ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାୟପୁର-ଗୋପାଳପୁର ଜାତୀୟ ରାଜପଥ ୫୯ର ମଦନପୁର ରାମପୁର ଥାନା ଅଧୁନସ୍ଥ ମଟୋଗଣ୍ଡା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଇକୋ କାର ଧକ୍କା ଦେବାରୁ ଦୁଇ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ତୁମଡିବନ୍ଧ ଲଙ୍କାଗଡ ଗ୍ରାମର ଶୁକଦେବ ପାତ୍ର ଏବଂ ଗୋପାଳ ପାତ୍ର ନାମକ ଦୁଇ ବ୍ୟକ୍ତି ଓ.ଡି ୦୮ସି ୩୩୭୭ ନମ୍ବର ବିଶିଷ୍ଟ ହିରୋ ଗ୍ଲେମର ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ଘରୁ ନିଜ ଗାଁକୁ ଫେରୁଥିଲେ। ରାୟପୁର ଗୋପାଳପୁର ଜାତୀୟ ରାଜପଥ ୫୯ ର ମଦନପୁର ରାମପୁର ଥାନା ଅନ୍ତର୍ଗତ ମଟୋଗଣ୍ଡା ନିକଟରେ ବିପରିତ ଦିଗରୁ ଆସୁଥୁବା ଓଡି ୩୩ଏକ୍ସ ୧୯୩୨ ନମ୍ବର ବିଶିଷ୍ଟ ଏକ ଇକୋ କାର ନିୟନ୍ତ୍ରଣ ହରାଇ ବାଇକକୁ ଧକ୍କା ଦେଇଥିଲା। ଫଳରେ ଶୁକଦେବ ଏବଂ ଗୋପାଳ ଦୁଇ ବାଇକ ଆରୋହୀ ଛିଟିକି ପଡି ଗୁରୁତର ହେଇଥିଲେ। ଅନ୍ୟପଟେ କାର ମଧ୍ୟ ରାସ୍ତା କଡରେ ଓଲଟି ପଡିଥିଲା ଫଳରେ ଇକୋ କାରରେ ଥିବା ମଦନପୁର ରାମପୁର କଲେଜ ପଡାର ପ୍ରିୟାଂଶୁ ପ୍ରଧାନ ଏବଂ ଅଭିଷେକ ପ୍ରଧାନ ନାମକ ଦୁଇ ଯୁବକ ଗୁରୁତର ହେଇଥିଲେ। ମଦନପୁର ରାମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। କିନ୍ତୁ ଚିକିତ୍ସା ଦାଇତ୍ୱରେ ଥିବା ଡାକ୍ତର ଉଭୟ ଶୁକଦେବ ଏବଂ ଗୋପାଳକୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ପଟେ ପ୍ରିୟାଂଶୁ ଏବଂ ଅଭିଷେକଙ୍କ ଚିକିତ୍ସା ଜାରି ରହିଛି। ସୋମବାର ପୂର୍ବାହ୍ନ ସୁଦ୍ଧା ମୃତ ଦେହ ଗୁଡିକର ବ୍ୟବଚ୍ଛେଦ କରାଯାଇଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି।





