଃକାଳରେ ଗାଁର ଗଣା ଡାକଦିଏ। ଘର ଘର ବୁଲି ସମସ୍ତ ଘରୁ ଭୋଗ ସାମଗ୍ରୀ ସଂଗ୍ରହ କରିଥାଏ। ଖଇ ଲିଆ, ଅରୁଆ ଚାଉଳ, ବଳିତା ଓ ଝୁଣା ନେଇଥାଏ। ଘର ବାଡିପଟ ଓ ଗୁହାଳ ଆଦି ଚାରିପଟେ ଧୂଆଁ ଦେଇ ଧରନୀଶାଲରେ ଏକତ୍ରିତ ହେବା ପରେ ଗାଁର ଜାନି, ଦିଆରୀ, ଗଣା ଓ ଝାକର୍ ଯଥାବିଧି ଧରନୀ ମା’ଙ୍କୁ ସେବା ପୂଜା କରନ୍ତି।
ନୂଆଧାନ ଓ କୁରେପତ୍ର ସାଧାରଣତଃ ଗଣା ପହଞ୍ଚାଇଥାଏ। କେତେକ ଜାତିରେ ସାରୁ ପତ୍ର, ମହୁଲ ପତ୍ର, ପଳାଶ ପତ୍ର ଆଦିରେ ନୂଆଁ ଖାଉଥିବା ଦେଖାଯାଏ। ପରିବାରର ଗାଁ ବାହାରେ ଥିବା ସଦସ୍ୟମାନେ ଗାଁକୁ ଫେରି ଆସନ୍ତି। ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆଁ ଖାଇଥାନ୍ତି। ବୀରବାଦ୍ୟ ଘୁମୁରା ନୂଆଁଖାଇ ଦିନ ପରିବେଷଣ କରିଥାନ୍ତି। ସଂପ୍ରତି ଓଡ଼ିଶା ବାହାରେ ଏଭଳି ବିଦେଶ ବାହାରେ ମଧ୍ୟ ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ପାଳନ କରାଯାଉଛି।