ସୁଶୀଲ କୁମାର ବାଗ
ଏଇ ମାତ୍ର କିଛି ବର୍ଷ ହେଲା ଯୋଗ-ଲଗ୍ନ-ପାଞ୍ଜି-ପୁସ୍ତକ ସବୁ ଦେଖାଯାଉଛି। ଆଗରୁ ଏସବୁ ନଥିଲା, ବିଭିନ୍ନ ଗାଁରେ ନିଜ ନିଜ ସୁବିଧାନୁସାରେ ଲୋକେ ନୂଆ ଖାଉଥିଲେ। ଭାଦ୍ରବ ମାସ ଥିଲା ନୂଆଖାଇର ମାସ ସତ କିନ୍ତୁ କେବଳ ପଞ୍ଚମୀ ତିଥି ବୋଲି ମାନେ ନଥିଲା। ତୃତୀୟା, ପଞ୍ଚମୀ, ସପ୍ତମୀ, ଦଶମୀ ଯେବେ ସୁବିଧା ହେଲା ଲୋକେ ନୂଆଖାଇ ପାଳନ କରୁଥିଲେ। ଗାଁର ଗୌନ୍ତିଆ, ଜାନୀ, ଝାକର ଓ ଗଣାଙ୍କ ନିଷ୍ପତ୍ତି ଥିଲା ଶେଷ ନିଷ୍ପତ୍ତି।
ଏଇଥିପାଇଁ ଆଜି ବି ଗାଁର ଜାନୀ, ଝାକର, ଗଣା, ଗୌନ୍ତିଆ ଘରେ ନୂଆଖାଇ ପାଖାପାଖି କୌଣସି ଅଘଟଣ ଘଟିଲେ ନୂଆଖାଇକୁ ଘୁଞ୍ଚାଇ ଦିଆଯାଏ। ଏହିପରି ବିନା ପାଞ୍ଜି-ପୁସ୍ତକରେ କଳାହାଣ୍ଡିର ପଥର୍ଲା, ବାହାଦୁରପଦର ଗ୍ରାମବାସୀ ନୂଆ ଖାଆନ୍ତି। ପାଞ୍ଜିପୁସ୍ତକ ତ ଦୂରର କଥା ଗାଁ ଲୋକେ କେହି କାହାକୁ ଅମୁକ ଦିନ ନୂଆଖାଇ ବୋଲି ବି ସୂଚନା ଦେଉନଥିଲେ। ଏବେ ଏବେ ମିଡ଼ିଆ କଭରେଜ୍ ଯୋଗୁଁ ସବୁ ଆଗତୁରା ଜଣା ପଡ଼ିଯାଉଛି ସିନା।
ଯଦି କଳାହାଣ୍ଡି ଗଡ଼ଜାତ ବୋଲି ଦଶମୀ ତିଥିରେ ନୂଆ ଖିଆଯାଉଛି। ତେବେ ଗଡ଼ଜାତର ମୁଖ୍ୟ ଅର୍ଥାତ୍ ରାଜା ପରିବାର ନୂଆ ଖାଆନ୍ତି ଦଶହରାରେ। ମହିମା ଧର୍ମାବଲମ୍ବୀ ତ ଶ୍ରାବଣ ପୂର୍ଣ୍ଣମୀ ତିଥିରେ ନୂଆ ଖାଆନ୍ତି। ଏପରି ସ୍ଥାନ ବିଶେଷରେ ନୂଆଖାଇର ପ୍ରଥା ପରମ୍ପରା ମଧ୍ୟ ଭିନ୍ନ ଭିନ୍ନ ପରିଲକ୍ଷିତ ହୁଏ। ସମସ୍ତଙ୍କୁ ନୂଆଖାଇର ଯୋଗସୂତ୍ରରେ ବାନ୍ଧି ରଖିବାକୁ ଭାଦ୍ରବ ପଞ୍ଚମୀ ତିଥିକୁ ସାର୍ବଜନୀନ ନୂଆଖାଇ ଭାବେ ଗ୍ରହଣ କରାଯାଇଛି।
ତେବେ ଓଡ଼ିଶାର ବିଭିନ୍ନ ଅଧିଷ୍ଠାତ୍ରୀ ଦେବୀଙ୍କ ନୂଆଖାଇ ଲଗ୍ନ ବାହାର କରାଯାଉଛି। ତାକୁ ନେଇ ଆଜି ବି ଗ୍ରାମାଞ୍ଚଳରେ ଦ୍ବିଧା ରହିଛି। ନୂଆଖାଇ ବିଶେଷତଃ ଗାଁର ମେହନତି ମଣିଷ, ଚାଷୀଙ୍କ ମୁଖ୍ୟ ପର୍ବ ହୋଇଥିବାବେଳେ ଯୋଗ ଲଗ୍ନ ଶୁଭମୁହୂର୍ତ୍ତ ଦେଖିବାକୁ ତାଙ୍କ ପାଖରେ ସମୟ କାହିଁ? ଗାଁର ଧରନୀରେ ଅଗତା ପଡ଼ିଲେ, ଭୋଗ ଲାଗିଲେ ତେଣିକି ତମାମ କାଳବେଳା ବି ଅମୃତବେଳା ପାଲଟିଯାଏ।
ନୂଆଖାର ନୂଆ ଲଗନ ଗାଁର ମଣିଷ ନିଜେ ତିଆରେ। ସେଇଥିପାଇଁ ପାଞ୍ଜିପୁସ୍ତକର ଆବଶ୍ୟକତା ହିଁ ନାହିଁ। ମାଟି ସହିତ ମାଟି ହେଇ ପରିଶ୍ରମ କରୁଥିବା ମଣିଷ ନୂଆଖାଇକୁ ନେଇ ଏତେମାତ୍ରାରେ ଉତ୍ସାହିତ ଥାଏ ଯେ, ଯାବତୀୟ ଦୁଃଖଦୁର୍ଦ୍ଦଶା, କାଇଦା-କଟକଣାକୁ ଭୁଲିଯାଇଥାଏ।
ନୂଆଖାଇରେ ମାଟିର ମଣିଷ ମାଟି ଦେବତାକୁ, ନିଜର ଦେ’ ଦେବତା, ପନପୁରୁଷା ଓ ପିଦରଠାରେ କୁକୁଡ଼ା, ପାରା, ହଂସ, ନିର୍ଦ୍ଧିଷ୍ଟ ସମୟ ଅନ୍ତରରେ ବୋଦା, ଘୁଷୁରୀ ବଳି ଦେବା ପ୍ରଥା ବି ଚଳିଆସୁଛି। କିନ୍ତୁ ଗ୍ରାମ୍ୟ ଜୀବନର ଏହି ପରମ୍ପରାକୁ ଏବେ ଶୁକଲଭୋଗ ଭାବେ ପରିବର୍ତ୍ତିତ କରିବାର ଚେଷ୍ଟା ଜାରିରହିଛି।
ନୂଆଖାଇକୁ ନବାନ୍ନ ଭକ୍ଷଣ ଭାବେ ପରିବର୍ତ୍ତନ କରିବାକୁ ମଧ୍ୟ କିଛି ଲୋକେ ଅପଚେଷ୍ଟା ଚଳାଇଛନ୍ତି। ନୂଆଖାଇ ଶବ୍ଦର ମାଧୁର୍ଯ୍ୟ ନବାନ୍ନ ଭକ୍ଷଣରେ ଅଛି କି? ତେବେ, ନୂଆଖାଇ ପାଳନରେ ସଭିଁଏ ସାମିଲ ହେବା ଗୌରବର କଥା। ତେବେ କାହାର ବ୍ୟକ୍ତିଗତ ଇଛାକୁ କାହା ଉପରେ ଲଦିଦେଇ ବିଭ୍ରାନ୍ତ କରିବା ସମୀଚିନ ମନେହୁଏ ନାହିଁ। ପାଞ୍ଜି ପୁସ୍ତକ, ତିଥି ଲଗ୍ନ ମଧ୍ୟରେ ନୂଆଖାଇ ସୀମିତ ନୁହେଁ। ଏହାର ମହାନ ପରମ୍ପରାକୁ ବଜାୟ ରଖାଯାଉ ।
ନୂଆଖାଇ ପାଳନ କରାଯାଉ ଧୂମଧାମରେ ତେବେ ମୂଳ ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖାଯାଉ। ନୂଆଖାଇ ଜୁହାରଭେଟ୍, ନୂଆଖାଇ ବାସୀର ବି ସ୍ବତନ୍ତ୍ର ପ୍ରଥା ପରମ୍ପରା ରହିଆସିଛି। ବିଶ୍ବର ଅନନ୍ୟ ଗଣପର୍ବ ନୂଆଖାଇ ଅବସରରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। “ଜୀଇଁ ଜାଗିଥିଲେ ବରଷେ- ନୂଆ ଖାଏମା ଗରସେ”।