ଆଜି ଇଦ୍ ଉଲ୍-ଫିତ୍ର, ଉପବାସ ଭାଙ୍ଗିବାର ଦିନ

ଇଦ୍ ଉଲ୍-ଫିତ୍ର ଏକ ମୁସଲିମ୍ ପର୍ବ, ଯାହାକି ରମଜାନ୍ ମାସର ଶେଷରେ ପାଳନ କରାଯାଏ। ଇଦ୍ ଏକ ଆରବୀ ଶବ୍ଦ, ଯାହାର ଅର୍ଥ ହେଲା ଆନନ୍ଦ ଉତ୍ସବ ଓ ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା। ଏଇ ପର୍ବଟି ଅଣତିରିସିଆ ବା ତିରିସିଆ ମାସରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ସେଥିପାଇଁ ଇଦର ପ୍ରଥମ ଦିନ, ମାସର ପ୍ରଥମ ଦିନ ହୋଇଥାଏ। ଏହିଦିନ ସାରାବିଶ୍ୱର ମୁସଲମାନମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି। ଏଇ ଦିନକୁ ଆଲ୍ଲାଙ୍କ ପରିଚୟ ଦିବସ ବୋଲି ଜ୍ଞାନ କରାଯାଏ।

ଇସଲାମୀ କେଲେଣ୍ଡର୍ ଶବ୍ୱଲର ଦଶମ ମାସର ପ୍ରଥମ ଦିନ ଏହା ପାନ କରାଯାଏ। ଇସଲାମୀ ପଞ୍ଜିକାର ପ୍ରତିମାସ ପରି ଏଇ ମାସଟି ମଧ୍ୟ ଆକାଶରେ ଚାନ୍ଦ ଦେଖିଲା ପରେ ଯାଇ ଆରମ୍ଭ ହୋଇଥାଏ। ଇସଲାମରେ ରମଜାନ୍ ମାସକୁ ପବିତ୍ର ମାସ ବୋଲି ଜ୍ଞାନ କରାଯାଏ। ମାସସାରା ମୁସଲମାନମାନେ ଉପବାସ କରିଥାନ୍ତି। ଇସଲାମୀ ସାଲରେ ଥିବା ଦୁଇଟି ଇଦ୍ ଭିତରୁ ଏହା ଗୋଟିଏ। ଆର ଗୋଟିକ ହେଲା ‘ଇଦ୍ ଉଲ୍-ଅଜହା”’। ଇଦ ଉଲ-ଫିତ୍ରକୁ ପୈଗଂବର ମହମ୍ମଦ ସନ ୬୨୪ରେ ଜଂଗ୍-ଏ-ବଦର୍ ପରେ ପାଳନ କରିଥିଲେ।

ମୁସଲମାନମାନେ ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରି ଭୋଜିଭାତ ସହ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି। ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି। ଏଇ ଦିନ କଳହ, ବିଶେଷକରି ପାରିବାରିକ ଝଗଡ଼ାକୁ ମେଣ୍ଟେଇବାକୁ ଚେଷ୍ଟା କରିଥାନ୍ତି।

ଇଦ୍ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲମାନ କିଛିନା କିଛି ଦାନ ବା ଭିକ୍ଷା ଦେଇଥାନ୍ତି। ଏହି ଦାନକୁ ଜକାତ୍ ଉଲ୍-ଫିତ୍ର କହନ୍ତି। ଏହି ଦାନ ଦୁଇ କିଲୋଗ୍ରାମ୍ ଓଜନର କୌଣସି ଖାଦ୍ୟଦ୍ରବ୍ୟ ହୋଇପାରେ, ଯଥା- ଅଟା ବା ସେତିକି ପରିମାଣର ଖାଦ୍ୟର ମୂଲ୍ୟ ବି ହୋଇପାରେ। ପ୍ରାର୍ଥନା ଆଗରୁ ଏହି ଜକାତ୍ ଗରିବମାନଙ୍କୁ ବଣ୍ଟାଯାଏ।

ଏଇଦିନ ସଲାତ୍ ନାମକ ଦୁଇଟି ପର୍ଯ୍ୟାୟ (ରକ୍କା) ବିଶିଷ୍ଟ ଏକ ବିଶେଷ ପ୍ରାର୍ଥନା କରାଯାଏ, ଯାହା ଏକ ମୁକ୍ତ ପ୍ରାଙ୍ଗଣ ଅଥବା ହଲ୍ ଭିତରେ କରାଯାଇଥାଏ। ଏହାକୁ ସାମୂହିକ ଭାବ (ଜମାତ୍)ରେ କରିବା ଅପହିହାର୍ଯ୍ୟ ହୋଇଥାଏ। ଏଇ ପ୍ରାର୍ଥନାରେ ଅଧିକ ଆଠଗୋଟି ମୁଦ୍ରା (ହାତକୁ କାନ ପାଖକୁ ଉଠାଇବା) ରହିଥାଏ ଯାହାକୁ ଆଲ୍ଲା ହୁ ଆକବର (ଈଶ୍ୱର ମହାନ ଅଟନ୍ତି) କହିଲା ବେଳେ ସମ୍ପନ୍ନ କରାଯାଏ। ଏଥିମଧ୍ୟରୁ ପ୍ରଥମ ତିନିଟି ପ୍ରଥମ ରକ୍କାର ଆରମ୍ଭରେ କରାଯାଇଥାଏ ଓ ଶେଷ ତିନିଟି ରୁକୁର ଅବ୍ୟବହିତ ପୂର୍ବରୁ ଦ୍ୱିତୀୟ ରକ୍କାରେ କରାଯାଇଥାଏ (ହନାଫି ମତରେ)। ଏଇ ଇଦ୍ ଉଲ୍-ଫିତ୍ର ସଲାତ୍ ଫର୍ଦ (ବାଧ୍ୟତାମୂଳକ), ମୁସ୍ତାହବ (କରଣୀୟ) ବା ମନ୍ଦୁବ (ଐଚ୍ଛିକ) ହେବ, ତାହା କେଉଁ ମତରୁ ପ୍ରେରିତ ତା’ ଉପରେ ନିର୍ଭର କରେ।

ମୁସଲମାନମାନେ ବିଶ୍ୱାସ କରନ୍ତି କୁରାନ୍ ସରିଫ୍ ଅନୁସାରେ ସେମାନଙ୍କୁ ଆଲ୍ଲା ରମଜାନ୍ ମାସସାରା ଉପବାସ ରଖିବାକୁ ଏବଂ ଇଦ୍ ପ୍ରାର୍ଥନା ଆଗରୁ ଜକତ୍ ଓ ଫିତ୍ର ଅର୍ପଣ କରିବାକୁ କହିଛନ୍ତି।

ଏଠି କ୍ଲିକ୍ କରି ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.