ନୂଆଦିଲ୍ଳୀ ବଜାରରେ ରାୟଗଡ ଆମ୍ବ

ପ୍ରଥମ ପର୍ଯ୍ୟାୟରେ ପଠାଗଲା ୨୭ କ୍ୱିଂଟାଲ ଆମ୍ବ

୩୦୦ କ୍ୱିଂଟାଲ ପରିବର୍ତେ ଧାର୍ଯ୍ୟ ଲକ୍ଷ୍ୟ ଓହ୍ଳାଇଲା ୧୦୦ କ୍ୱିଂଟାଲକୁ

ରାୟଗଡ,୨/୬: ବିଭିନ୍ନ ଅର୍ଥକାରୀ ଫସଲ ମଧ୍ୟରେ ଆମ୍ବଚାଷ ଏବେ ବେଶ୍ ଆଦୃତ ଲାଭ କରିଛି । ବିଶେଷ କରି ରାୟଗଡ ଜିଲ୍ଳାର ପୁରପଲ୍ଳୀରେ ଚାଷୀମାନେ ଆମ୍ବଚାଷ କରିବା ପାଇଁ ଉତ୍ସୁକତା ଦେଖାଉଥିବା ବେଳେ ପ୍ରଶାସନ ମଧ୍ୟ ଚାଷିଙ୍କୁ ଉତ୍ପାଦିତ ଆମ୍ବର ସଠିକ୍ ମୂଲ୍ୟ ଯୋଗାଇବା ପାଇଁ ଏବଂ ଚାଷି ତଥା ଉତ୍ପାଦକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସହଯୋଗ କରିଆସୁଛି । ଏବେ ରାୟଗଡ ବଜାରରେ ଜିଲ୍ଳାର ବିଭିନ୍ନ କୋଣରେ ଚାଷିମାନେ ଉତ୍ପାଦନ କରିଥିବା ବିଭିନ୍ନ କିସମର ଆମ୍ବ ବିକ୍ରି ପାଇଁ ଆସୁଥିବା ବେଳେ ଛତିଶଗଡ, ଆନ୍ଧ୍ରପ୍ରଦେଶରୁ ମଧ୍ୟ ବେପାରୀମାନେ ଆସି ଏଠାରେ ଆମ୍ବ ବିକ୍ରି କରିଥାନ୍ତି । ତେବେ ଜିଲ୍ଳାରେ ଉତ୍ପାଦିତ ସୁଆଦିଆ ଆମ୍୍ରପାଲି, ଦିଶାରୀ, ବାଇଗଣପଲି, ସୁନ୍ଦରୀ ସମେତ ଅନ୍ୟାନ୍ୟ ବହୁ କିସମର ଆମ୍ବକୁ ଲୋକେ ବହୁତ ପସନ୍ଦ କରୁଥିବା ବେଳେ ବଜାରରେ ଏହାର ଦର ମଧ୍ୟ ୩୦ ରୁ ୫୦ଟଙ୍କା ମଧ୍ୟରେ ରହିଛି । ଧରଣୀପେନୁ ଫାର୍ମସ ପ୍ରୋଡୁସର କୋ.ଲିମିଟେଡ୍ ଉତ୍ପାଦକ ସଂସ୍ଥା ପକ୍ଷରୁ ଜିିଲ୍ଳାର ବିଷମକଟକ, କାଶିପୁର, ମୁନିଗୁଡା ସମେତ ଅନ୍ୟାନ୍ୟ ବ୍ଳକଗୁଡିକର ପୁରପଲ୍ଳୀରେ ଚାଷିମାନଙ୍କ ଦ୍ୱାରା ଉତ୍ପାଦିତ ସୁଆଦିଆ ଆମ୍ବକୁ ବିକ୍ରି ନିମନ୍ତେ ପ୍ରଶାସନର ଓଏଲଏମ ଓ ଓରମାସ ତରଫରୁ ନୂଆଦିଲ୍ଳୀର ମଦର ଡାଏରୀ ସହ ସଂଯୋଗ କରାଯାଇଛି । ଏହି ମର୍ମରେ ଶନିବାର ଦିନ ପ୍ରଥମ ପର୍ଯ୍ୟାୟରେ ରାୟଗଡ ରେଳ ଷ୍ଟେସନରୁ ୨୭କ୍ୱିଂଟାଲ ଆମ୍ବକୁ ବିଶାଖାପାଟଣା-ନିଜାମୁଦ୍ଦିନ୍ ସମତା ଏକ୍ସପ୍ରେସ ଯୋଗେ ରପ୍ତାନୀ କରାଯାଇଛି । ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାୟଗଡ ଆମ୍ବର ଚାହିଦା ଓଡିଶାରେ କେବଳ ନୁହେଁ ବରଂ ନୂଆଦିଲ୍ଳୀ ବଜାରରେ ମଧ୍ୟ ଅଧିକା ରହିଛି । ଭୁବନେଶ୍ୱର ଠାରେ ଆୟୋଜିତ ଆମ୍ବ ମହୋତ୍ସବରେ ମଧ୍ୟ ରାୟଗଡର ସୁସ୍ୱାଦିଆ ଆମ୍ବ ବେଶ୍ ଆକୃଷ୍ଟ ହୋଇପାରିଥିବା ବେଳେ ରାୟଗଡ ଜିଲ୍ଳାବାସୀମାନେ ଏହି ସୁଆଦିଆ ବିଭିନ୍ନ କିସମର ଆମ୍ବ ଖାଇବାର ସୁଯୋଗ ପାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଆଜି ଜୁନ ୨ତାରିଖରୁ ୬ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ସହରର ଅଶୋକ କଲ୍ୟାଣ ମଣ୍ଡପ ଏବଂ ଗୁଣପୁରର ଚଇତି ମଣ୍ଡପ ଠାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହେବ ଏବଂ ପ୍ରତ୍ୟେକ ଦିନ ସକାଳ ୮ଘଟିକା ଠାରୁ ମଧ୍ୟାହ୍ନ ୧୨ଘଟିକା ଓ ଅପରାହ୍ନ ୫ ଘଟିକା ଠାରୁ ରାତ୍ର ୮ଘଟିକା ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲୁ ରହିବ । ସେହିପରି ବିଭିନ୍ନ ବିଭାଗ ଅଧୀନରେ କାମ କରୁଥିବା ଚାଷୀ,ସ୍ୱଂୟ ସହାୟକ ଗୋଷ୍ଠୀ,ହିତାଧିକାରୀ ଗୋଷ୍ଠୀ ସେମାନଙ୍କର ଉତ୍ପାଦିତ ଆମ୍ବକୁ ସିଧାସଳଖ ଉଚିତ ମୂଲ୍ୟରେ ଖାଉଟିଙ୍କୁ ବିକ୍ରୟ କରିବାର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଳାରେ ଚାଷ ହେଉଥିବା ମଲ୍ଳିକା, ଲେବାଡା, ଦଶହରୀ, ବାଇଗଣପଲ୍ଳୀ, ଆଖୁରସ,ବମ୍ବେଗ୍ରୀନ ପ୍ରଜାତି ଭଳି ଆହୁରି ଅନେକ କିସମର ସୁସୁଆଦ ଆମ୍ବଗୁଡିକ ପ୍ରଦର୍ଶିତ ହେବ ବୋଲି ଅମ୍ରିତ ଋତୁରାଜ ପ୍ରକାଶ କରିଛନ୍ତି । ଓରମାସ ଓ ଜିଲ୍ଳା ପ୍ରଶାସନ ତରଫରୁ ଏହି ଆମ୍ବ ମହୋତ୍ସବକୁ ଆୟୋଜନ କରାଯାଉଛି । ତେବେ ପ୍ରତ୍ୟେକ ବର୍ଷ ନୂଆଦିଲ୍ଳୀର ମଦର ଡାଏରୀକୁ ଯେଉଁ ୩୦୦କ୍ୱିଂଟାଲ ଆମ୍ବ ରପ୍ତାନୀ କରାଯାଉଥିବା ବେଳେ ଚଳିତ ବର୍ଷର ପ୍ରାକୃତିକ ବିପର୍ଯ୍ୟୟ ତଥା ଅଦିନିଆ କାଳବୈଶାଖୀ ପ୍ରଭାବରେ ଏହାର ଉତ୍ପାଦନ ଉପରେ ପ୍ରଭାବ ପଡିଥିବାରୁ ଲକ୍ଷ୍ୟ ଧାର୍ଯ୍ୟରେ ହ୍ରାସ କରାଯାଇ କେବଳ ୧୦୦କ୍ୱିଂଟାଲ ରପ୍ତାନୀ କରାଯିବା ପାଇଁ ସ୍ଥିର ହୋଇଥିବା ମଧ୍ୟ ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଆନନ୍ଦଚନ୍ଦ୍ର ସାହୁ,ଓରମାସର ସହାୟକ ନିର୍ଦ୍ଦେଶକ ମନୋଜ ପାତ୍ରଙ୍କ ସମେତ ଧରଣୀପେନୁ ଫାରମର୍ସ ପ୍ରୋଡୁସର କୋ.ଲିମିଟେଡ୍ ସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ନାୟକ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଚାଷି ଭାଇଭଉଣୀମାନେ ଉପସ୍ଥିତ ରହିଥିଲେ ।

ରାୟଗଡ଼ାରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.