ନର୍ଲା ଦୁର୍ଗା ମଣ୍ଡପ ପରିସରରେ ପୋଲିସ ତରଫରୁ ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା ଶିବିର

ରାଜ୍ୟ ସରକାରଙ୍କ ଏଭଳି ସୃଜନଶୀଳ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଦୁର୍ଗା ମଣ୍ଡପ ପରିସରରେ ଆଜି ବୁଧବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ସାଇବର ଠକେଇରୁ ସଚେତନତା ପାଇଁ ପୋଲିସ ତରଫରୁ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହା ରାତି୮ ଟା ଯାଏଁ ଜାରି ରହିଥିଲା। ନର୍ଲା ଡ଼ିଏସପି ପ୍ରଦୋଷ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନୀତ ଅତିଥି ଭାବରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ନର୍ଲା ତହସିଲଦାର ଶଙ୍କର ବାଗ, କ୍ରାଇମ ଡିଏସପି ଅଳକାନନ୍ଦା ସାହୁ ପ୍ରମୂଖ ଉପସ୍ଥିତ ରହି ସାଇବର ଅପରାଧ ବିଷୟରେ ବକ୍ତବ୍ୟ ଦେଇଥିଲେ।

ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଜ୍ୟ ସରକାରଙ୍କ ଏଭଳି ସୃଜନଶୀଳ ଜନ ହିତକର କାର୍ଯ୍ୟକ୍ରମ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ନର୍ଲା ସାମ୍ବାଦିକ ସମାଜ ପ୍ରତିନିଧି ମନୋଜ କୁମାର ଶଢଙ୍ଗୀ ସାଇବର ଠକେଇର ଶିକାର ହୋଇଥିବା ତାଙ୍କ ଜଣେ ବନ୍ଧୁଙ୍କ କଥା ଓ ଏଥିରୁ ତାଙ୍କ ଅନୁଭୂତି ବିଷୟରେ ମଞ୍ଚରେ କହିଥିଲେ। ନର୍ଲା ଆଇଆଇସି ଗଙ୍ଗାଧର ମେହେର ସ୍ୱଗାତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରି ଦିନକୁ ଦିନ ସାଇବର କ୍ରାଇମ ବଢି ବଢି ଚାଲିଛି । ଏଥିରୁ କେମିତି ସୁରକ୍ଷିତ ରହିବା ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ବୋଲି କହିଥିଲେ ।

ଉପସ୍ଥିତ ଅତିଥି ବୃନ୍ଦ ମଧ୍ୟ ସାଇବର ଅପରାଧ ଓ ଅପରାଧୀ ମାନଙ୍କ ତତ୍ପରତା ବିଷୟରେ କହି ବର୍ତ୍ତମାନ ର ଯୁବପିଢୀ ସେମାନଙ୍କ ପ୍ରଲୋଭନରେ ନପଡିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ନର୍ଲା ର ଯୁବ ସମାଜ, ଭଦ୍ରବ୍ୟକ୍ତି, ଶିକ୍ଷାବିତ୍ତ, ବୁଦ୍ଧିଜୀବୀ, ସାମ୍ବାଦିକ ଗଣ, ସେବାକାରୀ କିନ୍ନର ସଂଘର ସଦସ୍ୟ ବୃନ୍ଦ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଭବାନୀପାଟଣା ସାଇବର ଥାନା ଅଧିକାରୀ ସ୍ନିଗ୍ଧା ରାଣୀ ସୁନା ସାଇବର ଅପରାଧ ଓ ଏଥିରୁ ସୁରକ୍ଷା ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ ।

ବିଜେଡି ଯୁବ ନେତା ତଥା ଆସୁ କବି କୌତୁକ ଖମାରୀ ସାଇବର ଠକ ଓ ଏଥିପ୍ରତି ସଚେତନତା ବିଷୟରେ ଗୀତ ଓ ଘୁମୁରା ପରିବେଷଣ କରିଥିଲ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଦିବା ୧୧ ଘଣ୍ଟା ସମୟରେ ନର୍ଲା ଡିଗ୍ରୀ କଲେଜରେ ମଧ୍ୟ ଛାତ୍ରଛାତ୍ରୀ ଙ୍କୁ ନେଇ ପୋଲିସ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଇବର ଠକେଇ ବିଷୟରେ ସଚେତନତା ଏହାର ସମାଧାନର ବାଟ ମଧ୍ୟ ସୁନ୍ଦର ଭାବରେ ବୁଝାଇଥିଲେ ଭବାନୀପାଟଣା ସାଇବର ଥାନା ଆଇଆଇସି ଶ୍ରୀମତୀ ସୁନା । ନର୍ଲା ପୋଲିସ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାଇବର ଅପରାଧ ସମସ୍ୟା ଉପରେ ଏହି କର୍ମଶାଳାରେ ଆଲୋଚନା କରିଥିଲେ ଅତିଥିବୃନ୍ଦ। କାର୍ଯ୍ୟକ୍ରମ ଶେଷରେ ନର୍ଲା ଡ଼ିଏସପି ଶ୍ରୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.