ରାହୁଲ ଗାନ୍ଧୀଙ୍କୁ ରାମାୟଣର ରାବଣ ଭାବେ ଦର୍ଶାଇଲା ବିଜେପି, କଂଗ୍ରେସ କହିଲା ହିଂସା ସୃଷ୍ଟି କରିବାକୁ ଉଦ୍ୟମ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଜେପି ଗୁରୁବାର ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛି ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ରାମାୟଣର ଦଶମୂଖୀ ରାକ୍ଷସ ରାଜା ରାବଣ ଭାବେ ଦର୍ଶାଯାଇଛି। ବିଜେପିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏହି ପୋଷ୍ଟରେ ନୂଆ ଯୁଗର ରାବଣ ଏଠାରେ ଅଛନ୍ତି ବୋଲି ଲେଖାଯାଇଛି। ସେ ତ ଦୁଷ୍ଟ। ଧର୍ମ ବିରୋଧୀ। ରାମ ବିରୋଧୀ। ତାଙ୍କର ଲକ୍ଷ୍ୟ ହେଉଛି ଭାରତକୁ ଧ୍ୱଂସ କରିବା। ବିଜେପିର ଏହି ପୋଷ୍ଟକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା ରାହୁଲ ଗାନ୍ଧୀଙ୍କ ବିରୋଧରେ ହିଂସା ସୃଷ୍ଟି କରିବାର ପ୍ରୟାସ ବୋଲି କହିଛି। ଏକ ବିବୃତ୍ତିରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ବିଜେପିର ଅଫିସିଆଲ ହ୍ୟାଣ୍ଡେଲ ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ରାବଣ ଭାବରେ ଚିତ୍ରଣ କରିବାର ପ୍ରକୃତ ଉଦ୍ଦେଶ୍ୟ କ’ଣ? ଏହା ସ୍ପଷ୍ଟ ଭାବରେ ଜଣେ କଂଗ୍ରେସ ସାଂସଦ ଏବଂ ଦଳର ପୂର୍ବତନ ସଭାପତିଙ୍କ ବିରୋଧରେ ହିଂସା ସୃଷ୍ଟି କରିବା ଏବଂ ଉସୁକାଇବା ପାଇଁ ଉଦ୍ଦିଷ୍ଟ, ଯାହାର ପିତା ଏବଂ ଜେଜେମାଙ୍କୁ ଭାରତକୁ ବିଭାଜନ କରିବାକୁ ଚାହୁଁଥିବା ଶକ୍ତି ଦ୍ୱାରା ହତ୍ୟା କରାଯାଇଥିଲା। ସେହିପରି କଂଗ୍ରେସର ଆଉ ଜଣେ ନେତା ଇମ୍ରାନ ପ୍ରତାପଗଡ଼ୀ ଦାବି କରିଛନ୍ତି ଯେ ରାହୁଲଙ୍କ ଲୋକପ୍ରିୟତା ବଢ଼ୁଥିବାରୁ ବିଜେପି ନର୍ଭସ ହୋଇପଡ଼ିଛି। ପ୍ରତାପଗଡ଼ୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭିତ୍ତିହୀନ ଅଭିଯୋଗ କରୁଛନ୍ତି ଏବଂ ବିଜେପି ନେତାଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା। ରାହୁଲଙ୍କ ଲୋକପ୍ରିୟତା ବଢୁଛି ସେ ଲୋକଙ୍କ କଥା ବୁଝୁଛନ୍ତି। ମଣିପୁରରେ ହିଂସା ବେଳେ ସେ ଘଟଣାସ୍ଥଳକୁ ଗଲେ କିନ୍ତୁ ପ୍ରଧାନମନ୍ତ୍ରୀ ଗଲେ ନାହିଁ କି ତାଙ୍କ କଥା ବୁଝିଲେନି ବୋଲି କହିଛନ୍ତି। ବର୍ଷ ଶେଷର ବିଧାନସଭା ନିର୍ବାଚନ ଓ ଆସନ୍ତା ବର୍ଷର ଲୋକସଭା ଲଢ଼େଇ ପାଖେଇ ଆସୁଥିବାରୁ ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଆକ୍ରମଣକୁ ଜୋରଦାର କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.