ଜାପାନ ଯିବା ପାଇଁ ମନୋନୀତ ହେଲେ ସୌମ୍ୟ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜାତୀୟ ସ୍ତରରେ ପୁରସ୍କୃତ ହେଲେ କଳାହାଣ୍ଡି ପୁଅ । କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ହୋଇ ତିନିଦିନ ଧରି ଚାଲିଥିବା ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋକୁଳେଶ୍ଵରର ଛାତ୍ର ସୌମ୍ୟ ରଂଜନ ସିଂହ କୃତିତ୍ୱ ହାସଲ କରି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ କେନ୍ଦ୍ର ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ପ୍ରକାଶ ଥାଉ କି ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ମନୋନୀତ ହୋଇ ଓଡ଼ିଶାରୁ ୨୭ ଜଣ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିଲେ । ୨୭ଟି ପ୍ରକଳ୍ପ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଦୁଇଟି ପ୍ରକଳ୍ପ ଯଥା ଗୋକୁଳେଶ୍ଵର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗଦିଶ ପଧାନଙ୍କ ମାର୍ଗଦର୍ଶନରେ ଛାତ୍ର ସୌମ୍ୟ ରଞ୍ଜନ ସିଂହଙ୍କ ଦ୍ଵାରା ପ୍ରସ୍ତୁତ ” ନିରାପଦ ସିଲେଇ” ପ୍ରକଳ୍ପ ଓ ରାଜୀବ ଜୀ ଉଚ୍ଚ ବିଦ୍ୟାଳୟ ଗାଇଗାଁର ବିଜ୍ଞାନ ଶିକ୍ଷୟତ୍ରୀ ଖିରୋଦ୍ରି ସାହାଙ୍କ ମାର୍ଗଦର୍ଶନରେ ଛାତ୍ରୀ ଖୁସବୁ ସାହୁଙ୍କ ଦ୍ଵାରା ପ୍ରସ୍ତୁତ ” ମଲ୍ଟି ପର୍ପସ ହ୍ୱିଳ୍ ଚେଆର” ପ୍ରକଳ୍ପ ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇଥିଲା। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରଦର୍ଶିତ ସମୁଦାୟ ୭୪୧ ଟି ପ୍ରକଳ୍ପ ମଧ୍ୟରୁ ସବୁଠାରୁ ଉତ୍କୃଷ୍ଟ ୬୦ଟି ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା। ତନ୍ମଧ୍ୟରୁ ଓଡ଼ିଶାର ୫ଟି ପ୍ରକଳ୍ପ ଶ୍ରେଷ୍ଠ ତାଲିକା ରେ ରହିଥିଲା ବେଳେ କଳାହାଣ୍ଡିର ସୌମ୍ୟ ରଂଜନ ସିଂହଙ୍କ ‘ନିରାପଦ ସିଲେଇ’ ପ୍ରକଳ୍ପଟି ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହେବା ସଂଗେସଂଗେ ଜାପାନରେ ଆୟୋଜନ ହେବାକୁ ଥିବା ସାକୁରା ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ ପାଇଁ ମନୋନୀତ ହୋଇଛି । ଏହି ବିରାଟ ସଫଳତା ପାଇଁ କେସିଙ୍ଗା ତଥା ସମଗ୍ର କଳାହାଣ୍ଡି ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ଛାତ୍ର ସୌମ୍ୟ ରଂଜନ ସିଂହ ତଥା ତାଙ୍କ ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷକ ଜଗଦିଶ ପଧାନଙ୍କୁ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଏଡିଇଓ ଟେମଲାଲ ଦୁବେ, ଡିଏସ୍ଏସ୍ ଦୁଷ୍ମନ୍ତ ଶେଖର ପାଢ଼ୀ ଏବଂ କଳାହାଣ୍ଡି ଜିଲ୍ଲା ଇନସ୍ପାଆର ଟିମ ଅଭିନନ୍ଦନ୍ ଜ୍ଞାପନ କରିଛନ୍ତି ।